କନକ ବ୍ୟୁରୋ: ବିହାରରେ ସମୟ ଯେତିକି ନିର୍ବାଚନର ନିକଟତର ହେଉଛି, ରାଜନୀତି ମଧ୍ୟ ସେତିକି ସରଗରମ ହେବାରେ ଲାଗିଛି । ଆଉ ଏହାରି ଭିତରେ ପ୍ରଥମ ଥର ପାଇଁ ଜେଡିୟୁ ପାର୍ଟି ଅଫିସରେ ଲାଗିଛି ନିର୍ବାଚନ ପୋଷ୍ଟର । ପ୍ରଥମ ଥର ପାଇଁ ଏହି ପୋଷ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଦେଖିବାକୁ ମିଳିଛି । ଯାହାକି ସଙ୍କେତ ଦେଉଛି ଯେ, ଏଥର ନୀତିଶ ଏବଂ ମୋଦୀଙ୍କ ଚେହେରାକୁ ଆଗରେ ରଖି ହିଁ ଏନଡିଏ ନିର୍ବାଚନ ମୈଦାନକୁ ଓହ୍ଲାଇବ । ଏହାସହ ବିହାରରେ ଏନଡିଏ ଯଦି ପୁଣିଥରେ ସତ୍ତାକୁ ନିଜ ଦଖଲରେ ରଖୁଛି, ତେବେ ନୀତିଶ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଏହି ପୋଷ୍ଟର ହିଁ ଇସାରା ଦେଉଛି ।

Advertisment

ଅନ୍ୟପଟେ ଜେଡିୟୁ ଅଫିସରେ ଲାଗିଥିବା ପୋଷ୍ଟରକୁ ନେଇ ବିହାରରେ ଆରମ୍ଭ ହୋଇଛି ରାଜନୀତି । ବିରୋଧୀ କ୍ୟାମ୍ପ୍ ଏହାକୁ କେବଳ ଦେଖାଣିଆ ରାଜନୀତି ବୋଲି କହିବା ସହିତ ନିର୍ବାଚନ ସରିଲେ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବନି ବୋଲି ଦାବି କରୁଛି ।

bihar
bihar Photograph: (KANAK NEWS)

ଆରଜେଡି ନେତା ତଥା ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏ ବିଷୟରେ ପ୍ରତିକ୍ରିୟା ରଖିବା ସହିତ କହିଛନ୍ତି, ନୀତିଶ ଏବେ ଅଚେତ ଅବସ୍ଥାରେ ଅଛନ୍ତି । ସରକାର ଆଉ କିଏ ଚଲାଉଛନ୍ତି । ତାଙ୍କ ବୟସର ପ୍ରଭାବ ଭଲ ଭାବେ ଦିଶୁଛି । ବିହାରରେ ସରକାର, ଦିଲ୍ଲୀରୁ ଅମିତ ଶାହ ଚଲାଉଛନ୍ତି ବୋଲି କହିବା ସହିତ ନୀତିଶ ନିର୍ବାଚନ ସମୟରେ ହିଁ କେବଳ ପୋଷ୍ଟରରେ ରହିବେ ବୋଲି କହିଛନ୍ତି ତେଜସ୍ୱୀ । ସେପଟେ ଜନ ସୂରାଜ ପାର୍ଟିର ନେତା ପ୍ରଶାନ୍ତ କିଶୋର ନୀତିଶଙ୍କ ରାଜନୈତିକ ଭବିଷ୍ୟତ ନେଇ ଆଶଙ୍କା ପ୍ରକାଶ କରିଛନ୍ତି । କହିଛନ୍ତି, ନିର୍ବାଚନ ପରେ ଜେଡିୟୁର ଅଫିସ୍ ବିଜେପିର ଅଫିସ୍ ହୋଇଯିବ । ନୀତିଶ କୁମାର ମୁଖ୍ୟମନ୍ତ୍ରୀ ରହିବେନି କି ଜେଡିୟୁ ମଧ୍ୟ ରହିବନି । ବିଜେପି ପୂରାପୂରି ଭାବେ ନୀତିଶଙ୍କ ଜେଡିୟୁକୁ କବଜା କରିଦେବ ବୋଲି ସେ କହିଛନ୍ତି ।

ଜାଣିରଖିବା ଉଚିତ ଯେ, ଚଳିତ ବର୍ଷ ଶେଷ ଆଡ଼କୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଆଉ ଏହାକୁ ଆଖି ଆଗରେ ରଖି ଏବେଠୁ ମିସନ୍ ମୋଡରେ କାମ କରିବା ଆରମ୍ଭ କରିଛନ୍ତି ବିଜେପି ଏବଂ ଜେଡିୟୁ । ଏହିକ୍ରମରେ କାଲିଠୁ ପୋଷ୍ଟର ଲାଗିବା ଆରମ୍ଭ ହୋଇଛି । ଆଉ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।