କନକ ବ୍ୟୁରୋ: ବ୍ରହ୍ମପୁର ଆଇନଜୀବୀ ତଥା ବିଜେପିର ସକ୍ରିୟ ସଦସ୍ୟ ପୀତବାସ ପଣ୍ଡାଙ୍କ ମୃତ୍ୟୁ ସମ୍ପର୍କରେ କହିବାକୁ ଯାଇ ନବ ଦାସଙ୍କ ହତ୍ୟା କଥା ମନେ ପକାଇଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । କହିଲେ, ସବୁ ରାଜନୈତିକ ବ୍ୟକ୍ତି କୌଣସି ଅପରାଧୀଙ୍କ ପ୍ରଶ୍ରୟ ନଦିଅନ୍ତୁ ।

Advertisment

ରାଜ୍ୟର ଆଇନ ଶୃଙ୍ଖଳାରେ ସୁଧାର ଆଣିବାକୁ ପ୍ରଶାସନକୁ ପରାମର୍ଶ ଦେଲେ ବିଜୟ ପଟ୍ଟନାୟକ। କହିଲେ, ପ୍ରତିପତ୍ତିଶାଳୀ ଲୋକଙ୍କ ଛତ୍ରଛାୟାତଳେ ବିଭିନ୍ନ ଅନୈତିକ ଘଟଣା ଘଟୁଛି । ଅପରାଧୀ ନିର୍ଭର ଘୁରି ବୁଲୁଛନ୍ତି । ଭଗବାନଙ୍କ ଆଶୀର୍ବାଦ ରହୁ ଓଡ଼ିଶାରେ ଭାଇଚାରା ଫେରିଆସୁ । ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଯାଉଛି,  ଲାଗୁଛି ଦୁର୍ବୃତ୍ତମାନଙ୍କର ଆଇନ ପ୍ରତି ଟିକେ ବି  ଭୟ ନାହିଁ । ସେମାନେ ଜେଲ ଯାଇ ଫେରିଆସିବା ପରେ ଯଥା ପୂର୍ବଂ ତଥା ପରଂ । ଲେକଙ୍କୁ ପୁଣି ଡରାଉଛନ୍ତି ଧମକାଉଛନ୍ତି । 

ଏସବୁ ରୋକିବାକୁ ସେ ସବୁ ଦଳକୁ ଅନୁରୋଧ କରିଛନ୍ତି । କହିଛନ୍ତି,  କୌଣସି ଦଳ ଦୁର୍ବୃତ୍ତ ମାନଙ୍କୁ ସ୍ଥାନ ଦିଅନ୍ତୁ ନାହିଁ । ରାଜନୈତିକ ବ୍ୟକ୍ତିମାନେ ଘଣ୍ଟ ଘୋଡାଉଥିବା କାରଣରୁ ଏଭଳି ଘଟଣା ଘଟୁଛି । ରାଜନୈତିକ ବ୍ୟକ୍ତି କିମ୍ବା ଶାସନରେ ଥିବା ଲୋକଙ୍କ ପୃଷ୍ଠପୋଷକତା ବିନା ଏସବୁ ଘଟଣା ଘଟିବା ସମ୍ଭବ ନୁହେଁ । ଏହି ଘଟଣାକୁ ସମାପ୍ତ କରିବାକୁ ହେଲେ ସବୁ ଦଳକୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ । ସବୁ ଦଳ ଏଥିରୁ କ୍ଷାନ୍ତ ରୁହନ୍ତୁ ଏବଂ ଏଭଳି ଦୁର୍ବୃତ୍ତ ତଥା କ୍ରିମିନାଲ ମାନଙ୍କୁ ଘଣ୍ଟ ଘୋଡାନ୍ତୁ ନାହିଁ ତେବେ ଯାଇ ଅପରାଧ କମିବ । 

ଅନ୍ୟପଟେ ଚାକିରି ସ୍କାମ୍ ଏକ ଯୋଜନାବଦ୍ଧ ଅପରାଧ ବୋଲି ସେ କହିବା ସାଙ୍ଗକୁ କହିଛନ୍ତି ସରକାରୀ ସହାୟତା ନମିଳିଲେ ଏଭଳି ରାକେଟ୍ ଚାଲିବ ନାହିଁ ବୋଲି କହିଛନ୍ତି । କ୍ରାଇମବ୍ରାଞ୍ଚ ଏହି ଘଟଣାର ସଠିକ ଅନୁସନ୍ଧାନ କରିବା ଆବଶ୍ୟକ । ଏ ପରୀକ୍ଷା ଦୁର୍ନୀତି ଦୀର୍ଘ ଦଶବର୍ଷ ହେଲା ହୋଇଚାଲିଛି । ପ୍ରଭାବଶାଳୀ ଲୋକଙ୍କ ଛତ୍ରଛାୟା ତଳେ ରହି ଏଭଳି ସ୍କାମ କରିବା ସାହସ ପାଉଛନ୍ତି । କଟକରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ପ୍ରସଙ୍ଗରେ ବି କହିଛନ୍ତି ବିଜୟ ପଟ୍ଟନାୟକ ।