Bihar election Photograph: (KanakNews)
କନକ ବ୍ୟୁରୋ: ବିହାରରେ ପୁଣି ଏନଡିଏ ସରକାର । ବିଧାନସଭା ନିର୍ବାଚନରେ ବାଜିମାତ୍ କରିଛି ଏନଡିଏ । ବିଜେପି-ଜେଡିୟୁ-ଏଲଜେପି-ହାମ୍ ମେଣ୍ଟ ମୋଟ ୨୪୩ ଆସନରୁ ୨୦୨ ସିଟ୍ ହାତେଇଛନ୍ତି । ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି ବିଜେପି । ୧୦୧ଟି ଆସନରେ ଲଢି ବିଜେପି ଏକାକୀ ୮୯ଟି ଆସନରେ ବାଜିମାତ୍ କରିଛି । ସମାନ ସଂଖ୍ୟକ ଆସନରେ ଲଢି ଜେଡିୟୁ ୮୫ଟି ଆସନ ପାଇଛି । ଆଉ ଚିରାଗ ପାଶୱାନଙ୍କ ଏଲଜେପି ୨୯ଟି ଆସନରେ ଲଢି ୧୯ଟିରେ ଜିତିଛି। ସେହିପରି ଜିତନରାମ ମାଞ୍ଝୀଙ୍କ ହାମ୍ ୬ଟି ଆସନରେ ପ୍ରାର୍ଥୀ ଦେଇଥିଲା, ୫ ଜଣ ଜିତିଛନ୍ତି । କାମ କରିନି ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଯାଦୁ । ତେଜସ୍ବୀ ଓ ରାହୁଲଙ୍କ ଯୋଡ଼ିକୁ ବିହାରବାସୀ ଗ୍ରହଣ କରିପାରି ନାହାନ୍ତି । ଆରଜେଡି ସର୍ବାଧିକ ୧୪୩ଟି ସିଟରେ ଲଢ଼ି ମାତ୍ର ୨୫ଟିରେ ବିଜୟଲାଭ କରିଥିବା ବେଳେ କଂଗ୍ରେସ ୬୧ଟି ସିଟରେ ଲଢ଼ି ମାତ୍ର ୬ଟି ଆସନରେ ଜିତିବାକୁ ସକ୍ଷମ ହୋଇଛି । ମୋଟ୍ ୨୪୩ଟି ଆସନରୁ ଏନଡିଏ ମେଣ୍ଟ ୨୦୦ରୁ ଅଧିକ ଆସନରେ କବଜା କରିଥିବା ବେଳେ ମହାଗଠବନ୍ଧନର ଆସନ ସଂଖ୍ୟା ୪୦କୁ ହ୍ରାସ ପାଇଛି। ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରକାଶିତ ଚୂଡ଼ାନ୍ତ ଦଳଗତ ଭୋଟ୍ ପ୍ରତିଶତ ଅନୁଯାୟୀ ଭାରତୀୟ ଜନତା ପାର୍ଟିକୁ ୨୨.୪% ପ୍ରତିଶତ, ଜେଡିୟୁକୁ ୧୮.୦୫%, ଏଲଜେପିକୁ ୫.୭% ଭୋଟ ମିଳିଛି । ସେହିପରି ଏକକ ଦଳ ହିସାବରେ ସର୍ବାଧିକ ୨୨.୭୯ ପ୍ରତିଶତ ଭୋଟ୍ ଆରଜେଡିକୁ ମିଳିଛି । କଂଗ୍ରେସକୁ ମାତ୍ର ୬.୦୯% ଭୋଟ ମିଳିଥିବା ବେଳେ ପ୍ରଶାନ୍ତ କିଶୋରଙ୍କ ଜନ ସୂରାଜ ପାର୍ଟିକୁ ମିଳିଛି ମାତ୍ର ୩.୫% ଭୋଟ୍ ।
ଅଧିକ ପଢନ୍ତୁ : ଜେଲରେ ଥାଇ ଜିତିଗଲେ ନେତା, ବାହୁବଳୀ ନେତା ଅନନ୍ତ ସିଂଙ୍କୁ ବାଛିଲେ ଜନତା
ବିହାରରେ ଭାରତୀୟ ଜନତା ପାର୍ଟି ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି । ଏନଡିଏ ମୋଟ ୨୦୨ଟି ଆସନରେ ବିଜୟୀ ହୋଇଥିବା ବେଳେ ତାମଧ୍ୟରୁ ବିଜେପି ୯୫ଟି ଓ ଜେଡିୟୁ ୮୫ଟି ଆସନରେ ବିଜୟ ହାସଲ କରିଛନ୍ତି। ଏସବୁ ମଧ୍ୟରେ ଏବେ ପ୍ରଶ୍ନ ଉଠୁଛି: ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ବିଜେପିରୁ କେହି ମୁଖ୍ୟମନ୍ତ୍ରୀ ହେବେ କି? ନୀତୀଶ କୁମାରଙ୍କୁ ଏକ ପୃଥକ ଦାୟିତ୍ୱ ଦିଆଯିବ କି? ଏନେଇ ବିଭିନ୍ନ କଳ୍ପନାଜଳ୍ପନା କରାଯାଉଛି । ତଥାପି ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ରହିଛନ୍ତି ନୀତିଶ କୁମାର। ନୀତିଶଙ୍କ ସହ ଅନ୍ୟ କିଛି ଚେହେରାଙ୍କ ଉପରେ ପକାନ୍ତୁ ନଜର ।
ନୀତୀଶ କୁମାର
-ନୀତୀଶ କୁମାର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ
-ନିର୍ବାଚନ ପୂର୍ବରୁ ତାଙ୍କୁ ଏନଡିଏର ଚେହେରା ଘୋଷଣା କରାଯାଇଥିଲା
-୨୦୨୦ରେ ତୃତୀୟ ବୃହତ ଦଳ ହେବା ସତ୍ତ୍ୱେ ବିଜେପି ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା
