କନକ ବ୍ୟୁରୋ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ପଛରେ ବିହାର ଲିଙ୍କ୍ । ବିହାରୀ ବନ୍ଧୁକରେ ପୀତବାସଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି । ଏ ଦିଗରେ ଏବେ ପୁଲିସ ଜୋରସୋର ତଦନ୍ତ ଚଳାଇଛି । ଅପରାଧ ଘଟାଇବା ପରେ ହତ୍ୟାକାରୀ କିଛି ସୁରାଗ ଛାଡ଼ି ଯାଇଛି । କିଛି ନିର୍ଦ୍ଦିଷ୍ଟ ପ୍ରମାଣ ପୁଲିସ ହାତରେ ଲାଗିଥିଲା ବେଳେ ହତ୍ୟାକାରୀର ନିକଟତର ହୋଇଛି ପୁଲିସ । ଶତାଧିକ ସିସିଟିଭି ଯାଞ୍ଚ ପରେ ପୁଲିସ ସୁଟରକୁ ଚିହ୍ନଟ କରିଥିବା କୁହାଯାଉଛି । ଜିଲ୍ଲାରେ ହୋଇଥିବା ଏକ ହତ୍ୟାକାଣ୍ଡ ମାମଲାରେ ଜଣେ ଯୁବକର ସମ୍ପୃକ୍ତି ରହିଥିଲା । ଅଭିଯୁକ୍ତ ସେହି କେସରୁ ନିର୍ଦ୍ଦୋଷରେ ଖଲାସ ହୋଇସାରିଛି ।
ତେବେ ପୀତବାସ ସେହି ମାମଲାରେ ଓକିଲ ଥିଲେ । ସନ୍ଦିଗ୍ଧ ଯୁବକକୁ ହତ୍ୟାକାଣ୍ଡର କିଛିଦିନ ପୂର୍ବରୁ ପୀତବାସଙ୍କ ଘର ପାଖରେ ଓ ସହର ଭିତରେ ବୁଲୁଥିବା ସିସିଟିଭିରୁ ପୁଲିସ ଦେଖିବା ପରେ ସନ୍ଦେହ ବଢିଛି । ଅଭିଯୁକ୍ତକୁ ଧରିବାକୁ ଏକ ନୂଆ ଟିମ୍ ଗଠନ ହୋଇଥିବା କୁହାଯାଉଛି । ତେବେ ବିହାରରୁ ବନ୍ଧୁକ ଆଣି ପୀତବାସଙ୍କୁ ହତ୍ୟା କରିଯାଇଥିବା ସହରରେ ଚର୍ଚ୍ଚା ଉଠିଥିଲା ବେଳେ ହତ୍ୟାକାଣ୍ଡର ୧୦ଦିନରେ ବି ପୁଲିସ ହାତ ଖାଲି ପଡ଼ିଛି ।