କନକ ବ୍ୟୁରୋ: ବିହାରରୁ ଆସିଲା ବଡ଼ ଖବର । ବିରୋଧୀ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ଆରଜେଡି ନେତା ତେଜସ୍ୱୀ ଯାଦବ । ଏନେଇ ମହାମେଣ୍ଟ ତରଫରୁ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । କଂଗ୍ରେସ ନେତାଙ୍କ ସହ ତମାମ ଆଲୋଚନା ପରେ ମହାମେଣ୍ଟ ତରଫରୁ ପ୍ରେସମିଟ୍ କରି ଏହି ଘୋଷଣା କରାଯାଇଛି । କଂଗ୍ରେସ ନେତା ଅଶୋକ ଗେହଲଟ ଏହି ଘୋଷଣା କରିଛନ୍ତି ।

Advertisment

ଅଶୋକ ଗେହଲଟ କହିଛନ୍ତି, ବିହାରରେ ମହାମେଣ୍ଟ ପୂରାପୂରି ଭାବେ ଏକଜୁଟ୍ ଅଛି । ଏଥିସହିତ ପୂରା ଶକ୍ତି ଲଗାଇ ନିର୍ବାଚନ ଲଢୁଛି । ମୁଖ୍ୟମନ୍ତ୍ରୀ ଚେହେରା ସମ୍ପର୍କରେ ସେ କହିଛନ୍ତି ଯେ, ସମସ୍ତଙ୍କର ରାୟ ନେବା ପରେ ଏହି ନିଷ୍ପତ୍ତି ନିଆଯାଇଛି ଯେ, ତେଜସ୍ୱୀ ଯାଦବ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ହେବେ ।

ଅନ୍ୟପଟେ ଏହା ମଧ୍ୟ କୁହାଯାଇଛି ଯେ, ଯଦି ବିହାରରେ ମହାମେଣ୍ଟ ସରକାର ଗଠନ କରେ  ତେବେ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ହେବା ସହିତ ମୁକେଶ ସହନୀ ହେବେ ଉପ-ମୁଖ୍ୟମନ୍ତ୍ରୀ । ତେବେ ଏହି ଘୋଷଣା ଏବେ ବିହାର ରାଜନୀତିକୁ ସରଗରମ କରିଛି । ଆଉ ମହାମେଣ୍ଟକୁ ଏହା ନିର୍ବାଚନରେ କେତେ ଫାଇଦା ଦେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଜାଣିରଖିବା ଉଚିତ ଯେ, ବିହାରରେ ଏଥର ଏନଡିଏ ଏବଂ ମହାମେଣ୍ଟ ଭିତରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ । ଗୋଟିଏ ପଟେ ଏନଡିଏ ନୀତିଶ କୁମାରଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇଛି । ହେଲେ ମହାମେଣ୍ଟରେ କିନ୍ତୁ ଦୀର୍ଘ ଦିନ ହେଲା ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଅଙ୍କ ଛିଣ୍ଡିପାରୁନଥିଲା । ଖାସ୍ କରି ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ କଂଗ୍ରେସ ଅମଙ୍ଗ ଥିବା ଚର୍ଚ୍ଚା ହେଉଥିଲା । ହେଲେ ଶେଷ କିନ୍ତୁ କଂଗ୍ରେସ ସହିତ ମହାମେଣ୍ଟ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ।