କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାର ପ୍ରଭାରୀଭାବେ ନିଯୁକ୍ତ ନେଇ ବିଜେପି ଆସନ ଭାଗବଣ୍ଟା ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି । ଗତ ୨୦୨୦ ବିଧାନସଭା ନିର୍ବାଚନରେ ଜେଡିୟୁ ୧୧୫ଟି ଆସନରେ ଲଢ଼ି ମାତ୍ର ୪୩ଟି ଆସନ ଜିତିଥିଲେ ମଧ୍ୟ ଏଥରକ ମେଣ୍ଟ ସାଥୀଙ୍କୁ ଅଧିକ ଆସନ ଦେବା ପାଇଁ ବିଜେପି ରାଜି ଅଛି । ବିଜେପି ତାଠୁ ଅଧିକ ଆସନ ଲଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦାବି ମୁତାବକ ଜେଡିୟୁ ୧୦୨ ଆସନ ଦିଆଯିବାକୁ ସ୍ଥିର ହୋଇଛି । ବିଜେପି ୧୦୦ କିମ୍ବା ୧୦୧ ଆସନ ପାଇପାରେ ।
ସେହିଭଳି ଗତ ଲୋକସଭା ନିର୍ବାଚନରେ ଶତ ପ୍ରତିଶତ ସଫଳତା ପାଇଥିବା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ଏଲଜେପିକୁ ସର୍ବାଧିକ ୨୦ଟି ଆସନ ଦିଆଯାଇପାରେ । ଏକ ସମ୍ମାନଜନକ ଆସନ ସଂଖ୍ୟା ଦାବି କରୁଥିବା ଚିରାଗ ୨୦ଟି ଆସନରେ ସନ୍ତୁଷ୍ଟ ହେବେ ନାହିଁ । ମାତ୍ର ତାଙ୍କୁ ବୁଝାଇବା ସମ୍ଭବ ବୋଲି ବିଜେପି ତୁଙ୍ଗ ନେତା ଭାବୁଛନ୍ତି । ସେହିଭଳି ଆଉ ଜଣେ ମନ୍ତ୍ରୀ ଜିତନ ରାମ ମାନଝୀଙ୍କ ‘ହାମ୍’କୁ ମଧ୍ୟ ଗତଥର ତୁଳନାରେ ଅଧିକ ଆସନ ମିଳିପାରେ
ଇତିମଧ୍ୟରେ ଦୁଇ ଦିନ ଧରି ବିଜେପି ରାଜ୍ୟ ନିର୍ବାଚନ କମିଟିର ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଦଳୀୟ ପ୍ରାର୍ଥୀରୁ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଛି । ଯାହା ଜଣାପଡୁଛି ନିଜ ନିର୍ବାଚନମଣ୍ଡଳୀରେ ଲୋକପ୍ରିୟତା ହରାଇଥିବା ବିଧାୟକମାନଙ୍କୁ ପୁଣି ଥରେ ଦଳୀୟ ଟିକେଟ ନଦେବାକୁ ବିଜେପି ସ୍ଥିର କରିଛି । ଏହି କ୍ରମରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାମ କେନ୍ଦ୍ରୀୟ ନିର୍ବାଚନ କମିଟିକୁ ସୁପାରିସ ହେବ ।