କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନରେ ଆଶା ଅନୁଯାୟୀ ଫଳ ପାଇପାରିଲାନି ଲାଲୁଙ୍କ ଆର୍‌ଜେଡି । ଏହି ନିର୍ବାଚନର ଫଳାଫଳ ଆରଜେଡିର ସବୁଠାରୁ ଖରାପ ପ୍ରଦର୍ଶନ ମଧ୍ୟରୁ ଗୋଟିଏ ସାବ୍ୟସ୍ତ ହେବାକୁ ଯାଉଛି । ଏଥର ବିହାରରେ ଲିଡ୍‌ ନେବାରେ ବିଫଳ ହୋଇଛନ୍ତି ତେଜସ୍ୱୀ ଯାଦବ । ମହାମେଣ୍ଟକୁ ମୋଟ ୩୮ଟି ଆସନରେ ହିଁ ଲିଡ୍‌ ମିଳିଛି । ସ୍ଥିତି ଏମିତି ହେଲାଣି ଯେ ଏଠାରେ ଆର୍‌ଜେଡି ବିରୋଧୀ ଦଳ ଭୂମିକା ବହନ କରିପାରିବ କି ନାହିଁ ତାହାକୁ ନେଇ ସନ୍ଦେହ  ସୃଷ୍ଟି ହେଲାଣି । ବିହାରର ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା ତେଜସ୍ୱୀ ଯାଦବଙ୍କ ପାଇଁ ଏବେ ବିରୋଧୀ ଦଳର ନେତା ପଦ ମିଳିବା କଷ୍ଟକର ହୋଇପାରେ । ନୂଆ ଟ୍ରେଣ୍ଡ ଅନୁଯାୟୀ, ଆରଜେଡି ମାତ୍ର ୨୧ରୁ ୨୨ଟି ଆସନରେ ଆଗୁଆ ରହିଥିବା ଦେଖିବାକୁ ମିଳିଛି । ବିହାରରେ ବିରୋଧୀ ଦଳର ନେତା ହେବା ପାଇଁ ଅତି କମରେ ୨୪ ଜଣ ବିଧାୟକ ଆବଶ୍ୟକ ।

Advertisment

ତେବେ ଏହି ସଂଖ୍ୟା ୨୦୨୦ରେ ଆରଜେଡିକୁ ମିଳିଥିବା ୭୫ଟି ଆସନର ଅଧାରୁ ମଧ୍ୟ କମ୍ । ଯଦି କୌଣସି ପ୍ରକାରେ ଆରଜେଡିର ୨୪ ଜଣ ପ୍ରାର୍ଥୀ ବଜୟ ହାସଲ କରନ୍ତି ତେବେ ବି ଅନେକ ପ୍ରଶ୍ନ ଉଠିବ । ତେଜସ୍ୱୀଙ୍କ ରାଘୋପୁର ବିଧାନସଭା ଆସନରେ ୧୫ ରାଉଣ୍ଡ ଭୋଟ ଗଣତି ପରେ ଆର୍‌ଜେଡି ୮ ହଜାର ଭୋଟ ପଛରେ ଅଛି । ଏଠାରେ ବିଜେପି ପ୍ରାର୍ଥୀ ସତୀଶ କୁମାର ଆର୍‌ଜେଡିଠାରୁ ଆଗୁଆ ଅଛନ୍ତି । ତେବେ ମହାମେଣ୍ଟ ୩୮ଟି ଆସନରେ ଆଗୁଆ ରହିଛି । ଏଥିରେ କଂଗ୍ରେସର ୪ଟି, ସିପିଆଇ ଏମଏଲର ୩ଟି ଏବଂ ସିପିଏମର ଗୋଟିଏ ଆସନରେ ପ୍ରତିଦ୍ୱନ୍ଦିତା କରୁଛି ।  

ଏହା ବି ପଢ଼ନ୍ତୁ: କାମ ଦେଲାନି ଭୋଟ୍ ଚୋରି ରଣନୀତି : ବିହାରରେ ହାତ ଟେକିଦେଲା ହାତ !

୨୦୧୦ରେ ମଧ୍ୟ ବିହାରରେ ଆରଜେଡିର ବଡ଼ ଧରଣର ପରାଜୟ ହୋଇଥିଲା । ଏହି ନିର୍ବାଚନରେ ଆରଜେଡି ୧୬୮ଟି ଆସନରେ ଲଢ଼ିଥିଲା ଏବଂ ମାତ୍ର ୨୨ଟି ଆସନରେ ହିଁ ବିଜୟ ହାସଲ କରିପାରିଥିଲା । ଏହି କାରଣରୁ ହିଁ ଆରଜେଡିକୁ ସେତେବେଳେ ମଧ୍ୟ ବିରୋଧୀ ଦଳର ନେତା ପଦ ମିଳିପାରିନଥିଲା ।

ବିହାର ବିଧାନସଭା ନିର୍ବାଚନରେ ପରିବର୍ତ୍ତନ ଦାବି କରି କ୍ଷମତାକୁ ଫେରିବାକୁ ଆଶା ରଖିଥିବା ତେଜସ୍ୱୀ ଯାଦବଙ୍କୁ ଏକ ବଡ଼ ଝଟକା ଲାଗିବାକୁ ଯାଉଛି । ଆସନ ବୁଝାମଣାରେ ସର୍ବାଧିକ ସଂଖ୍ୟକ ଆସନ ସୁରକ୍ଷିତ କରିବାକୁ ଚେଷ୍ଟା କରୁଥିବା କଂଗ୍ରେସ ୬୦ରୁ ଅଧିକ ପ୍ରତିଦ୍ୱନ୍ଦ୍ୱିତା କରିବା ସତ୍ତ୍ୱେ ମାତ୍ର ୫ଟି ଆସନରେ ଆଗୁଆ ଅଛି । ଏହି ଆସନଗୁଡ଼ିକ ମଧ୍ୟରୁ ଅନେକରେ ମହାଗଠବନ୍ଧନ ଭିତରେ ବିବାଦ ଦେଖାଯାଇଥିଲା ଏବଂ ପ୍ରାୟ ୧୨ ଟି ଆସନରେ ଆର୍‌ଜେଡି ଓ କଂଗ୍ରେସ ମଧ୍ୟରେ ହିଁ  ପ୍ରତିଦ୍ୱନ୍ଦ୍ୱିତା ଦେଖାଯାଇଥିଲା । ୨୦୨୦ ବିଧାନସଭା ନିର୍ବାଚନରେ କଂଗ୍ରେସ ୭୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା ଏବଂ କେବଳ ୧୯ ଟିରେ ବିଜୟ ହାସଲ କରିପାରିଥିଲା  । ଗତଥର ତେଜସ୍ୱୀ ଯାଦବଙ୍କ ଆରଜେଡି ୭୪ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଥିଲା । କିନ୍ତୁ ଏଥର ସବୁ ଗଣିତ ଫେଲ୍‌ ମାରିଛି ।