କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ପାଇଁ ମହାଗଠବନ୍ଧନ ଅନ୍ତର୍ଗତ ଦଳମାନଙ୍କ ମଧ୍ୟରେ ଆସନ ବୁଝାମଣାରେ ଅଚଳାବସ୍ଥା ଦେଖାଦେଇଛି । ମେଣ୍ଟ ଅନ୍ତର୍ଭୁକ୍ତ ସବୁଦଳ ଅଧିକ ଆସନ ଲଢ଼ିବାକୁ ଜିଦ ଯୋଗୁଁ ଆରଜେଡି ସବୁ ଆସନରେ ଲଢ଼ିବ ବୋଲି ଦଳର ନେତା ତେଜସ୍ବୀ ଯାଦବ ଘୋଷଣା କରିଛନ୍ତି ।
ବିହାରର ସମସ୍ତ ୨୪୩ ବିଧାନସଭା ଆସନ ଲଢ଼ିବାକୁ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଘୋଷଣା ପଛର କାରଣ କ’ଣ ହୋଇପାରେ? ଆଗାମୀ ନଭେମ୍ବରରେ ନିର୍ବାଚନ ହେବ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭୋଟ ଅଧିକାର ଯାତ୍ରା ସମାପ୍ତ ପରେ ଆସନ ବୁଝାମଣା ଘୋଷଣା କରିବାକୁ ତେଜସ୍ବୀ ସବୁ ମେଣ୍ଟ ସାଥୀଙ୍କ ସହଯୋଗ ଲୋଡ଼ିଥିଲେ। ମାତ୍ର କଂଗ୍ରେସ ସମେତ ସିପିଆଇଏମ୍ଏଲ୍ ଦଳଗୁଡିକ ଅଧିକ ଆସନ ଲଢ଼ିବାକୁ ଜିଦରେ ଅଟଳ ଅଛନ୍ତି । ଏପରିସ୍ଥଳେ ସବୁ ଆସନ ଲଢ଼ିବାକୁ ତେଜସ୍ବୀଙ୍କ ଘୋଷଣା ମେଣ୍ଟର ଅନ୍ୟ ସାଥୀଙ୍କ ଉପରେ ଚାପ ପକାଇବା ଉଦ୍ଦେଶ୍ୟରେ ହୋଇଥାଇପାରେ ।
୨୦୨୦ ବିଧାନସଭା ନିର୍ବାଚନରେ କଂଗ୍ରେସ ମେଣ୍ଟ ଆସନ ବୁଝାମଣାରେ ୭୦ଟି ଆସନ ଲଢ଼ି ମାତ୍ର ୯ଟିରେ ବିଜୟୀ ହୋଇଥିଲା । କଂଗ୍ରେସର ଖରାପ ପ୍ରଦର୍ଶନ ଯୋଗୁଁ ମହାଗଠବନ୍ଧନ କ୍ଷମତାକୁ ଆସିପାରିନଥିଲା ବୋଲି ଆରଜେଡିର ତୁଙ୍ଗ ନେତାମାନେ ଅଭିଯୋଗ କରିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭୋଟ ଅଧିକାର ଯାତ୍ରା ଦଳୀୟ କର୍ମୀ ମହଲରେ ଉତ୍ସାହ ଭରିଛି । ଏହାକୁ ଆଧାର କରି କଂଗ୍ରେସ ଅଧିକ ନହେଲେ ପୂର୍ବଥର ପରି ୭୦ଟି ଆସନ ଲଢ଼ିବାକୁ ଚେଷ୍ଟା କରୁଛି ।
ସେହିଭଳି ଗତଥର ଦୀପେନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ବାଧୀନ ସିପିଆଇଏମ୍ଏଲ୍ ୧୯ଟି ଆସନରେ ଲଢ଼ି ୧୨ଟିରେ ଜିତିଥିଲା । ତେଣୁ ଏଥରକ ସିପିଆଇଏମ୍ଏଲ୍ ଅନ୍ୟ ଦୁଇ କମ୍ୟୁନିଟି ପାର୍ଟି ସିପିଆଇ ଓ ସିପିଆଇଏମ୍ ସହ ମିଶି ୭୫ଟି ଆସନ ଲଢ଼ିବାକୁ ଖୋଲାଖୋଲି ଦାବି କରୁଛି । ଏହାଛଡା ୨୦୨୨ ପର୍ଯ୍ୟନ୍ତ ଏନ୍ଡିଏରେ ଥିବା ମୁକେଶ ସାହାଣୀଙ୍କ ଭିଆଇପି ପାର୍ଟି ମଧ୍ୟ ଅଧିକ ଆସନ ପାଇବାକୁ ଅଡିବସିଛି । ଏହା ସହିତ ମେଣ୍ଟ ମଧ୍ୟରେ ନୂଆ କରି ସାମିଲ ପଶୁପତି ପାରସଙ୍କ ଏଲ୍ଜେପି ଓ ହେମନ୍ତ ସୋରେନଙ୍କ ଜେଏମ୍ଏମ୍ କିଛି ଆସନ ପାଇବେ ।
ମାତ୍ର ଅଧିକ ଆସନ ପାଇବାକୁ ଦାବି କରୁଥିବା ଦଳମଧ୍ୟରେ ବୁଝାମଣା ଆଣିବା କାଠିକର ପାଠ ହୋଇପାରେ । ଏବେ ପର୍ଯ୍ୟନ୍ତ ଆସନ ବୁଝାମଣାରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାରୁ ଦୂର କରିବାକୁ ବୋଧ ହୁଏ ତେଜସ୍ବୀଙ୍କୁ ରାହୁଲଙ୍କ ହସ୍ତକ୍ଷେପ ଦରକାର ପଡିପାରେ ।