କନକ ବ୍ୟୁରୋ : ଇଏ ଏମିତି ଜଣେ ରାଜନେତା  ଯାହାଙ୍କର କଥାରେ ଲୋକେ ହସି ହସି ବେଦମ ହୁଅନ୍ତି । ଆଉ ତାଙ୍କ ତୁଣ୍ଡ ବୋଲ ମାନେନା । ମୁଣ୍ଡର ଧଳା କେଶ, ବାକ୍‌ ଚାତୁରତା ପାଇଁ ତାଙ୍କୁ ସମସ୍ତେ ପସନ୍ଦ କରନ୍ତି । ବିହାର ରାଜନୀତିରେ ବିପ୍ଲବ ଆଣିଥିବା ନେତା, ପଛୁଆ ବର୍ଗ, ଦଳିତ ଲୋକଙ୍କର ଆୱାଜ ହୋଇଥିଲେ । ମଜାଳିଆ ଢଙ୍ଗରେ କଥା କହି ରାଜନୀତର ଦିଗ ପରିବର୍ତ୍ତନ କରିଦେଇଥିଲେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ମୁଖ୍ୟମନ୍ତ୍ରୀ ପଦ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହିଛନ୍ତି । କିନ୍ତୁ  ସର୍ବଦା ଜଣେ ସାଧାରଣ ରାଜନେତାର ଭାବମୂର୍ତ୍ତି ବଜାୟ ରଖିଛନ୍ତି ଲାଲୁ ।  ଲାଲୁ ୭୮ତମ ଜନ୍ମ ଦିନ  ପାଳନ କରିଛନ୍ତି ।  ୭୮ ତମ  ଜନ୍ମ ଦିନରେ  ନିଜ ବାସଭବନରେ ୭୮ ପାଉଣ୍ଡର କେକ୍‌ କାଟି ଜନ୍ମ  ଦିନ ପାଳିଛନ୍ତି ଲାଲୁ । 

Advertisment

ବିହାର ରାଜନୀତି ଏକ ନୂଆ ଦିଗ ଆଣିଦେଇଥିବା ଲାଲୁଙ୍କ ବିଷୟରେ କିଛି ରୋଚକ କଥା ଆଜି ଆସନ୍ତୁ ଜାଣିବା । କୁହାଯାଏ ଅନେକ ସଫଳ ବ୍ୟକ୍ତିଙ୍କର ଅତୀତ ବହୁତ କଷ୍ଟ ଦାୟକ । ସେହିମାନଙ୍କ ମଧ୍ୟରେ ଲାଲୁ ଯାଦବ କିଛି  ଭିନ୍ନ । ଲାଲୁଙ୍କ ଜୀବନ ବେଶ ସଙ୍ଘର୍ଷପୂର୍ଣ୍ଣ ଥିଲା । ବିହାରର ଏକ ଛୋଟ ଗାଁ ଫୁଲବରିଆରେ ଜନ୍ମ ଲାଲୁଙ୍କର । ରାଜନୈତିକ ପରିବାର ନଥିଲା, ଆର୍ଥିକ ଅନାଟନରେ ବୁଡିଥିଲା ପରିବାର । ସେ ସମୟରେ  ଗୋଟିଏ ଛୋଟ ଚାକିରି ହୋଇଗଲେ ପରିବାରର ପ୍ରତିପୋଷଣ ହୋଇପାରିବ ବୋଲି ଚିନ୍ତାକରି ଚାକିରିର ତଲାସ୍‌ରେ ଥାଆନ୍ତି ଲାଲୁ । ସେନେଇ ବିଭିନ୍ନ ଯାଗାରେ ସାକ୍ଷାତକାର ମଧ୍ୟ ଦେଉଥିଲେ ଲାଲୁ । ପୁଲିସ୍‌ରେ ଭର୍ତ୍ତି ହେବା ପାଇଁ ଲାଲୁଙ୍କ ଖୁବ୍‌ ଇଚ୍ଛା ଥିଲା । କିନ୍ତୁ ଭାଗ୍ୟ ଦେଲାନି ସାଥ୍‌ । ପୁଲିସ୍‌ ଚାକିରିରେ ସିଲେକ୍ସନ ହୋଇନଥିଲେ ଲାଲୁ । ପୁଲିସ୍‌ ହେବାର ସ୍ବପ୍ନ  ଲାଲୁଙ୍କର ଅଧାରୁ ଭାଙ୍ଗିଥିଲା । କିନ୍ତୁ ଛାତ୍ରନେତା ଭାବେ ଖୁବ୍‌ ପରିଚିତ ଥିଲେ  ଲାଲୁ।  ହେଲେ ସ୍ବପ୍ନ  ଥିଲା ଜଣେ ପୁଲିସ୍‌  କର୍ମଚାରି ହେବା ପାଇଁ । ଚାକିରି ସନ୍ଧାନରେ ଲାଗିପଡିଥିଲେ ସେ, ଯେଉଁଥି ପାଇଁ ଛାତ୍ର ରାଜନୀତିରୁ ଦୂରତା ବଜାୟ ରଖିଥିଲେ। କିନ୍ତୁ ଭାଗ୍ୟ କିଛି ଅଲଗା ଚାହୁଥିଲା । ତତ୍କାଳୀନ ଶକ୍ତିଶାଳି ନେତା ନରେନ୍ଦ୍ର ସିଂହ ନିଜର ହିତ ପାଇଁ  ଲାଲୁଙ୍କୁ ରାଜନୀତିକୁ ଟାଣି ଆଣିଲେ ।  

ଏହା ପରେ ଲାଲୁ ଯାଦବ ବିହାରର ଏକ ବ୍ରାଣ୍ଡ୍‌ ପାଲଟିଗଲେ । ନିଜର ମଜାଳିଆ କାର୍ଯ୍ୟକଳାପ, ମଜାଳିଆ କଥାବାର୍ତ୍ତା ବିହାରର ଜନତାଙ୍କ ମନ ଜିତିଥିଲା । ଏଇଥି ପାଇଁ ଖୁବ୍‌ଶୀଘ୍ର ଲୋକଙ୍କ ହୃଦୟରେ ରାଜ୍‌ କରିଲେ ଲାଲୁ । ଲୋକପ୍ରିୟତା ସାଉଣ୍ଟିବା ସହ ନିଜର ଏକ ସ୍ବତନ୍ତ୍ର ଭାବମୂର୍ତ୍ତି ଗଢିଥିଲେ ଏହି ନେତା । ପାନ ଖାଇବାକୁ ଖୁବ୍‌ ପସନ୍ଦ କରିଥାନ୍ତି ଲାଲୁ ପ୍ରସାଦ ଯାଦବ । ପାନ ନେଇ କେବେ ପାକିସ୍ତାନ ଯାଇଥିଲେ ତ ଆଉ କେବେ ଛତୁଆ ନେଇ ଆମେରିକା ଏବଂ ଏହା ସାଧାରଣ ଜନତାଙ୍କ ହୃଦୟରେ ଅନୁଭବ କରାଇଥିଲେ  ମୁଁ ବି ଆପଣଙ୍କ ପରି ଜଣେ ସାଧାରଣ ମଣିଷ । ସେଥିପାଇଁ  ଅନେକ ରାଜନେତାଙ୍କ ଠାରୁ ଲାଲୁ ଯାଦବ ନିଆରା ।