କନକ ବ୍ୟୁରୋ : ବିହାର ଭୋଟର ତାଲିକା ସର୍ବେକ୍ଷଣ ମାମଲାରେ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟ ବଡ଼ ଆଶ୍ୱସ୍ତି ଦେଇଛନ୍ତି । କୋର୍ଟଙ୍କ ଶୁଣାଣି ପରେ ଏବେ ବିହାରରେ ଭୋଟଦାତା ସର୍ବେକ୍ଷଣ ଜାରି ରହିବ । ଏନେଇ ଆରଜେଡି ନେତା ମନୋଜ ଝାଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ ନିର୍ବାଚନ ଆୟୋଗଙ୍କ କାମରେ ହସ୍ତକ୍ଷେପ କରିବେ ନାହିଁ ବୋଲି ମନା କରିଛନ୍ତି । ଏହାସହ ଭୋଟଦାତା ସର୍ବେକ୍ଷଣ ଦ୍ୱାରା ଦେଶର ଗଣତନ୍ତ୍ର ମଜବୁତ ହେବ ବୋଲି କୋର୍ଟ କହିଛନ୍ତି ।
ଏହି ମାମଲାରେ ଅଭିଯୋଗକାରୀଙ୍କ ପକ୍ଷରୁ ଲଢୁଥିବା ଓକିଲ କପିଲ୍ ଶିବଲ କୋର୍ଟରେ ଯୁକ୍ତି ବାଢିଥିଲେ କି ନାଗରିକ ପ୍ରମାଣପତ୍ରରେ ଭୋଟର କାର୍ଡ, ଆଧାର କାର୍ଡ ଓ ରାସନ କାର୍ଡକୁ ସାମିଲ କରାନଯିବା ନେଇ ପ୍ରଶ୍ନ ଉଠାଇଥିଲେ । ହେଲେ ନିର୍ବାଚନ ଆୟୋଗଙ୍କ ତରଫରୁ ଲଢୁଥିବା ଓକିଲ କହିଥିଲେ କି ସୁପ୍ରିମକୋର୍ଟଙ୍କ ରାୟ ମୁତାବକ ଆଧାର କାର୍ଡ କେବଳ ପରିଚୟ ପତ୍ର, ଏହା କାହାକୁ ନାଗରିକତା ପ୍ରଦାନ କରେନାହିଁ । ହେଲେ ନାଗରିକତା ପ୍ରଦାନ ବେଳେ ପ୍ରମାଣ ଭାବେ ରାସନ କାର୍ଡ ଓ ଭୋଟର ଆଇକାର୍ଡକୁ ସାମିଲ କରିବାକୁ ନିର୍ବାଚନ କମିସନରଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଚଳିତମାସ ୨୮ ତାରିଖରେ ପୁଣି ହେବ ।