କନକ ବ୍ୟୁରୋ: ଛାନିଆରେ ପାକିସ୍ତାନ ନେତା । ପାକିସ୍ତାନ ପିପୁଲ୍ସ ପାର୍ଟି ପିପିପି ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ ଭାରତ ସରକାରଙ୍କୁ ବଡ଼ ଦାବି କରିଛନ୍ତି । ଭୁଟ୍ଟୋ କହିଛନ୍ତି, ଏପ୍ରିଲ ୨୨ରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଯଦି ପାକିସ୍ତାନର ସମ୍ପୃକ୍ତି ଥାଏ, ତେବେ ଭାରତ ଏହାର ପ୍ରମାଣ ଦେଖାଇବା ଉଚିତ । ବିଲାୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଭାରତ ଯଦି ପାକିସ୍ତାନକୁ ଏହି ଆକ୍ରମଣ ପାଇଁ ଦାୟୀ ମାନୁଛି, ତେବେ ସେମାନେ ନିରପେକ୍ଷ ପ୍ରମାଣ ଉପସ୍ଥାପନ କରନ୍ତୁ । ଆମେ ଏକ ନିରପେକ୍ଷ ତଦନ୍ତ ପାଇଁ ପ୍ରସ୍ତୁତ, କିନ୍ତୁ ଅନ୍ୟାୟ ଅଭିଯୋଗ ଆମେ ଗ୍ରହଣ କରିବୁ ନାହିଁ । ଭୁଟ୍ଟୋ ଆହୁରି କହିଛନ୍ତି, ଭାରତର ଏକପାଖିଆ ଅଭିଯୋଗ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବଢ଼ାଇବ । ଭାରତ ଏହାର ଜବାବରେ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ସହ ଅନ୍ୟାନ୍ୟ କୂଟନୈତିକ ପଦକ୍ଷେପ ଗ୍ରହଣ କରିଛି । ପାକିସ୍ତାନ ଏହି ଅଭିଯୋଗକୁ ଅସ୍ୱୀକାର କରି ଏହାକୁ ଭାରତର “ମିଥ୍ୟା କାହାଣୀ” ବୋଲି କହିଛି ।
ବିଲାୱାଲଙ୍କ ଏହି ବୟାନ ପରେ ଭାରତୀୟ ନେତାମାନେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । କେନ୍ଦ୍ରୀୟ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ପହଲଗାମ ଆକ୍ରମଣ ଏକ ସ୍ପଷ୍ଟ ସୀମାପାର ଆତଙ୍କବାଦୀ ଆକ୍ରମଣ । ପାକିସ୍ତାନକୁ ଏହାର ବହୁ ମୂଲ୍ୟ ଦେବାକୁ ପଡ଼ିବ । ଏପଟେ ସତ ମାନୁଛି ପାକିସ୍ତାନ, ଆତଙ୍କୀଙ୍କୁ ପାଳୁଥିଲା ଦେଶ । ଭାରତର କଡ଼ା ଆଭିମୁଖ୍ୟ ପରେ ପାକିସ୍ତାନର ଜଣକ ପରେ ଜଣେ ନେତା ସତ ଉଗାରିବା ଆରମ୍ଭ କରିଦେଇଛନ୍ତି । ପ୍ରତିରକ୍ଷାମନ୍ତ୍ରୀଙ୍କ ପରେ ଏବେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ସ୍ୱୀକାର କରିଛନ୍ତି ଯେ ଦେଶର ଇତିହାସ ଆତଙ୍କବାଦରେ ଭରା । ସ୍କାଏ ନ୍ୟୁଜ୍କୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, କଟ୍ଟରପନ୍ଥୀ ଯୋଗୁଁ ପାକିସ୍ତାନର କ୍ଷତି ହୋଇଛି, କିନ୍ତୁ ସୁଧାର କରାଯାଇଛି । ମୀରପୁର ଖାସ ରାଲିରେ ସେ ଯୁଦ୍ଧର ଚେତାବନୀ ମଧ୍ୟ ଦେଇଛନ୍ତି ।