କନକ ବ୍ୟୁରୋ: ବିହାରରେ ଭୋଟିଂ ପୂର୍ବରୁ ଆସିଲା ଚମକାଇ ଦେଲା ଭଳି ସର୍ଭେ ରିପୋର୍ଟ । ଆଗାମୀ ବିହାର ବିଧାନସଭା ନିର୍ବାଚନରେ ଏନ୍ଡିଏ କ୍ଷମତା ବଜାୟ ରଖିବ ବୋଲି ଶନିବାର ଜେଭିସି ସର୍ଭେ ପୂର୍ବାନୁମାନ କରିଛି । ଏହି ସର୍ଭେ ରିପୋର୍ଟ ଅନୁଯାୟୀ, ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ଏନ୍ଡିଏ ୧୨୦ରୁ ୧୪୦ ଆସନ ପାଇବ ବୋଲି ଆକଳନ କରାଯାଇଥିବା ବେଳେ ମହାମେଣ୍ଟ ୯୩ରୁ ୧୧୨ ଆସନ ଜିତିପାରେ । ଅନ୍ୟପକ୍ଷରେ ବିଜେପି ୭୦ରୁ ୮୧ଟି ଆସନ ସହ ବିଧାନସଭାରେ ସବୁଠାରୁ ବଡ଼ ଦଳ ହେବ ବୋଲି ଆଶା କରାଯାଉଛି । ଜେଡିୟୁ ୪୨ରୁ ୪୮, ଏଲ୍ଜେପି ୫ରୁ ୭, ଏଚ୍ଏଏମ୍ ୨ ଏବଂ ଆର୍ଏଲ୍ଏମ୍ ୧ରୁ ୨ଟି ଆସନ ଜିତିପାରେ । ମହାମେଣ୍ଟରେ ଆର୍ଜେଡି ୬୯ରୁ ୭୮, କଂଗ୍ରେସ ୯ରୁ ୧୭, ସିପିଆଇ ୧୨ରୁ ୧୪, ସିପିଆଇ ୧ ଓ ସିପିଏମ୍ ୧ରୁ ୨ଟି ଆସନ ପାଇପାରେ । ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ହୋଇଥିବା ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି କେବଳ ଗୋଟିଏ ଆସନରେ ଖାତା ଖୋଲିପାରେ । ଅନ୍ୟପକ୍ଷରେ ଏଆଇଏମ୍ଆଇଏମ୍, ବିଏସ୍ପି ଓ ଅନ୍ୟମାନେ ୮ରୁ ୧୦ଟି ଆସନ ପାଇବା ସମ୍ଭାବନା ରହିଛି ।
ଜେଭିସି ପୋଲ୍ ସର୍ଭେ ଅନୁଯାୟୀ, ତେଜସ୍ୱୀ ଯାଦବ ୩୩ ପ୍ରତିଶତ ସମର୍ଥନ ସହ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠାରୁ ପସନ୍ଦର ଚେହେରା । ନୀତୀଶ କୁମାର ୨୯ ପ୍ରତିଶତ ସହ ଦ୍ୱିତୀୟ ଏବଂ ଚିରାଗ ପାସୱାନ ଓ ପ୍ରଶାନ୍ତ କିଶୋର ପ୍ରତ୍ୟେକ ୧୦ ପ୍ରତିଶତ ସହ ତୃତୀୟ ସ୍ଥାନରେ ଅଛନ୍ତି । ଏହା ବ୍ୟତୀତ ବିହାର ଉପମୁଖ୍ୟମନ୍ତ୍ରୀ ଆସନ ପାଇଁ ସମ୍ରାଟ ଚୌଧୁରୀ ୯ ପ୍ରତିଶତ ଭୋଟ୍ ପାଇ ପଛରେ ଅଛନ୍ତି ଏବଂ ମାତ୍ର ୪ ପ୍ରତିଶତ ଲୋକ ବିଜେପିର ଅନ୍ୟ ଚେହେରାକୁ ପସନ୍ଦ କରିଛନ୍ତି । ଜନମତ ସର୍ଭେ ଅନୁଯାୟୀ, ଏନ୍ଡିଏ ୪୧ ପ୍ରତିଶତରୁ ୪୩ ପ୍ରତିଶତ ଭୋଟ୍ ପାଇବ । ଜନ ସୁରାଜ ପାର୍ଟି ୬ରୁ ୭ ପ୍ରତିଶତ ଏବଂ ଅନ୍ୟ ଛୋଟ ଦଳଗୁଡ଼ିକ ୧୦ ପ୍ରତିଶତରୁ ୧୧ ପ୍ରତିଶତ ଭୋଟ୍ ପାଇପାରନ୍ତି । ୨୦୨୦ ବିଧାନସଭା ନିର୍ବାଚନରେ ବିଜେପି ୧୧୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ୭୪ଟି ଆସନରେ ବିଜୟୀ ହୋଇଥିଲା । ଜନତା ଦଳ (ୟୁନାଇଟେଡ୍) ୧୧୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ୪୩ଟି ଆସନରେ ବିଜୟୀ ହୋଇଥିଲା । ହିନ୍ଦୁସ୍ତାନୀ ଆୱାମ୍ ମୋର୍ଚ୍ଚା ୭ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ୪ଟି ଆସନରେ ବିଜୟୀ ହୋଇଥିଲା ।
ସେପଟେ ନିର୍ବାଚନୀ ମାହୋଲ କଥା କହିଲେ ହେବିୱେଟ୍ମାନେ ଘନଘନ ପ୍ରଚାର କରୁଛନ୍ତି । ଗତ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଚାର ମୈଦାନକୁ ଓହ୍ଲାଇ କଂଗ୍ରେସ ଓ ଆର୍ଜେଡିକୁ ଟାର୍ଗେଟ୍ କରିଥିଲେ । ସମସ୍ତିପୁର, ବୈଶାଳୀରେ ଜନସଭାକୁ ସମ୍ବୋଧିତ କରି ଏନ୍ଡିଏ ପାଇଁ ଭୋଟ ମାଗିଥିଲେ । ଏହାପରେ ରବିବାର ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମହାମେଣ୍ଟ ଜନତାଙ୍କୁ ଲଣ୍ଠନ ଦେଖାଉଥିବା କଥା କହିଥିଲେ ମୋଦୀ । ବିହାରରେ ନଭେମ୍ୱର ୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ । ନଭେମ୍ବର ୧୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ଦେଖିବାକୁ ବାକି ରହିଲା ଜନତା କାହା ଉପରେ ଅଧିକ ଭରସା କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/11/03/17-bihar-survey-report_soubhagya-pkg-t-2025-11-03-17-20-05.jpg)