କନକ ବ୍ୟୁରୋ : ନିର୍ବାଚନ ଆସିଲା ବେକାରୀଙ୍କ କଥା ସରକାରଙ୍କ ମନେ ପଡ଼ିଲା । ଦୀର୍ଘ ୫ ବର୍ଷ ସରକାରରେ ରହିବା ଭିତରେ ପ୍ରତିଟି ସରକାର ବେକାର ଯୁବକ ଯୁବତୀଙ୍କୁ ପ୍ରତାଡ଼ିତ କରୁଥିବା ବେଳେ ନିର୍ବାଚନ ଆସିଲେ ଭୋଟ ରାଜନୀତିକୁ ଓହ୍ଲାଇ ବେକାରୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦନ୍ତି । ଏହି କ୍ରମରେ ଏବେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ନୀତିଶ ସରକାର ରାଜ୍ୟର ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ପ୍ରଲୋଭିତ କରିବାକୁ ଏକ ଭତ୍ତା ଘୋଷଣା କରିଛନ୍ତି । ନୀତିଶଙ୍କ ଘୋଷଣା ମୁତାବକ ରାଜ୍ୟର ୨୦ ରୁ ୨୫ ବର୍ଷ ମଧ୍ୟରେ ଥିବା ଗ୍ରାଜୁଏଟ୍ ବେକାରୀମାନଙ୍କୁ ସରକାର ମାସିକ ୧ ହଜାର ଟଙ୍କା ପ୍ରଦାନ କରିବେ । ଏହି ଭତ୍ତା ସର୍ବାଧିକ ୨ ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯିବ ।
ଏହି ଘୋଷଣାର ସୂଚନା ନୀତିଶ କୁମାର ସୋସିଆଲ ମିଡିଆରେ ଦେଇଛନ୍ତି । ପୁଣି ଏନଡିଏ ମେଣ୍ଟ ସରକାରକୁ ଆସିଲେ ରାଜ୍ୟର ଯୁବକ ଯୁବତୀମାନଙ୍କୁ ଚାକିରି ପ୍ରଦାନ କରିବା ଦିଗରେ ପଦକ୍ଷେପ ନିଆଯିବ । ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟର ୧ କୋଟି ବେକାର ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ କରାଯିବ ।
ବଡ଼ କଥା ହେଉଛି ବିହାରରେ ୨୦ ବର୍ଷ ଧରି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ରହିଛନ୍ତି । ହେଲେ ତାଙ୍କରି କାର୍ଯ୍ୟକାଳରେ ବିହାରରେ ଲକ୍ଷ ଲକ୍ଷ ଯୁବକ ପାଠ ପଢି ମଧ୍ୟ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ମାତ୍ର ନୀତିଶ ସରକାର ଏହା ଉପରେ ଧ୍ୟାନ ଦେଉନଥିଲେ । ମାତ୍ର ଚଳିତ ବର୍ଷ ନିର୍ବାଚନ ଥିବାରୁ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ନୀତିଶ ଘୋଷଣା ପରେ ଘୋଷଣା କରିଚାଲିଛନ୍ତି । କିଏ ଜାଣେ ପୁଣି ସରକାରଙ୍କୁ ଆସିଲେ ତାଙ୍କର ଏହି ପ୍ରତିଶ୍ରୁତି ମନେ ରହିବ ନା ପୂର୍ବଭଳି ଏହି ଘୋଷଣା ଖାଲି ନିର୍ବାଚନୀ ଇସ୍ତାହାରରେ ରହିଯିବ ।