କନକ ବ୍ୟୁରୋ: କୁହାଯାଏ ବିହାର ରାଜନୀତିକୁ ବୁଝିବା ବଡ଼ କଷ୍ଟକର । ଏଠି ନେତା ଯାହାକୁ ବିରୋଧ କରନ୍ତି, ତାକୁ ହିଁ ନେଇ ଅଣ୍ଟିରେ ପୂରାନ୍ତି... ଏଇ ଯେମିତି ନୀତୀଶ କୁମାର । ଦିନେ ପରିବାରବାଦକୁ ବିରୋଧ କରି ସତ୍ତାକୁ ଆସିଥିଲେ ବିହାରର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ହେଲେ ଏବେ କିନ୍ତୁ ତାଙ୍କ ଉପରେ ଲାଗିଛି ‘ଜ୍ୱାଇଁବାଦ’ର ଦାଗ । ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଅଛି, ଆଉ ଏହା ପୂର୍ବରୁ ପରିବାରବାଦକୁ ବିରୋଧ କରୁଥିବା ଏହି ନେତା କିନ୍ତୁ ‘ଜ୍ୱାଇଁବାଦ’କୁ ଭରସା କରିଛନ୍ତି ।

Advertisment

ଆପଣମାନେ ଭଲ ଭାବେ ଜାଣିଥିବେ, ବିହାରର ରାଜନୀତିର କେନ୍ଦ୍ରବିନ୍ଦୁରେ ରହିଥାନ୍ତି ଦୁଇ ଜଣ ନେତା । ଜଣେ ହେଲେ ନୀତୀଶ କୁମାର ଏବଂ ଅନ୍ୟ ଜଣେ ହେଲେ ଲାଲୁ ଯାଦବ । ତେବେ ଯେବେ ବି ନୀତୀଶ, ଲାଲୁଙ୍କୁ ଶବ୍ଦର ତୀରରେ ଆକ୍ରମଣ କରନ୍ତି, ସେତେବେଳେ ପ୍ରମୁଖ ମୁଦ୍ଦା ରହେ ପରିବାରବାଦ । ହେଲେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପରିବାରବାଦକୁ ନେଇ ରାଜନୀତି କରୁଥିବା ନୀତୀଶ କୁମାରଙ୍କର ଏବେ ଜ୍ୱାଇଁ ପ୍ରେମ ଖୁବ୍ ଚର୍ଚ୍ଚାରେ ରହିଛି ।

ଇଣ୍ଡିଆ ମେଣ୍ଟ ନୀତିଶଙ୍କୁ ଦେଇଥିଲା ପ୍ରଧାନମନ୍ତ୍ରୀ ପଦ ଅଫର, କିନ୍ତୁ... । ଜେଡିୟୁ ନେତା ଦେଲେ ବଡ ବୟାନ ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିହାରର ବିଭିନ୍ନ ଆୟୋଗ, ନିଗମ ଏବଂ ପରିଷଦରେ ବଡ଼ ବଡ଼ ନେତା ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଜ୍ୱାଇଁମାନଙ୍କୁ ଥଇଥାନ କରିବା ପରେ, ଏହାକୁ ନେଇ ବିବାଦ ଠିଆ ହୋଇଛି । ପ୍ରଶ୍ନ ଉଠୁଛି ଯେ, କେଉଁ କାରଣରୁ ଏବଂ କେଉଁ ପରିସ୍ଥିତିରେ ନୀତୀଶ ଏହି ଜ୍ୱାଇଁପୁଅମାନଙ୍କୁ ଏତେ ବଡ଼ ପଦ ଦେଇଦେଲେ ? ଏହାସହିତ ପରିବାରବାଦକୁ ମୂଳରୁ ହିଁ ବିରୋଧ କରି ଆସୁଥିବା ନୀତୀଶ, ଠିକ୍ ବିହାର ନିର୍ବାଚନ ପୂର୍ବରୁ ଏ ଜ୍ୱାଇଁ ପ୍ରେମରେ କାହିଁକି ପଡ଼ିଲେ ତାହା ହିଁ ସବୁଠୁ ବଡ଼ ପ୍ରଶ୍ନ?

