କନକ ବ୍ୟୁରୋ : ବିହାରରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣାକୁ ୩ ଦିନ ବିତିସାରିଲାଣି । ହେଲେ ଏଯାଏଁ କିନ୍ତୁ ଏନଡିଏ ହେଉ କି ମହାମେଣ୍ଟ, କେଉଁଠି ବି ସିଟ୍ ଭାଗବଣ୍ଟା ଛିଣ୍ଡିପାରିଲାନି । ସବୁ ଦଳ ଏବେ ମେଣ୍ଟରେ ନିଜ ନିଜର ମୂଲଚାଲ ଜାରି ରଖିଥିବାବେଳେ, ନେତାଙ୍କ ଟେନସନ୍ ବଢ଼ିବାରେ ଲାଗିଛି । ଗୋଟିଏ ପଟେ ଚିରାଗ ପାସଓ୍ୱାନଙ୍କ ଏଲଜେପି (ଆର) ଏବଂ ଜୀତନ ରାମ ମାଞ୍ଝୀଙ୍କ ଦଳ ହାମ୍ ବିଜେପି ସହ ସିଟ୍ ନେଇ ମୂଲଚାଲ ଜାରି ରଖିଛନ୍ତି । ଅନ୍ୟପଟେ ମହାମେଣ୍ଟରେ ମଧ୍ୟ ଭିଆଇପିର ମୁଖିଆ ମୁକେଶ ସହନୀ ଏବଂ ଆରଜେଡି ଭିତରେ ତାଳମେଳ ରହୁନି । ଖାଲି ସେତିକି ନୁହେଁ କଂଗ୍ରେସ ମଧ୍ୟ ଆରଜେଡି ସହ ସିଟ୍ ସେୟାରିଂ ଫର୍ମୁଲାକୁ ନେଇ ଆଲୋଚନା ଜାରି ରଖିଛି । ଯାହାକି ଏଥର ବିହାର ରାଜନୀତିକୁ ଆହୁରି ଅଧିକ ରୋଚକ କରିଛି ।

Advertisment

ଏନଡିଏରେ ଏବେ ବି ମୂଲଚାଲ 

ମିଳିଥିବା ସୂଚନା ମୁତାବକ, ବିଜେପି ଏବେ ନିଜ ନିଜର ସହଯୋଗୀ ପାର୍ଟିକୁ ମନାଇବାରେ ବ୍ୟସ୍ତ ଅଛି । ଚିରାଗଙ୍କ ସହିତ ଏବେ ଦ୍ୱିତୀୟ ଥର ପାଇଁ କଥାବାର୍ତ୍ତା ଚାଲିଛି । ଚିରାଗ ଏବେ ଦିଲ୍ଲୀରେ ଥିବାବେଳେ, ତାଙ୍କ ସହ ବିହାର ନିର୍ବାଚର ପ୍ରଭାରୀ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିନୋଦ ତାଓ୍ୱଡେ ଏବଂ ମଙ୍ଗଲ ପାଣ୍ଡେ ଖୁବଶୀଘ୍ର ମିଟିଂ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଜୀତନ ରାମ ମାଞ୍ଝୀଙ୍କୁ ମନାଇବାକୁ ନିଜେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଥାବାର୍ତ୍ତା ଚଳାଇଛନ୍ତି  । ବିଜେପି ଜୀତନ ମାଞ୍ଝୀଙ୍କୁ ଭରସା ଦେଇଛନ୍ତି ଯେ, ମେଣ୍ଟରେ ତାଙ୍କ ଦଳକୁ ପୂରା ଧ୍ୟାନ ଦିଆଯିବ । ହେଲେ ତା ପରେ ବି ମାଞ୍ଝୀ ଏବେ ବୁଝିବାକୁ ନାରାଜ ଥିବା ଜଣାପଡ଼ିଛି । 

ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁସାରେ ବିଜେପି ପାଇଁ ଏବେ ସବୁଠୁ ବଡ଼ କଣ୍ଟା ସାଜିଛନ୍ତି ଚିରାଗ ପାସଓ୍ୱାନ୍ । ଚିରାଗ ବିଜେପିକୁ ୩୦ ସିଟ୍ ଦେବାକୁ ଦାବି କରୁଛନ୍ତି , ଆଉ ଏଥିପାଇଁ କଥାବାର୍ତ୍ତା ଜାରି ରହିଛି । ହେଲେ ଯଦି ବିଜେପି ଚିରାଗଙ୍କୁ ୩୦ ସିଟ୍ ଦିଏ ତେବେ ଏହା ଦଳ ପାଇଁ ବୁମେରାଂ ହୋଇପାରେ ।

କଂଗ୍ରେସ-ଆରଜେଡି ଫାଇନାଲ୍ ମିଟିଂ

ବିହାରରେ ଏଥର ବାଜି ଜିତିବାକୁ କଂଗ୍ରେସ ଜୋରସୋରରେ ଲାଗିପଡ଼ିଛି । ହେଲେ ଏଯାଏଁ ଦଳ ମହାମେଣ୍ଟରେ ସାଙ୍ଗ ଥିବା ଆରଜେଡି ସହ ସିଟ୍ ସେୟାରିଂ ଫର୍ମୁଲାକୁ ନେଇ କଥା ଛିଡ଼ାଇପାରିନି । ଏବେ ବି କଂଗ୍ରେସ ଆଉ ଆରଜେଡି ଭିତରେ ମୂଲଚାଲ ଜାରି ରହିଛି । କୁହାଯାଉଛି ବିହାରରେ ଏଥର କଂଗ୍ରେସକୁ ପାଖାପାଖି ୫୫ ସିଟ୍ ମିଳିପାରେ, ଆଉ ୨୫ଟି ସିଟରେ ପ୍ରାର୍ଥୀ ମଧ୍ୟ ଫାଇନାଲ୍ ସରିଲାଣି । ହେଲେ ଏତେ ସବୁ ପରେ ମଧ୍ୟ ମହାମେଣ୍ଟରେ ସିଟ୍ ଭାଗବଣ୍ଟା ଫାଇନାଲ୍ ହୋଇପାରୁନି । ମିଳିଥିବା ସୂଚନା ମୁତାବକ, ଆସନ୍ତା ଗୋଟିଏ କିମ୍ବା ଦୁଇ ଦିନ ଭିତରେ ସିଟ୍ ଭାଗବଣ୍ଟା ନେଇ କଥା ଛିଣ୍ଡିପାରେ ଆଉ ମେଣ୍ଟ ତରଫରୁ ଘୋଷଣା କରାଯାଇପାରେ ।

ଜେଡିୟୁ ୧୦୨ ସିଟରେ ଲଢ଼ିବ ନିର୍ବାଚନ! 

ବିହାରରେ ନୀତୀଶଙ୍କ ଜେଡିୟୁ ଏଥର ୧୦୨ ସିଟରେ ନିର୍ବାଚନ ଲଢ଼ିବା ନେଇ ଖବର ଆସୁଛି । ଏବେ ପର୍ୟ୍ୟନ୍ତ ପାଖାପାଖି ୩୦ ସିଟରେ ଦଳ ପ୍ରାର୍ଥୀ ମଧ୍ୟ ଫାଇନାଲ୍ କରିସାରିଥିବା କୁହାଯାଉଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଏହି ଲିଷ୍ଟକୁ ଗ୍ରୀନ୍ ସିଗନାଲ୍ ଦେଇସାରିଛନ୍ତି । ବିଜେପି ସହ ସିଟ୍ ସେୟାରିଂ ଫର୍ମୁଲା ନେଇ କଥାବାର୍ତ୍ତା ଆଲୋଚନା ଶେଷ ହେବା ପରେ ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ।