କନକ ବ୍ୟୁରୋ : ଦୁଇ ଦିନିଆ ବିହାର ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗତକାଲି ପାଟନାରେ ଏକ ବିଶାଳ ରାଲିର ଆୟୋଜନ ହୋଇଥିଲା । ଏହା ପରେ, ପ୍ରଧାନମନ୍ତ୍ରୀ ମୋଦୀ ବିହାରର ବିଜେପି ରାଜ୍ୟ ମୁଖ୍ୟାଳୟରେ ପ୍ରାୟ ଏକ ଘଣ୍ଟା ଧରି ଦଳୀୟ ନେତା ଏବଂ କର୍ମୀମାନଙ୍କ ସହ ଆଲୋଚନା କରିଥିଲେ । ସେହି ଆଲୋଚନା ସାମାନ୍ୟ ନ ଥିଲା । ଏହା ଥିଲା ଚଳିତ ବର୍ଷ ଶେଷରେ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜୟର ଗୁରୁମନ୍ତ୍ର । ସାଂସଦ, ବିଧାୟକ ଏବଂ କର୍ମୀମାନେ କିପରି ନିର୍ବାଚନ ଜିତିବେ ତାହାର ଗୁରୁମନ୍ତ୍ର ଦେଇଥିଲେ ମୋଦୀ । ନିର୍ବାଚନ ଜିତିବା ପାଇଁ କେଉଁ ରଣନୀତି ବ୍ୟବହାର କରାଯିବା ଉଚିତ ତାହା ମଧ୍ୟ କହିଥିଲେ । 

Advertisment

ବିହାର ନିର୍ବାଚନ ଜିତିବା ପାଇଁ ମୋଦୀଙ୍କ ଗୁରୁମନ୍ତ୍ର

  • ଧୈର୍ଯ୍ୟ ରଖିବା ଦ୍ୱାରା ସଫଳତା ମିଳେ
  • ବୁଥ୍‌କୁ ମଜଭୁତ କରିବା ପାଇଁ କାମ କରନ୍ତୁ
  • ବୁଥ୍‌ ବିଜୟ ପାଇଁ ୧୦୦ଟି ଭିଡିଓ ତିଆରି କରନ୍ତୁ
  • ସୋସିଆଲ୍ ମିଡିଆରେ ସକ୍ରିୟ ରୁହନ୍ତୁ
  • ଲୋକଙ୍କ ସମସ୍ୟା ଶୁଣନ୍ତୁ ଏବଂ ତୁରନ୍ତ ସେଗୁଡ଼ିକୁ ସମାଧାନ କରନ୍ତୁ
  • ଅହଂକାରୀ ନ ହେବାକୁ ପରାମର୍ଶ 
  • ବିକାଶର ସବୁ ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚାନ୍ତୁ 

ଟିକେଟ ଚାହୁଥିବା ଲୋକଙ୍କ ପାଇଁ ଦେଲେ ସ୍ପଷ୍ଟ ବାର୍ତ୍ତା

ପ୍ରଧାନମନ୍ତ୍ରୀ ମୋଦୀ ଦଳୀୟ କର୍ମୀମାନଙ୍କୁ କହିଥିଲେ ଯେ ରାଜନୀତିରେ ସଫଳ ହେବା ପାଇଁ ଧୈର୍ଯ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ । କିଛି ଲୋକ ଟିକେଟ୍‌ ନ ପାଇଲେ ନିର୍ବାଚନ ସମୟରେ ଦଳ ପରିବର୍ତ୍ତନ କରନ୍ତି, ଏପରି ଲୋକଙ୍କର ଧୈର୍ଯ୍ୟ ନାହିଁ । କର୍ମୀମାନଙ୍କୁ ନିଜର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଦେଢ଼ ଦଶନ୍ଧି ପର୍ଯ୍ୟନ୍ତ ପଛ ଧାଡ଼ିରେ ରହିଥିଲେ । ଏହା ପରେ ହିଁ ସେ ଆଗକୁ ଆସିଲେ ।

ମୋଦୀ ବିଧାୟକ, ସାଂସଦ ଏବଂ କର୍ମୀମାନଙ୍କୁ କହିଛନ୍ତି ଯେ ସମସ୍ତ ବିକାଶ ଯୋଜନା ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବିଶେଷ ଧ୍ୟାନ ଦିଅନ୍ତୁ । ସୋସିଆଲ ମିଡିଆ ମାଧ୍ୟମରେ ସରକାରଙ୍କ ସଫଳତା ଏବଂ ନୀତିକୁ ଯୁବକମାନଙ୍କ ପାଖରେ ପହଞ୍ଚାନ୍ତୁ । ଲୋକଙ୍କ ସମସ୍ୟା ଶୁଣନ୍ତୁ ଏବଂ ସେଗୁଡ଼ିକର ସମାଧାନ କରନ୍ତୁ । ସଂଗଠନର ଶକ୍ତି ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜେପି-ଏନଡିଏ ମେଣ୍ଟକୁ ଆହୁରି ମଜଭୁତ କରିବା ଉପରେ ଧ୍ୟାନ ଦିଅନ୍ତୁ ।

ସେ ଆହୁରି ମଧ୍ୟ କହିଛନ୍ତି,୪ ମାସ ମଧ୍ୟରେ ନିର୍ବାଚନ ହେବାକୁ ଯାଉଛି, ତେଣୁ ବୁଥ୍ ମଜଭୁତ କରିବା ଉପରେ ଧ୍ୟାନ ଦିଅନ୍ତୁ । ସେଠାକାର ଲୋକଙ୍କୁ ଭେଟିବା ଆରମ୍ଭ କରନ୍ତୁ । ଖାଲି ସେତିକି ନୁହେଁ ବିରୋଧୀଙ୍କ ଶାସନକାଳ ସମ୍ପର୍କରେ ନୂଆପିଢ଼ି ବା ଯୁବକମାନଙ୍କୁ କହିବା ପାଇଁ ପରାମର୍ଶ ଦେଇଛନ୍ତି ପ୍ରଧାମନ୍ତ୍ରୀ ମୋଦୀ ।