କନକ ବ୍ୟୁରୋ: ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ ପାଇଁ ଲୋକଙ୍କ ମୁଣ୍ଡରେ ଚଡକ । ବିନା ମିଟର ରିଡିଙ୍ଗରେ ଆସିଛି ୧୮ ହଜାର ବିଲ୍ । ଭୁବନେଶ୍ୱର କେଶରୀନଗର ବସ୍ତିର ଲୋକଙ୍କ ଘରକୁ ସଂଯୋଗ ହୋଇଥିବା ପାଣି ବିଲ ଲୋକଙ୍କ ନିଦ ହଜାଇଦେଇଛି । ମୂଲ ଲାଗି ଚଳୁଥିବା ବସ୍ତି ବାସିନ୍ଦା, କେମିତି ବିଲ ପୈଠ କରିବେ ସେନେଇ ପ୍ରଶ୍ନ ଉଠାଇଛନ୍ତି ।
ପାଣି ବିଲ୍ ଆସିଛି ୧୮ ହଜାର । ଏ ହେଉଛି ଭୁବନେଶ୍ୱର ୫ ନମ୍ବରରେ ଥିବା କେଶରୀନଗର ବସ୍ତିବାସିନ୍ଦାଙ୍କ ପାଖକୁ ଆସିଥିବା ପାଣି ବିଲ୍ । ୱାଟକୋ ପକ୍ଷରୁ ଆସିଥିବା ଏହି ବିଲ୍ ଦେଖି ବସ୍ତି ବାସିନ୍ଦାଙ୍କ ଚିନ୍ତା ବଢ଼ିଯାଇଛି । ମୂଲ ଲାଗିବେ ନା ବନ୍ଧା ପଡ଼ିବେ, କ’ଣ କଲେ ବିଲ୍ ପୈଠ କରିବେ ? ୨୦୨୨ରେ ଲାଗିଥିବା ଟ୍ୟାପରୁ, ମାଗଣାରେ ବସ୍ତି ବାସିନ୍ଦା ପାଣି ପିଇପାରିବେ ବୋଲି କୁହାଯାଇଥିଲା । ତତ୍କାଳୀନ ସରକାର ଅମୃତ ଯୋଜନା ସହ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ବି କଲେ । ପ୍ରଥମେ କୁହାଗଲା ପାଣି ବିଲ୍ ଦେବାକୁ ପଡ଼ିବ ନାହିଁ । ହେଲେ ପରେ ତାହା ବଦଳି, ଯେତିକି ଖର୍ଚ୍ଚ କରିବେ ସେତିକି ଭରିବାକୁ କୁହାଗଲା । ମିଟର ରିଡିଙ୍ଗ ପାଇଁ ଜଳସାଥୀ କି ୱାଟ୍କୋ ଅଧିକାରୀଙ୍କ ପାଦ ପଡିନି । ଅଥଚ ୩ବର୍ଷ ପରେ ବାବୁମାନେ ଆସି ସିଧା ଧରେଇ ଦେଲେ ଲମ୍ୱା ବିଲ୍।
ବସ୍ତିରେ ଅଧିକାଂଶ ଲୋକଙ୍କ ପାଖକୁ ଆସିଛି ଏମିତି ବିଲ୍ । ସମୟ ସୀମା ରହିଛି ୧ ମାସ । ଯଦି ଏହା ଭିତରେ ଟଙ୍କା ପୈଠ ନକରନ୍ତି, ତାହାଲେ ଜଳ ସଂଯୋଗୀକରଣ କାଟି ଦେବାକୁ ଧମକ ମିଳିଛି । ସେପଟେ ବିଭାଗୀୟ ଅଧିକାରୀଙ୍କ କହିବା କଥା ଏ ସଂପର୍କରେ ଆମ ପାଖରେ ଖବର ନାହିଁ। ସେପଟେ ସାମାଜିକ କର୍ମୀ କହିଛନ୍ତି ଯଦି ପାଣି କାଟି ଦିଆଯାଏ, ତାହାଲେ ଆମେ ରାଜରାସ୍ତାକୁ ଓହ୍ଲାଇବୁ ।