ନୀତୀଶ କୁମାର କେନ୍ଦ୍ରମନ୍ତ୍ରୀ ଜୀତନ ରାମ ମାଞ୍ଝୀଙ୍କ ସହିତ ରାମ ବିଳାସ ପାସଓ୍ୱାନ ଏବଂ ବିହାର ସରକାରରେ ମନ୍ତ୍ରୀ ଥିବା ଅଶୋକ ଚୌଧୁରୀଙ୍କ ଜ୍ୱାଇଁଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଇଛନ୍ତି । ଜୀତନ ରାମ ମାଞ୍ଝୀଙ୍କ ଜ୍ୱାଇଁ ଦେବେନ୍ଦ୍ର ମାଝୀଙ୍କୁ ନୀତୀଶ କୁମାର ନିଜର ଅନୁସୂଚିତ ଜାତି ଆୟୋଗର ଉପାଧ୍ୟକ୍ଷ ପଦ ଭେଟି ଦେଇଛନ୍ତି । ସେହିପରି ରାମବିଳାସ ପାସଓ୍ୱାନଙ୍କ ଜ୍ୱାଇଁ ମୃଣାଳ ପାସଓ୍ୱାନଙ୍କୁ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷ ଏବଂ ବିହାର ସରକାରରେ ମନ୍ତ୍ରୀ ଥିବା ଅଶୋକ ଚୌଧୁରୀଙ୍କ ଜ୍ୱାଇଁ ସାୟନ କୃଣାଳଙ୍କୁ ବିହାର ରାଜ୍ୟ ନ୍ୟାୟ ପରିଷଦର ସଦସ୍ୟ ଭାବେ ବାଛିଛନ୍ତି ନୀତୀଶ । ଯାହାକି ଏହି ନୂଆ ବିବାଦର ସୂତ୍ରପାତ କରିଛି ।

Jitan Ram Manjhi slams 'twisted mindset' of Nitish Kumar | India.com

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜୀତନ ରାମ ମାଞ୍ଝୀ ଏବେ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି, ତାଙ୍କ ବୋହୂ ମଧ୍ୟ ଇମାମଗଞ୍ଜ ସିଟରୁ ବିଧାୟକ ଅଛନ୍ତି । ଆଉ ଏପରି ପରିସ୍ଥିତିରେ ବି ତାଙ୍କ ଜ୍ୱାଇଁଙ୍କୁ ଅନୁସୂଚିତ ଜାତି ଆୟୋଗର ଉପାଧ୍ୟକ୍ଷ ଭେଟି ଦେଇଛନ୍ତି ନୀତୀଶ । ସେହିପରି ରାମବିଳାସ ପାସଓ୍ୱାନଙ୍କ ପୁଅ ଚିରାଗ ପାସଓ୍ୱାନ ଏବେ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି । ଆଉ ଏହାପରେ ବି ରାମବିଳାସଙ୍କ ଜ୍ୱାଇଁ ମୃଣାଳ ପାସଓ୍ୱାନଙ୍କୁ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷ ପଦ ଦିଆଯାଇଛି ।

ଏହାବାଦ ବିହାର ସରକାରରେ ବରିଷ୍ଠ ମନ୍ତ୍ରୀ ତଥା ନୀତୀଶ କୁମାରଙ୍କ ବେଶ ନିକଟତର କୁହାଯାଉଥିବା ଅଶୋକ ଚୌଧୁରୀଙ୍କ ଜ୍ୱାଇଁଙ୍କୁ ମଧ୍ୟ ରାଜ୍ୟର ନ୍ୟାୟ ପରିଷଦର ସଦସ୍ୟ ଭାବେ ପଦ ଭେଟିଦେଇଛନ୍ତି ଜେଡିୟୁ ସୁପ୍ରିମୋ । ତେଣୁ ଚର୍ଚ୍ଚା ହେଉଛି, ନୀତୀଶଙ୍କ ଏ ଜ୍ୱାଇଁ ପ୍ରେମ ପଛରେ ନିର୍ବାଚନ କାରଣ ନୁହେଁ ତ? ନା ଏମିତି ସବୁ ପୋଷ୍ଟ ବାଣ୍ଟି ଏହି ନେତାଙ୍କୁ ଥଇଥାନ କରିଦେଲେ ଜେଡିୟୁ ମୁଖିଆ?