କନକ ବ୍ୟୁରୋ : ଉତ୍ତର ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଗମନାଗମନରେ ଉନ୍ନତି ଏବଂ ଅର୍ଥନୀତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବିଜୁ ଏକ୍ସପ୍ରେସ ୱେର ପରିକଳ୍ପନା । ହେଲେ ଏହି ଅର୍ଥନୈତିକ କରିଡରର ଭାଗ୍ୟ ଏବେ ଅନ୍ଧାରରେ । ଆଗକୁ ବଢ଼ିପାରୁନି ପ୍ରକଳ୍ପ , କଳାହାଣ୍ଡି ସୀମାନ୍ତ ଆମ୍ବପାଣି ଘାଟିରେ ଅଟକିଛି କାମ । ଯାହାକୁ ନେଇ ପରସ୍ପର ମଧ୍ୟରେ କାଦୁଅ ଫୋପାଡ଼ିବାରେ ବ୍ୟସ୍ତ ଶାସକ ଓ ବିରୋଧୀ । ଅନ୍ୟପଟେ ତୁରନ୍ତ କାମ ଆରମ୍ଭ ନକରିଲେ ଆନ୍ଦୋଳନର ଚେତାବନୀ ଦେଲା କଂଗ୍ରେସ ।

Advertisment

ଉତ୍ତର ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଗମନାଗମନର ଉନ୍ନତି ହେବ । ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ବିକାଶ ହେବ । ଏହି ଲକ୍ଷ୍ୟ ନେଇ ୨୦୧୪ ଅଗଷ୍ଟରେ ପୂର୍ବ ସରକାର ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ପରିକଳ୍ପନା କରିଥିଲେ । ପଶ୍ଚିମ ଓଡ଼ିଶା ଦେଇ ୬୫୦ କିଲୋମିଟର ରାସ୍ତା ପାଇଁ ୩ ହଜାର ୬୩୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା । ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାଠୁ ଆରମ୍ଭ ହୋଇଥିବା ରାସ୍ତା କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ଦେଇ କୋରାପୁଟର ଚାନ୍ଦିଲି ଯାଏଁ ଲମ୍ବିବ । ଉତ୍ତର ଓଡ଼ିଶାରୁ ରାସ୍ତା କାମ ସରିଲା ପରେ କଳାହାଣ୍ଡି ସୀମାନ୍ତ ଆମ୍ବପାଣି ଠାରେ କାମ ଅଟକିଯାଇଛି । ୧୦ ବର୍ଷ ହେଲାଣି ନବରଙ୍ଗପୁର ଜିଲ୍ଲା ସୀମା ମାଡ଼ିପାରୁନି । 

ରାସ୍ତାକୁ ନେଇ ରାଜନୀତି ବି ବେଶ୍‌ ସରଗରମ ହୋଇଛି । ବିଜେପି ସରକାରରେ ରାସ୍ତା କାମ ଶିଥିଳ ପଡ଼ିଥିବା କହିଛନ୍ତି ବିଜେଡି ବିଧାୟକ । ପାଲଟା ଜବାବରେ ବିଗତ ସରକାରଙ୍କ ଅମଳରୁ ହିଁ ପ୍ରକଳ୍ପ ଆଗେଇପାରୁନଥିବା କହିଛନ୍ତି ବିଜେପି ବିଧାୟକ । ଅପରପକ୍ଷରେ ଉଭୟ ଦଳ ନିଜ ବିଫଳତାକୁ ଘଣ୍ଟ ଘୋଡ଼ାଇବା ପାଇଁ ପରସ୍ପର ଉପରକୁ କାଦୁଅ ଫିଙ୍ଗୁଛନ୍ତି । ସେମାନେ ସେଥିରୁ ନିବୃତ ରହି ବିଜୁ ଏକ୍ସପ୍ରେସ ୱେ କାମ ଉପରେ ଧ୍ୟାନ ଦିଅନ୍ତୁ । ନଚେତ୍‌ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ । ସମସ୍ତ ଦ୍ଵନ୍ଦ୍ବ ଦୂର କରି ବିଜୁ ଏକ୍ସପ୍ରେସ ୱେ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ଉଚିତ । ନହେଲେ ନବରଙ୍ଗପୁର ଭଳି ଉପାନ୍ତ ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ଏହି ଆର୍ଥିକ କରିଡରର ସୁନେଲି ସ୍ୱପ୍ନ ଏକ ପ୍ରତାରଣା ପାଲଟିଯିବ ।