କନକ ବ୍ୟୁରୋ : ବିହାରରେ ଲଗାତାର ହତ୍ୟା ଘଟଣାକୁ ନେଇ ନୀତୀଶ କୁମାରଙ୍କ ସରକାରଙ୍କୁ ସମାଲୋଚନା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ । ଏବର୍ଷ ଶେଷ ଭାଗରେ ବିଧାନସଭା ନିର୍ବାଚନ ହେବାକୁ ଥିବା ସମୟରେ ଶାସକ ମେଣ୍ଟ ସାଥୀ ଚିରାଗଙ୍କ ଏଭଳି ସମାଲୋଚନା ନୀତୀଶ କୁମାରଙ୍କ ସରକାରଙ୍କୁ ହରଡ଼ଘଣାରେ ପକାଇଛି ।
ନିଜ ଦଳ ଏନ୍ଡିଏରେ ସାମିଲ ଥିଲେ ମଧ୍ୟ ଏଲ୍ଜେପି ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ବିହାର ସରକାରଙ୍କୁ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଘେରିବାକୁ ପଛାଇ ନାହାଁନ୍ତି । ଲଗାତାର ରାଜନୈତିକ ତଥା ଅନ୍ୟାନ୍ୟ ହତ୍ୟା ଘଟଣାକୁ ନେଇ ବିହାର ପୁଲିସର ପାରିବାପଣିଆ ଉପରେ ଚିରାଗ ପ୍ରଶ୍ନ ଉଠାଇଛନ୍ତି । ଚିରାଗଙ୍କ ଏଭଳି ସମାଲୋଚନା, ସ୍ୱାଭାବିକ ଭାବେ ବିରୋଧୀ ଇଣ୍ଡିମେଣ୍ଟକୁ ପ୍ରୋତ୍ସାହିତ କରୁଛି । ଆଇନଶୃଙ୍ଖଳା ପ୍ରସଙ୍ଗରେ ନୀତୀଶ କୁମାରଙ୍କୁ ଘେରୁଥିବା ବିରୋଧୀ ଆର୍ଜେଡି ଓ କଂଗ୍ରେସ ଏଥିପାଇଁ ଚିରାଗଙ୍କୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଫେରାଦ ହେବାକୁ ପରାମର୍ଶ ଦେଇଛି ।
ଶାସକ ଏନ୍ଡିଏ ମେଣ୍ଟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଏଲ୍ଜେପି ମୁଖ୍ୟ ଚିରାଗ ପାସ୍ୱାନଙ୍କ ମଧ୍ୟରେ ସମ୍ପର୍କ କାହାକୁ ଅଛପା ନୁହେଁ । ଗତ ବିଧାନସଭା ନିର୍ବାଚନ ସମୟରେ ଏଲ୍ଜେପି ଏନ୍ଡିଏ ପ୍ରାୟ ଶହେରୁ ଅଧିକ ଆସନରେ ପ୍ରାର୍ଥୀ ଦେଇଥିଲା । ଏଲ୍ଜେପି ମୁଖ୍ୟତ ଜେଡିୟୁ ଲଢ଼ୁଥିବା ସ୍ଥାନରେ ନିଜ ଦଳ ପ୍ରାର୍ଥୀଙ୍କୁ ଛିଡ଼ା କରାଇଥିଲା । ସେହି ନିର୍ବାଚନରେ ଜେଡିୟୁ ସର୍ବକାଳୀନ ଖରାପ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏଲ୍ଜେପିକୁ ଦାୟୀ କରିଥିଲେ । ତେଣୁ ଏଥରକ ବିଧାନସଭା ନିର୍ବାଚନରେ ଏଲ୍ଜେପିକୁ ଏନ୍ଡିଏ ମେଣ୍ଟରେ ସାମିଲ ସପକ୍ଷରେ ନୀତୀଶ ନାହାଁନ୍ତି ।
ମାତ୍ର ଗତ ନିର୍ବାଚନରେ ଅଳ୍ପ ବ୍ୟବଧାନରେ ସରକାର ଗଠନ ହୋଇଥିବାରୁ ଏଥରକ ବିଜେପି କୌଣସି ରିସ୍କ ନେବାକୁ ଚାହୁନାହିଁ । ଯାହାଫଳରେ ଏଲ୍ଜେପିକୁ ଏନ୍ଡିଏ ମେଣ୍ଟରେ ସମ୍ମାନଜନକ ଆସନ ପାଇବାକୁ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଲଗାତାର ନୀତୀଶ କୁମାରଙ୍କୁ ସମାଲୋଚନା କରୁଛନ୍ତି । ଯାହାଫଳରେ ନିର୍ବାଚନର ଯଥେଷ୍ଟ ପୂର୍ବରୁ ଶାସକ ମେଣ୍ଟର ଦୁଇ ଦଳ ମଧ୍ୟରେ ବିବାଦ ପଦାରେ ପଡ଼ିଛି ।