କନକ ବ୍ୟୁରୋ: ମଣ୍ଡିରେ ଯାଞ୍ଚ ହେବ ଧାନ । FAQ ମାନର ଧାନ ହେଲେ ମିଳିବ ଅଧିକ ସହାୟକ ମୂଲ୍ୟ । ଉପଯୁକ୍ତ ପାଉଣା ଆଶାରେ ଜାତୀୟ ରାଜପଥକୁ ଭରସା କରିଛନ୍ତି କଳାହାଣ୍ଡି ଜିଲ୍ଲାର ଚାଷୀ । ପିଚୁର ଡହଡହ ତାତି ରକ୍ତକୁ ପାଣି କରି ପରିଶ୍ରମ ଜାରି ରଖିଛନ୍ତି । କାରଣ ଗାଁରେ ଖଳା ବା ପିଣ୍ଡି ନଥିବାରୁ ଜାତୀୟ ରାଜପଥରେ ଜୀବନକୁ ବାଜି ଲଗାଇଛନ୍ତି ।
ରାସ୍ତାକଡ଼ରେ ସୁଖୁଛି ଧାନ । ମଣ୍ଡିରେ ଏଫଏକ୍ୟୁ ମାନର ଧାନ ବିକିବା ପାଇଁ ଚାଷୀ ପରିଶ୍ରମ ଜାରି ରଖିଛନ୍ତି । କିଏ ଧାନ ଶୁଖାଉଛନ୍ତି ତ ଆଉ କିଏ ଧାନ ତୋଳୁଛନ୍ତି । ସଫା ଓ ଶୁଖା ଧାନର ସହାୟକ ମୂଲ୍ୟ ଅଧିକ ବୋଲି ସରକାର କହିବା ପରେ ରାଜରାସ୍ତାକୁ ଚାଲି ଆସିଛନ୍ତି ଚାଷୀ । କଳାହାଣ୍ଡିର ବିଜୁ ଏକ୍ସପ୍ରେସ ୱେ ଓ ଧର୍ମଗଡ଼ ଜୁନାଗଡ଼ ଜାତୀୟ ରାଜପଥକୁ ଖଳା ଭାବେ ବ୍ୟବହାର କରୁଛନ୍ତି ।
ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି ଅଧୀନରେ ରହିଛି ୩ଟି ବ୍ଲକ୍ । ଧାନ ଶୁଖାଇବା ଓ ବିକ୍ରି ପାଇଁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ପଣ୍ଡି ବା ଖଳା କରାଯାଇଛି । ଜୁନାଗଡ଼ ବ୍ଲକ୍ରେ ୨୯ଟି, ଗୋଲାମୁଣ୍ଡା ଓ ଧର୍ମଗଡ଼ରେ ୧୩ଟି ଲେଖାଏଁ ପିଣ୍ଡି ନିର୍ମାଣ କରାଯାଇଛି । ଯାହା ପର୍ଯ୍ୟାପ୍ତ ନୁହେଁ । ଆବଶ୍ୟକତାଠାରୁ କମ୍ ସଂଖ୍ୟକ ପିଣ୍ଡି ଥିବାରୁ ଚାଷୀ କଷ୍ଟ ଉପାର୍ଜିତ ଫସଲର ଉଚିତ ମୂଲ୍ୟ ପାଇବା ଆଶାରେ ଜୀବନକୁ ବାଜିରେ ଲଗାଇ ଦେଇଛନ୍ତି ।
ବିଜୁ ଏକ୍ସପ୍ରେସ ୱେ ଓ ଧର୍ମଗଡ଼ ଜୁନାଗଡ଼ ଜାତୀୟ ରାଜପଥରେ ଅହରହ ଗାଡ଼ି ଚଳାଚଳ କରୁଛି । ବସ, ଟ୍ରକ ସମେତ ଅନ୍ୟ ଗାଡ଼ିଗୁଡ଼ିକ ଖୁବ୍ ଜୋରରେ ଚାଲିଥାଏ । ଯଦି ଦୁର୍ଭାଗ୍ୟବଶତଃ ଗାଡ଼ି ଚାଳକ ଅନ୍ୟମନସ୍କ ହୁଅନ୍ତି, ତେବେ ଦୁର୍ଘଟଣା ଜନିତ ଅଘଟଣ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।