କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଅଲୋଡ଼ା ହୋଇପଡ଼ିଛି ବିଜୁ ପଟ୍ଟନାୟକ ପାର୍କ । କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଥିବା ଏହି ପାର୍କ ରକ୍ଷଣାବେକ୍ଷଣ ଅଭାବରୁ ଏବେ ପରିତ୍ୟକ୍ତ ଅବସ୍ଥାରେ । ଜନସାଧାରଣଙ୍କ ଆମୋଦ ପ୍ରମୋଦ ବଦଳରେ ଏହା ପାଲଟିଛି ନିଶାଡିଙ୍କ ଆଡ୍ଡାସ୍ଥଳୀ ।

Advertisment

ଚାରିଆଡ଼େ ଅନାବନା ଗଛ । ଭଙ୍ଗା ଦଦରା ପରିବେଶ । ପାର୍କ ନୁହେଁ ତ’ ପୂରା ଜଙ୍ଗଲ । ୨୦୧୯ ମସିହାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଉଦ୍‌ଘାଟିତ ହୋଇଥିଲା ବିଜୁ ପଟ୍ଟନାୟକ ପାର୍କ । ବର୍ଷ କେଇଟା ନପୂରୁଣୁ ଏହା ପାଲଟିଛି ଘଞ୍ଚ ଜଙ୍ଗଲ । ଆଣ୍ଠୁଏ ଉଚ୍ଚାର ଘାସରେ ଲୁଚି ଯାଉଛନ୍ତି ପ୍ରବାଦ ପୁରୁଷ । ଖେଳ ଉପକରଣ ମଧ୍ୟରୁ ଅନେକ ଭାଙ୍ଗିରୁଜି ଗଲାଣି । ଆଉ କିଛି କଳଙ୍କି ଲାଗିଯାଇଛି । ସଂଧ୍ୟା ତ’ ଦୂରର କଥା ଦିନରେ ବି ଏହା ଭିତରକୁ ଯିବାକୁ ଡରୁଛନ୍ତି ଲୋକ ।

ବ୍ଲକ ପ୍ରଶାସନ ପକ୍ଷରୁ ପାର୍କ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦିଆଯାଇଥିଲା । ଜନସାଧାରଣ ଏଠାକୁ ନିରୋଳାରେ କିଛି ମୁହୂର୍ତ୍ତ ବିତାଇବା ପାଇଁ ଚାଲି ଆସୁଥିଲେ । ହେଲେ ଏବେ ସ୍ଥିତି ଭିନ୍ନ । ସାଧାରଣ ଲୋକଙ୍କ ବଦଳରେ ଏଠି ଜମୁଛି ମଦ୍ୟପଙ୍କ ଭିଡ଼ । ପାର୍କ ପରିସରରେ ମଦ ବୋତଲ ଦେଖିବାକୁ ମିଳୁଛି । ପାର୍କର ରକ୍ଷଣାବେକ୍ଷଣ ପାଇଁ କର୍ମଚାରୀ ନଥିବାରୁ ଏପରି ଅବସ୍ଥା ହୋଇଥିବା ଅଭିଯୋଗ ଆସିଛି ।

ଯେଉଁ ଉଦ୍ଦେଶ୍ୟରେ ପାର୍କଟି ନିର୍ମାଣ ହୋଇଥିଲା ତାହା ଆଉ ସାଧିତ ହେଉ ନାହିଁ । କେବଳ ଜନ୍ମଜୟନ୍ତୀ ଓ ଶ୍ରାଦ୍ଧ ବାର୍ଷିକୀରେ ପାର୍କରେ ବିଜୁ ବାବୁଙ୍କୁ ମନେ ପକାଉଛି ପ୍ରଶାସନ । ପ୍ରଶ୍ନ ଉଠେ କୋଟିକୋଟି ଟଙ୍କାର ପାର୍କକୁ ଅଣଦେଖା କାହିଁକି ? ପ୍ରବାଦ ପୁରୁଷଙ୍କୁ ଏ କି ସମ୍ମାନ ? ତୁରନ୍ତ ପାର୍କଟିର ପୁନରୁଦ୍ଧାର ଦିଗରେ ପ୍ରଶାସନ ପଦକ୍ଷେପ ନେବା ଦିଗରେ ଧ୍ୟାନ ଦେବାକୁ ଦାବି ହୋଇଛି ।