କନକ ବ୍ୟୁରୋ: ଜାରି ହୋଇଯାଇଛି ବିହାର ନିର୍ବାଚନ ପାଇଁ ମତଦାତା ତାଲିକା । ବିହାରରେ ୨୦୨୫ ବିଧାନସଭା ନିର୍ବାଚନ ପାଇଁ ନୂଆ ମତଦାତା ତାଲିକା ପ୍ରକାଶ ପାଇଛି । ଏଥିରେ ମୋଟ ୭ କୋଟି ୪୨ ଲକ୍ଷ ମତଦାତାଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି । ଏସ୍ଆଇଆର୍ ପ୍ରକ୍ରିୟାରେ ପ୍ରାୟ ୬୮ ଲକ୍ଷ ନାମ କଟାଯାଇଛି, ସେହିପରି ୨୧ ଲକ୍ଷ ୫୩ ହଜାର ନୂଆ ମତଦାତା ଯୋଡ଼ାଯାଇଛନ୍ତି । ମତଦାନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ସଠିକତା ପାଇଁ ଏଭଳି କରାଯାଇଥିବା ସୂଚନା ଦେଇଛି ନିର୍ବାଚନ ଆୟୋଗ ।
କଟିଲା ନାଁ, ତେଜିଲା ରାଜନୀତି
ବିହାର ବିଧାନସଭା ନିର୍ବାଚନ ପାଇଁ ନୂଆ ମତଦାତା ତାଲିକା ଜାରି ହୋଇଛି । ୬୮ ଲକ୍ଷ ମତଦାତାଙ୍କ ନାଁ କଟିଲା । ମୃତ୍ୟୁ, ସ୍ଥାନାନ୍ତର ଓ ଡୁପ୍ଲିକେଟ୍ ପାଇଁ ଏମାନଙ୍କ ନାଁ କଟିଲା । ଏହା ସହିତ ଭୋଟର ଲିଷ୍ଟରେ ୨୧ ଲକ୍ଷ ୫୩ ହଜାର ନୂଆ ନାଁ ସାମିଲ ହୋଇଛି । ମତଦାତାଙ୍କ ମୃତ୍ୟୁ ଯୋଗୁଁ ୨୨ ଲକ୍ଷ ନାମ କଟାଯାଇଛି । ସ୍ଥାନାନ୍ତର ପାଇଁ ୩୬ ଲକ୍ଷ ବ୍ୟକ୍ତିଙ୍କର ନାମ ହଟାଯାଇଛି । ଡୁପ୍ଲିକେଟ୍ ପାଇଁ ୭ ଲକ୍ଷ ନାମ ସଂଶୋଧନରେ କଟାଯାଇଛି ।
ବିରୋଧୀ ଲଗାଇଲେ ଅବହେଳା ଅଭିଯୋଗ
ଗରିବ ଓ ଓବିସିଙ୍କୁ ବାଦ୍, ଭୋଟ୍ ଚୋରି ଦାବି
ବିହାର ଭୋଟର ତାଲିକା ଆସିବା ପରେ ଏହାକୁ ନେଇ ତେଜିଛି ରାଜନୀତି । ବିରୋଧୀ କଂଗ୍ରେସ ଓ ଆରଜେଡି ପୁଣିଥରେ ଭୋଟ୍ ଚୋରି ଅଭିଯୋଗ ଆଣିଛନ୍ତି । ଗରିବ ଓ ପଛୁଆ ବର୍ଗଙ୍କ ନାଁ କଟାଯାଇଥିବା କହିଛି କଂଗ୍ରେସ । ଯାହାର ଜବାବ ରଖିଛି ଏନ୍ଡିଏ । ଆସନ୍ତା ମାସରେ ଆସିପାରେ ବିହାର ନିର୍ବାଚନ ନେଇ ଚୂଡ଼ାନ୍ତ ତାରିଖ । କିନ୍ତୁ ଏହା ପୂର୍ବରୁ ନିର୍ବାଚନ ଆୟୋଗର ଭୂମିକାକୁ ନେଇ ସନ୍ଦେହ ପ୍ରକାଶ କରିଛି ବିରୋଧୀ ମେଣ୍ଟ । ସେପଟେ ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ରଖାଯିବା ନେଇ ଦାବି କରିଛି ଏନ୍ଡିଏ ମେଣ୍ଟ ।