କନକ ବ୍ୟୁରୋ : ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ସେମାନଙ୍କର ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । କେମିତି ଲୋକଙ୍କ ନିକଟତର ହେବେ, କେମିତି ଲୋକଙ୍କ ବିଶ୍ୱାସ ଜିତିବେ ସେନେଇ ଜୋରଦାର ପ୍ରୟାସ କରୁଛନ୍ତି । ଏହାରି ଭିତରେ କିନ୍ତୁ ପରସ୍ପରକୁ ଟାର୍ଗେଟ୍ କରିବାର କୌଣସି ସୁଯୋଗ ହାତଛଡା କରୁନାହାନ୍ତି ନେତା । ଏପରିକି ବିହାରରେ ଏବେ ପୋଷ୍ଟର ୱାର ଦେଖିବାକୁ ମିଳିଛି । ଜେଡିୟୁ କର୍ମୀମାନେ ଏକ ପୋଷ୍ଟର ଜାରି କରିଛନ୍ତି । ପୋଷ୍ଟରରେ ଲେଖାଯାଇଛି, "ବିହାର ଜଙ୍ଗଲ ରାଜର ଅତ୍ୟାଚାରକୁ କେବେ ଭୁଲିପାରିବ ନାହିଁ"। ପୋଷ୍ଟରରେ ଏକ ସ୍କାନର ମଧ୍ୟ ଦିଆଯାଇଛି, ଯାହାକୁ ସ୍କାନ୍ କଲେ ଆରଜେଡି ଶାସନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ ସୂଚନା ମିଳିବ ।

Advertisment

ନୂତନ ପିଢ଼ି ସଚେତନ ହେବା ଉଚିତ
ଏହି ପୋଷ୍ଟର ସମ୍ପର୍କରେ, ଜେଡିୟୁ ମୁଖପାତ୍ର ନୀରଜ କୁମାର ଆଜି ତାଙ୍କର ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ସେ କହିଛନ୍ତି, "ପୋଷ୍ଟରଟି କିଏ ଲଗାଇଛି ସେ ବିଷୟରେ କୌଣସି ଆନୁଷ୍ଠାନିକ ସୂଚନା ନାହିଁ, କିନ୍ତୁ ସତ କଥା ହେଉଛି ନୂତନ ପିଢ଼ି ସଚେତନ ହେବା ଉଚିତ । ଲାଲୁବାଦ ବିଚାରଧାରା ଯୋଗୁଁ ବିହାର ସାମାଜିକ ଏବଂ ରାଜନୈତିକ ସଙ୍କଟ ଭୋଗ କରିଛି । ବିହାରର ମଥାରେ ଏକ କଳଙ୍କ ଲାଗିଛି । ପୋଷ୍ଟରରେ ଥିବା ସ୍କାନରକୁ ସ୍କାନ କଲେ, ଆରଜେଡି ଶାସନର ମୁଖା ଖୋଲିଯିବ । ଏହା ବିହାରର ନୂତନ ପିଢ଼ି ପାଇଁ ଆବଶ୍ୟକ ।"

ଆରଜେଡି ବି ଲଗାଇଥିଲା ପୋଷ୍ଟର 
ମଙ୍ଗଳବାର ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ୱାକଫ ଏବଂ ଏନଆରସିକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରି ଏକ ପୋଷ୍ଟର ଲଗାଯାଇଥିଲା । ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଫଟୋ ମଧ୍ୟ ଥିଲା । ସେଥିରେ ଲେଖାଯାଇଥିଲା, "ତୁମେ ଜଣେ ଧୋକେବାଜ୍, ପ୍ରତିଶ୍ରୁତି ଦେଇ ଭୁଲିଯିବା ତୁମର ଅଭ୍ୟାସ । ଆମେ NRCରେ ତୁମ ସହିତ ନାହୁଁ । ଆମେ ତୁମକୁ ୱାକଫରେ ଆଦୌ ସମର୍ଥନ କରିବୁ ନାହିଁ । ତୁମ ଭୋଟ ନେବୁ କିନ୍ତୁ ତୁମକୁ ସମର୍ଥନ କରିବୁ ନାହିଁ । ଯାହାକୁ ନେଇ ବିହାର ରାଜନୀତି ସରଗରମ ହୋଇପଡିଛି ।