କନକ ବ୍ୟୁରୋ: ଏନ୍ଡିଏ ମେଣ୍ଟ ମଧ୍ୟରେ ଆସନ ବୁଝାମଣା ଆରମ୍ଭ ହୋଇନଥିଲେ ମଧ୍ୟ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ ପ୍ରଥମ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ଏଭଳି ଏକତରଫା ଘୋଷଣାକୁ ବିଜେପି ଏତେଟା ଗୁରୁତ୍ବ ଦେଇନି । ରାଜପୁର ବିଧାନସଭା କ୍ଷେତ୍ରରୁ ଜେଡିୟୁର ପୂର୍ବତନ ମନ୍ତ୍ରୀ ସନ୍ତୋଷ କୁମାର ନିରାଲା ପ୍ରତିଦ୍ବନ୍ଦ୍ବିତା କରିବେ । ବକ୍ସରଠାରେ ଆୟୋଜିତ ଏକ ସଭାରେ ବରିଷ୍ଠ ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଉପସ୍ଥିତିରେ ହିଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏଭଳି ଏକତରଫା ଘୋଷଣା କରିଛନ୍ତି ।
ଗତ ୨୦୨୦ ବିଧାନସଭା ନିର୍ବାଚନରେ ସନ୍ତୋଷ କୁମାର ନିରାଲାଙ୍କୁ କଂଗ୍ରେସର ବିଶ୍ବନାଥ ରାମ ୨୦ହଜାରରୁ ଊର୍ଦ୍ଧ୍ବ ଭୋଟରେ ହରାଇଥିଲେ । ବକ୍ସର ଲୋକସଭା ଆସନ ଅନ୍ତର୍ଗତ ରାଜପୁର ବିଧାନସଭା କ୍ଷେତ୍ର ଜେଡିୟୁର ଗଡ଼ ଭାବେ ପରିଚିତ । ଲଗାତାର ୨୦୦୫ରୁ ଜେଡିୟୁ ଏଠାରୁ ଜିତି ଆସୁଛି । ସନ୍ତୋଷ କୁମାର ମଧ୍ୟ ୨୦୧୦ ଓ ୨୦୧୫ରେ ନିର୍ବାଚିତ ହୋଇଥିଲେ । ୧୯୮୫ ପରେ ପ୍ରଥମ ଥର ପାଇଁ ୨୦୨୦ରେ କଂଗ୍ରେସ ଏହି ଆସନ କବ୍ଜା କରିଥିଲେ ।
ଆସନ୍ତା ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ଅନ୍ତର୍ଗତ ରାଜନୈତିକ ଗୁଡିକ ମଧ୍ୟରେ ଆସନ ବୁଝାମଣା ଆଲୋଚନ ଆରମ୍ଭ ହୋଇନାହି । ଏଭଳି ସମୟରେ ବିହାର ମୁଖ୍ୟମନ୍ତ୍ରୀଙ୍କ ରାଜପୁର ପାଇଁ ପ୍ରାର୍ଥୀ ଘୋଷଣା ଏକତରଫା ହୋଇଥିଲେ ମଧ୍ୟ ବିଜେପି ଏହାକୁ ପ୍ରସଙ୍ଗ କରିବାକୁ ଚାହୁନାହିଁ । ବିରୋଧୀ ଆର୍ଜେଡି ଓ କଂଗ୍ରେସ ତଥା ପ୍ରଶାନ୍ତ କିଶୋରଙ୍କ ଜନସୁରାଜର ଚ୍ୟାଲେଞ୍ଜକୁ ପ୍ରତିହତ କରିବା ପାଇଁ ବିଜେପି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ନିର୍ଭର କରୁଛି । ଏଭଳି ସ୍ଥଳେ ଗତ ବିଧାନସଭା ନିର୍ବାଚନରେ ଅଧିକ ଆସନ ଜିତିଥିଲେ ମଧ୍ୟ ଏପରିବି ବିଜେପିଠାରୁ ଜେଡିୟୁ ଅଧିକ ଆସନ ପ୍ରତିଦ୍ବନ୍ଦ୍ବିତା କଲେ କୌଣସି ଆଶ୍ଚର୍ଯ୍ୟଜନକ କଥା ହେବ ନାହିଁ ।