କନକ ବ୍ୟୁରୋ: ବିହାରରୁ ଗର୍ଜିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରକୁ ବଡ଼ ଉପହାର ଦେବା ସହିତ ୧୩ ହଜାର କୋଟି ଟଙ୍କାର ବିକାଶ ପରିଯୋଜନା ଆରମ୍ଭ କରିଛନ୍ତି । ଏହାସହ ସେଠାରେ ମୋଦୀ ଦୁଇଟି ଟ୍ରେନର ମଧ୍ୟ ଶୁଭାରମ୍ଭ କରିଛନ୍ତି । ତେବେ ଏହି ସମୟରେ ମୋଦୀ ନିଜର ଅଭିଭାଷଣରେ ଯାହା କହିଛନ୍ତି, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । 

Advertisment

ମୋଦୀ କହିଛନ୍ତି, ମୋତେ ଲୋକଙ୍କର ସେବକ ହେଇ କାମ କରିବାକୁ ଖୁସି ଲାଗେ । ଏହାସହ ନୂଆ ନିୟମରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଆଇନର ପରିସରଭୁକ୍ତ ରହିବେ । ଯଦି ସେମାନେ ୩୦ ଦିନରୁ ଅଧିକ ଦିନ ଜେଲରେ ରହୁଛନ୍ତି, ତେବେ ସେମାନଙ୍କୁ ପଦ ଛାଡ଼ିବାକୁ ପଡ଼ିବ ବୋଲି ମୋଦୀ କହିଛନ୍ତି । ଏହାସହ ଜେଲରେ ରହି ସରକାର ଚଲାଇବାର କୌଣସି ଅଧିକାର ନାହିଁ । ଯିଏ ବି ଜେଲ୍ ଯିବ, ସେ ଚୌକି ଛାଡ଼ିବ ବୋଲି ମୋଦୀ କହିଛନ୍ତି ।

ମୋଦୀ ଆହୁରି ମଧ୍ୟ କହିଥିଲେ ଯେ, ମୋର ସଙ୍କଳ୍ପ ହେଉଛି ପ୍ରତିଟି ଲୋକକୁ ପକ୍କା ଘର ଯୋଗାଇ ଦେବା । ଏହି ଚିନ୍ତାଧାରାକୁ ନେଇ ଗତ ୧୧ ବର୍ଷରେ ୪ କୋଟି ଗରିବ ଲୋକଙ୍କ ମୁଣ୍ଡ ଉପରେ କେନ୍ଦ୍ର ସରକାର ଛାତ ଯୋଗାଇ ଦେଇଛନ୍ତି ବୋଲି ମୋଦୀ କହିଥିଲେ । ଏହାସହ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ, କେବଳ ବିହାରର ଲୋକଙ୍କୁ  ୩୮ ଲକ୍ଷରୁ ଅଧିକ ଘର ମିଳିଛି ବୋଲି ମୋଦୀ କହିଛନ୍ତି ।

ଆଗକୁ ବିହାରରେ ବିଧାନସଭା ନିର୍ବାଚନ ଅଛି । ଗୋଟିଏ ରାହୁଲ ବିହାରରେ ଭୋଟ୍ ଅଧିକାର ଯାତ୍ରା କରୁଛନ୍ତି, ଆଉ ଅନ୍ୟପଟେ ମୋଦୀଙ୍କର ବିହାର ଗସ୍ତ ରାଜନୀତିକୁ ସରଗରମ କରିଛି । ଖାସ୍ କରି ନିର୍ବାଚନ ପୂର୍ବରୁ ମୋଦୀ ବିହାର ପାଇଁ ଖୋଲିଛନ୍ତି ପେଡ଼ି ।