କନକ ବ୍ୟୁରୋ : ଗ୍ରାମାଞ୍ଚଳର ବେକାରି ସମସ୍ୟା ଦୂର କରିବାକୁ ଖୋଲାଯାଉଛି ଦକ୍ଷତା ବିକାଶ କେନ୍ଦ୍ର । ଗରିବ ମେଧାବୀ ଯୁବକ ଯୁବତୀଙ୍କୁ ବିଭିନ୍ନ ବର୍ଗରେ ଦକ୍ଷତା ଟ୍ରେନିଂ ଦିଆଯାଇ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଥିଲା ଉଦ୍ଦେଶ୍ୟ । ହେଲେ ଏସବୁ ପ୍ରହସନ ପାଲଟିଯାଇଛି । ରକ୍ଷଣାବେକ୍ଷଣ ଅଭାବରୁ ଉଦଘାଟନର ଅଳ୍ପ କେଇଟା ଦିନ ପରେ ଭୂତକୋଠି ପାଲଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଠାରେ ଥିବା ଦକ୍ଷତା ବିକାଶ କେନ୍ଦ୍ର ।  

Advertisment

ଏ ହେଉଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ବିଜୁ ଦକ୍ଷତା କେନ୍ଦ୍ର । ଲକ୍ଷ୍ୟ ଥିଲା ଦକ୍ଷ ହେବେ ବେକାର ଯୁବକ । ହେଲେ ସବୁ ଫସର ଫାଟିଯାଇଛି । ସଂପୂର୍ଣ୍ଣ କୋଠା ଅନାବନା ଗଛରେ ଭର୍ତ୍ତି । କବାଟ ଝରକା ଚୋରି ହୋଇଗଲାଣି । ସିସିଟିଭି ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ନାହିଁ , ବିଦ୍ୟୁତ ସରଞ୍ଜାମ ବି ନାହିଁ । ହାତ ଗଣତି କେତୋଟି ଚେୟାର ପଡ଼ିଛି । ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳି ପାଲଟିଛି ଏହି କେନ୍ଦ୍ର । ୨୦୧୮ରେ ପ୍ରାୟ ୭୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ବିଜୁ ଦକ୍ଷତା କେନ୍ଦ୍ର । ସେତେବେଳର ପୂର୍ବତନ ବିଭାଗୀୟ ମନ୍ତ୍ରୀ ଓ ବିଧାୟକଙ୍କ ଦ୍ୱାରା ଏହି କେନ୍ଦ୍ରକୁ ଉଦଘାଟନ କରାଯାଇଥିଲା । ହେଲେ ଏହି କେନ୍ଦ୍ରରୁ ଏଯାଏଁ ଜଣେ ବି ଯୁବକ ଯୁବତୀ ଶିକ୍ଷା ପାଇନଥିବା ଅଭିଯୋଗ ଆସିଛି । ମାତ୍ର କେଇ ମାସ ଚାଲିବା ପରେ ବନ୍ଦ ହୋଇପଡ଼ିଛି ଏହି କେନ୍ଦ୍ର । 

ସ୍ଥାନୀୟ ବିଡିଓ ନୂତନ ଭାବେ ଯୋଗ ଦେଇଥିବାରୁ ଏ ଦକ୍ଷତା କେନ୍ଦ୍ର ବିଷୟରେ ସେ ଅବଗତ ନଥିବା କହିଛନ୍ତି । କେନ୍ଦ୍ରଟି ଜିଲ୍ଲା ପ୍ରଶାସନ କି ନିୟୋଜନ ଅଧିକାରୀ, କାହା ଅଧୀନରେ ଅଛି ଜଣାପଡ଼ିଲା ପରେ ସମସ୍ୟାର ସମାଧାନ ହେବ । ତେବେ ଏଠି ପ୍ରଶ୍ନ ଉଠୁଛି,

କାହିଁକି ବନ୍ଦ ପଡ଼ିଛି ଦକ୍ଷତା ବିକାଶ କେନ୍ଦ୍ର?
କେନ୍ଦ୍ର ଚଳାଇବାରେ କ’ଣ ସାଜିଲା ବାଧକ?
କାହା ସ୍ବାର୍ଥରେ ଲକ୍ଷଲକ୍ଷ ଟଙ୍କାର କେନ୍ଦ୍ର ନିର୍ମାଣ ହୋଇଥିଲା?
ଲୋକ ଦେଖାଣିଆ ନା ଠିକାଦାର ପୋଷଣ ପାଇଁ?