କନକବ୍ୟୁରୋ : ସରକାରଙ୍କ ତରଫରୁ ଅନେକ ପ୍ରକଳ୍ପର ଶୁଭାରମ୍ଭ କରାଯାଉଛି । ହେଲେ କାମ ସରିଗଲା ପରେ ଚୁପ ବସି ଯାଉଛନ୍ତି ସରକାର । ଏହାର ରକ୍ଷଣାବେକ୍ଷଣ ଦିଗରେ ଦୃଷ୍ଟି ଦେଉନାହାଁନ୍ତି ସରକାର । ଏହାର ଜ୍ବଳନ୍ତ ଉଦାହରଣ ହେଉଛି ଖୋର୍ଦ୍ଧା ବେଗୁନିଆର ବିଜୁ ପଟ୍ଟନାୟକ ପାର୍କ । ଜନସାଧାରଣଙ୍କ ଆମୋଦ ପ୍ରମୋଦ ପାଇଁ ନିର୍ମିତ ଏହି ପାର୍କ କେମିତି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ଏକମାତ୍ର ପାର୍କ ବିଜୁ ପଟ୍ଟନାୟକ ପାର୍କ । ୨୦୧୯ରେ ଉଦଘାଟିତ ଏହି ପାର୍କ ଏବେ ଜରାଜୀର୍ଣ୍ଣ । ନିର୍ମାଣ ସମୟରେ ୱାଟର ଫାଉଣ୍ଟେନ, ଭଳିକି ଭଳି ଆଲୋକ, ଘାସର ସୁନ୍ଦର ଗାଲିଚା ଭଳି ଅନେକ ବ୍ୟବସ୍ଥା କରାଯାଇଥିଲା ।
ହେଲେ ଏବେ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ପାର୍କ ପାଲଟିଛି ଘଞ୍ଚ ଜଙ୍ଗଲ । ଲାଇଟ ବି ନାହିଁ, ପିଲାଙ୍କ ପାଇଁ ରହିଥିବା ଖେଳ ଉପକରଣ ସବୁ ଭାଙ୍ଗି ରୁଜି ଯାଇଛି, ଅନେକ ଜିନିଷରେ କଳଙ୍କି ଲାଗିଗଲାଣି । ୱାଟର ଫାଉଣ୍ଟେନରୁ ଆଉ ପାଣି ବାହାରୁନି । ପାର୍କ ପରିସରରେ ଗଡ଼ୁଛି ମଦ ବୋତଲ । ପାର୍କ ପାଇଁ ପ୍ରଶାସନ ପକ୍ଷରୁ କୋଟି କୋଟି ଟଙ୍କା ଅନୁଦାନ ଦିଆଯାଇଥିଲା । ଅନେକ ଲୋକ ଏହି ପାର୍କରେ ସମୟ ବିତାଉଥିଲେ । ହେଲେ ଏବେ ଜୀବଜନ୍ତୁ ଭୟରେ ସଂଧ୍ୟା ତ ଦୂରର କଥା ସକାଳେ ବି ପାର୍କକୁ ଯିବାକୁ ଡ଼ର ଲାଗୁଛି । ତେବେ ଖୁବଶୀଘ୍ର ପାର୍କଟିର ପୁନରୁଦ୍ଧାର କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ବେଗୁନିଆ ବିଧାୟକ ପ୍ରଦୀପ ସାହୁ। ପାର୍କ ରକ୍ଷଣାବେକ୍ଷଣ ଦାୟିତ୍ବରେ କେହିନଥିବାରୁ ଏପରି ହେଉଥିବା ଅଭିଯୋଗ ହୋଇଛି ।