କନକ ବ୍ୟୁରୋ: ବିହାରରେ ବଢୁଥିବା ରାଜନୈତିକ ପାରା ଭିତରେ ପ୍ରଶାନ୍ତ କିଶୋର ନିଜ ଦଳ ଜନସୁରାଜ ପାର୍ଟିର ଫଣ୍ଡିଂକୁ ନେଇ ଉଠିଥିବା ଅଭିଯୋଗ ଉପରେ ଜବାବ ଦେଇଛନ୍ତି । ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଶାନ୍ତ କିଶୋର ସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି । ନିଜ ଦଳର ଫଣ୍ଡିଂ ସୋର୍ସ ବିଷୟରେ କହିବା ସହିତ ପ୍ରତିଟି ଖର୍ଚ୍ଚର ହିସାବ ମଧ୍ୟ ଦେଇଛନ୍ତି ।

Advertisment

ପ୍ରଶାନ୍ତ କିଶୋର କହିଛନ୍ତି, ଲୋକ ପଚାରୁଛନ୍ତି ପ୍ରଶାନ୍ତ କିଶୋରଙ୍କ ପାଖରେ ପଇସା କେମିତି ଆସୁଛି? ବିହାରର ସବୁ ନେତାଙ୍କୁ ପିକେ ଚୋର ଲାଗୁଛି । ତେଣୁ ଜନସୁରାଜ ପାର୍ଟିକୁ କେମିତି ଟଙ୍କା ଆସିଛି ସେ ବିଷୟରେ ପୂରା ସୂଚନା ଦେଇଛନ୍ତି ପ୍ରଶାନ୍ତ । ସେ କହିଛନ୍ତି ରାଜନୈତିକ ରଣନୀତିକାର ଭାବେ ସେ ଯାହା ବି ପରାମର୍ଶ ଦେଉଛନ୍ତି, ସେଥିରେ ସେ ଫିସ୍ ନିଅନ୍ତି । ଏହାସହ ସେ ଲୋକଙ୍କଠାରୁ ମଧ୍ୟ କିଛି ପଇସା ପାଇଛନ୍ତି ।

ସୂଚନା ଦେଇ କହିଛନ୍ତି, ଗତ ୨୦୨୧ରୁ ୨୦୨୩ ଭିତରେ ୨୪୧ କୋଟି ଟଙ୍କା ସେ କେବଳ ଫିସ୍ ଆକାରରେ ପାଇଛନ୍ତି । ଯାହା ଉପରେ ସରକାର ୧୮ ଜିଏସଟି ମଧ୍ୟ ନେଇଛନ୍ତି । ଏହାସହ ସେ ୨୦ କୋଟି ଟଙ୍କା ଇନକମ୍ ଟ୍ୟାକ୍ସ ମଧ୍ୟ ଦେଇଛନ୍ତି । ତେବେ ଫିସ୍ ବାବଦରେ ତାଙ୍କୁ ଯାହା ବି ଟଙ୍କା ମିଳେ, ସେଥିରୁ ନିଜ ଖର୍ଚ୍ଚ କାଟି ଦେଇ ସେ ସବୁଟଙ୍କା ଦଳକୁ ଦାନ କରିଦେଇଛନ୍ତି ବୋଲି କହିଛନ୍ତି ପ୍ରଶାନ୍ତ କିଶୋର । ସେ ତାଙ୍କ ନିଜ ଆକାଉଣ୍ଟରୁ ପ୍ରାୟ ୯୮ କୋଟି ଟଙ୍କା ଦଳକୁ ଦାନ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ପ୍ରଶାନ୍ତ କିଶୋର ।