କନକ ବ୍ୟୁରୋ: କୁହାଯାଏ ବିହାର ରାଜନୀତିକୁ ବୁଝିବା, ପଶାପାଲିକୁ ବୁଝିବାଠୁ ବି ଆହୁରି ଅଧିକ କଷ୍ଟକର । ଏଠି କେଇ ମିନିଟ୍ ଭିତରେ ସତ୍ତା ବଦଳିଯାଏ, ଆଉ କେଇ ଘଣ୍ଟା ଭିତରେ ମୁଖ୍ୟମନ୍ତ୍ରୀ ଦଳ ବଦଳାଇ ଦିଅନ୍ତି । ଆଉ ଯେତେବେଳେ ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ସେତେବେଳେ ଏହା ପୂର୍ବରୁ ବିହାର ରାଜନୀତି ସରଗରମ ରହିବା ଏକ ସାଧାରଣ କଥା । ହେଲେ ଚର୍ଚ୍ଚାର ବିଷୟ ଏହି କି ଯେ, ବିହାର ରାଜନୀତିର ଏ ଚର୍ଚ୍ଚାରେ କିଏ ସାଜିବ ବିରୋଧୀଙ୍କ କେନ୍ଦ୍ରବିନ୍ଦୁ? କିଏ ବିରୋଧୀଙ୍କ ନେତା ହେବ? କିଏ ନୀତିଶ ସରକାର ବିରୋଧରେ ଇଣ୍ଡିଆ ମେଣ୍ଟର ସାରଥୀ ସାଜିବ? ତାହା ହିଁ ସବୁଠୁ ବଡ଼ ପ୍ରଶ୍ନ ଚିହ୍ନ ।
ଆପଣ ଭାବୁଥିବେ, ବିହାରରେ ବିରୋଧୀ ଚେହେରା ଭାବେ ତେଜସ୍ୱୀ ଯାଦବ ଥିଲାବେଳେ, ବିରୋଧୀ ଦଳର ଚେହେରା କିଏ ହେବ, ତାକୁ ନେଇ ଏତେ ଚର୍ଚ୍ଚା କାହିଁକି? ହେଲେ ଅସଲ କଥା ହେଉଛି, ତେଜସ୍ୱୀ ଯାଦବଙ୍କୁ ନେଇ ଇଣ୍ଡିଆ ମେଣ୍ଟରେ ଅଙ୍କ ଛିଡୁନି । ଖାସ୍ କରି କଂଗ୍ରେସ ଓ ବାମ ଦଳ ତେଜସ୍ୱୀଙ୍କ ନାଁକୁ ନେଇ ସହମତି ପ୍ରକାଶ କରୁନଥିବାବେଳେ, ଏବେ ବିହାରରେ ଇଣ୍ଡିଆ ମେଣ୍ଟର ଚେହେରା କିଏ ହେବ, ତାକୁ ନେଇ ଚର୍ଚ୍ଚା ବଢ଼ିଛି ।
ବିହାରରେ ଆରଜେଡି, କଂଗ୍ରେସ, ସିପିଆଇ(ML),ବାମପନ୍ଥୀ ଦଳ ଆଉ ମୁକେଶ ସହନୀଙ୍କ ବିଆଇପିକୁ ନେଇ ଇଣ୍ଡିଆ ମେଣ୍ଟ ରହିଛି । ଯିଏକି ଲାଲୁ ଯାଦବଙ୍କ ଦଳ ଆରଜେଡି ନେତୃତ୍ୱରେ ନିର୍ବାଚନୀ ମୈଦାନକୁ ଓହ୍ଲାଇବାକୁ ପୂରା ପ୍ରସ୍ତୁତ । ହେଲେ ଆରଜେଡି ନେତୃତ୍ୱରେ ନିର୍ବାଚନ ଲଢ଼ିବାକୁ ରାଜି ଥିଲେ ବି, ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ନେତା ମାନିବାରେ କିନ୍ତୁ ଇଣ୍ଡିଆ ମେଣ୍ଟର ନେତା ରାଜି ନୁହନ୍ତି । ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିବା ନେଇ ଇଣ୍ଡିଆ ମେଣ୍ଟର ଅନେକ ଥର ବୈଠକ ବସିସାରିଲାଣି, ହେଲେ ଫଳ କିନ୍ତୁ ଶୂନ । ଏବେ ବି ବିହାରରେ ବିରୋଧୀଙ୍କ ସିଏମ୍ ଚେହେରା କିଏ ହେବ ସେନେଇ ଅଙ୍କ ଛିଡ଼ିପାରୁନି ।
ଲୋକପ୍ରିୟତାରେ ତେଜସ୍ୱୀ ଆଗୁଆ, ହେଲେ ଅଙ୍କ କିନ୍ତୁ ଛିଡୁନି
ଇଣ୍ଡିଆ ଟୁଡେ-ସି ଭୋଟର ସର୍ଭେ ମୁତାବକ, ଆରଜେଡି ନେତା ତେଜସ୍ୱୀ ଯାଦବ ଲୋକପ୍ରିୟତାରେ ସବୁଠୁ ଆଗରେ ରହିଛନ୍ତି । ମେ’ ମାସରେ ହୋଇଥିବା ସର୍ଭେ ଅନୁସାରେ ବିହାରରେ ପାଖାପାଖି ୩୬.୯ % ଲୋକ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛନ୍ତି । ସେହିପରି ଏହି ସର୍ଭେ ମୁତାବକ, ୧୮.୪ % ଲୋକ ନୀତିଶଙ୍କୁ ଆଉ ୧୦.୬% ଏଲଜେପି ନେତା ଚିରାଗ ପାସଓ୍ୱାନଙ୍କୁ ଏବଂ ୬.୬% ଲୋକ ବିଜେପି ନେତା ସମ୍ରାଟ ଚୌଧୁରୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛନ୍ତି । ତେଣୁ ଲୋକପ୍ରିୟତାକୁ ଦେଖିଲେ ତେଜସ୍ୱୀ ଯାଦବ ଅନ୍ୟ ନେତାଙ୍କଠୁ ବହୁତ ଆଗରେ ରହିଛନ୍ତ ।
କଂଗ୍ରେସ-ବାମ ଦଳର ମନ ବଦଳିବ କି?
ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କଲେ, ଇଣ୍ଡିଆ ମେଣ୍ଟ ଫାଇଦାରେ ରହିବ । ହେଲେ କଂଗ୍ରେସ ଆଉ ସିପିଆଇ(ଏମଏଲ) କିନ୍ତୁ ଏ କଥା ମାନିବାକୁ ନାରାଜ । ସିପିଆଇ ଏମଏଲର ନେତା ଦୀପାଙ୍କର ଭଟ୍ଟାଚାର୍ଯ୍ୟଙ୍କ କହିବା କଥା, ମହାମେଣ୍ଟରେ ସବୁଠୁ ଅଧିକ ସିଟ୍ ଜିତିଥିବା ଦଳର ନେତା ହିଁ ମୁଖ୍ୟମନ୍ତ୍ରୀ ହେବେ । ଆଉ କଂଗ୍ରେସର ମଧ୍ୟ ଏହି ପ୍ରସଙ୍ଗରେ ଅସମ୍ଭବ ନିରବତା ଦେଖିବାକୁ ମିଳୁଛି । ତେଣୁ କେଉଁଠି ନା କେଉଁଠି କଂଗ୍ରେସ ମଧ୍ୟ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିବାକୁ ଇଚ୍ଛା ନ ରଖିଥିବା ଭଳି ମନେହେଉଛି ।
ତେଜସ୍ୱୀଙ୍କୁ ନେଇ କଂଗ୍ରେସ ଏବଂ ସିପିଆଇ(ଏମଏଲ) ରାଜି ନହେବା ପଛରେ ଜାତି ସମୀକରଣ ହେଉଛି ପ୍ରମୁଖ କାରଣ । ଏହି ଦୁଇ ଦଳର କହିବା କଥା, ତେଜସ୍ୱୀଙ୍କ ଚେହେରାରେ ନିର୍ବାଚନ ଲଢ଼ିଲେ ଯାଦବଙ୍କୁ ଛାଡ଼ି ଅନ୍ୟ ଜାତିର ଭୋଟ ମିଳିବନି । ଆଉ ଏମିତି ହେଲେ ବିହାରରେ ସତ୍ତା ଦଖଲ କରିବା କଷ୍ଟକର ହୋଇଯିବ । ତେଣୁ ସବୁ ଜାତିର ଲୋକଙ୍କୁ ମହାମେଣ୍ଟ ସପକ୍ଷରେ ଆଣିବାକୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ନକରି, ନିର୍ବାଚନ ବୈତରଣୀକୁ ପାର୍ ହେବାକୁ ଲକ୍ଷ୍ୟ ରଖିଛନ୍ତି ବିରୋଧୀ ପକ୍ଷ ।
ଇଣ୍ଡିଆ ମେଣ୍ଟର ପ୍ଲାନ୍ ଦେବ କି ବିହାରର ସତ୍ତା?
ବିହାର ରାଜନୀତିକୁ ଦେଖୁଥିବା ଲୋକଙ୍କ କହିବା କଥା ହେଲା, ଏଥର ବିହାରରେ ଇଣ୍ଡିଆ ମେଣ୍ଟ ୨୦୨୪ର ଫର୍ମୁଲା ସହ ମୈଦାନକୁ ଓହ୍ଲାଇପାରେ । ୨୦୨୪ ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ ପ୍ରଧାନମନ୍ତ୍ରୀ ଚେହେରା ଘୋଷଣା ନ କରି ମୈଦାନକୁ ଓହ୍ଲାଇଥିଲା, ଆଉ ଠିକ ସେହି ଢଙ୍ଗରେ ବିହାରରେ ମଧ୍ୟ ଇଣ୍ଡିଆ ମେଣ୍ଟ ଏଥର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ନକରି ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଅଙ୍କ କଷୁଛି ।
ବିହାରରେ ଇଣ୍ଡିଆ ମେଣ୍ଟ ନିଜର ସମନ୍ୱୟ କମିଟି ଗଠନ କରିଛି, ଯାହାର ମୁଖ୍ୟ ଅଛନ୍ତି ତେଜସ୍ୱୀ ଯାଦବ । ଏହାସହ ତେଜସ୍ୱୀ ବିରୋଧୀ କ୍ୟାମ୍ପର ପୋଷ୍ଟର ବୟ ମଧ୍ୟ , ତେଣୁ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଯେତେ ଅଙ୍କ ଅଛିଣ୍ଡା ରହିଲେ ବି, ସେ ହିଁ ବିରୋଧୀ କ୍ୟାମ୍ପର ଚେହେରା ହେବେ ବୋଲି ରାଜନୈତିକ ପଣ୍ଡିତମାନେ ଭବିଷ୍ୟବାଣୀ କରୁଛନ୍ତି । ହେଲେ ଏ ଭବିଷ୍ୟବାଣୀ କେତେ ସତ ହେଉଛି, ଆଉ କେତେ ମିଛ ହେଉଛି, ତାହା ବିହାରର ଭୋଟର ହିଁ ଧାର୍ଯ୍ୟ କରିବେ ।