-ଏଥର ମଧ୍ୟ ସହଯୋଗୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରେ ବିଜେପି
-ନୀତୀଶ କୁମାରଙ୍କର ୧୫ ବର୍ଷରୁ ଅଧିକ ଅଭିଜ୍ଞତା ଅଛି
-ବିଜେପି ତୁଳନାରେ ଜେଡିୟୁ ଏକ ଛୋଟ ଦଳ ହେବା ତାଙ୍କ ପ୍ରଭାବକୁ ହ୍ରାସ କରିପାରେ
ବିଜୟ କୁମାର ସିହ୍ନା
-ବିଜୟ କୁମାର ସିହ୍ନା ବର୍ତ୍ତମାନ ବିହାରର ଉପମୁଖ୍ୟମନ୍ତ୍ରୀ
-ପୂର୍ବରୁ ବିଧାନସଭା ବାଚସ୍ପତି ପଦବୀରେ ରହିସାରିଛନ୍ତି
-ଲଖିସରାଇରୁ ଜିତି ଏକ ଦୃଢ଼ ଚେହେରା ଭାବରେ ଉଭା ହୋଇଛନ୍ତି
-ଅଭିଜ୍ଞତା ଏବଂ ସାଂଗଠନିକ ଶକ୍ତିକୁ ଦୃଷ୍ଟିରେ ଦେଖିଲେ ସେ ମଧ୍ୟ ଦାବିଦାର
ସମ୍ରାଟ ଚୌଧୁରୀ
-ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ରହିଛନ୍ତି
-ଏନଡିଏରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି
-ଦଳ ଓବିସି ନେତାଙ୍କୁ ବାଛିଲେ, ସେ ପ୍ରଥମ ପସନ୍ଦ ହୋଇପାରିବେ
-ଜଣେ ଯୁବ ଏବଂ ଆକ୍ରମଣାତ୍ମକ ନେତା ଭାବରେ ପରିଚିତ
-ପୂର୍ବରୁ ଦଳର ରାଜ୍ୟ ସଭାପତି ଭାବେ ତୁଲାଇଛନ୍ତି ଦାୟିତ୍ବ
ରେଣୁ ଦେବୀ
-ମହିଳା ଏବଂ ଅତ୍ୟନ୍ତ ପଛୁଆ ବର୍ଗର ପ୍ରତିନିଧିତ୍ୱ କରୁଛନ୍ତି
-ଦିଲ୍ଲୀ ମଡ଼େଲରେ ରେଣୁ ଦେବୀଙ୍କୁ ଆଗକୁ ଆଣିପାରେ ଦଳ
-ବିହାରର ଉପମୁଖ୍ୟମନ୍ତ୍ରୀ ଭାବରେ ପୂର୍ବରୁ କାର୍ଯ୍ୟ କରିଛନ୍ତି
ବିହାର ପରେ ବିଜେପିର ପଶ୍ଚିମବଙ୍ଗ ଦଖଲ ଲକ୍ଷ୍ୟ। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ଆୟୋଜିତ ବିଜୟ ଉତ୍ସବ ମଞ୍ଚରୁ ଇସାରା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିହାରର ବମ୍ଫର ବିଜୟ ବଙ୍ଗଳା ପାଇଁ ପଥ ପ୍ରଶସ୍ତ କରିଛି; ଆମେ ସେଠାରେ ମଧ୍ୟ ଜଙ୍ଗଲରାଜକୁ ଉପାଡ଼ି ଫୋପାଡ଼ିଦେବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯେପରି ବିହାରର ଲୋକମାନେ ଭୟ, ଆତଙ୍କ, ଦୁର୍ନୀତି ଏବଂ ଜଙ୍ଗଲରାଜକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ସେହିପରି ବଙ୍ଗଳାର ଲୋକମାନେ ମଧ୍ୟ ପରିବର୍ତ୍ତନ ପାଇଁ ପ୍ରସ୍ତୁତ। ବିଜେପି କର୍ମୀଙ୍କ କଠିନ ପରିଶ୍ରମ ଏବଂ ଜନସାଧାରଣଙ୍କ ବିଶ୍ୱାସ ପାଇଁ ପଶ୍ଚିମବଙ୍ଗରେ ରାଜନୈତିକ ପରିବର୍ତ୍ତନ ଅନିବାର୍ଯ୍ୟ ।
ପଶ୍ଚିମବଙ୍ଗରେ ବିଜେପିର ଜନାଧାର ନିରନ୍ତର ବୃଦ୍ଧି ପାଉଛି ଏବଂ ସେଠାକାର ଲୋକମାନେ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ବୋଲି ମୋଦୀ କହିଛନ୍ତି। ୨୦୨୬ରେ ଅନୁଷ୍ଠିତ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ।
ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ: କହିଲେ, ‘ଏନଡିଏ ଜନତା ଜନାର୍ଦ୍ଦନ ସେବକ’
ବିହାର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ସାମ୍ନାକୁ ଆସିଛି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା। ସୋସିଆଲ ମିଡ଼ିଆ ଏକ୍ସ ଆକାଉଣ୍ଟରେ ସେ ଦଳ ଓ ମହାଗଠବନ୍ଧନର ପ୍ରଦର୍ଶନକୁ ନେଇ ଉଲ୍ଲେଖ କରିଛନ୍ତି।
ମହାଗଠବନ୍ଧନ ଉପରେ ବିଶ୍ୱାସ ରଖିଥିବା ବିହାରର ଲକ୍ଷ ଲକ୍ଷ ଭୋଟରଙ୍କ କୃତଜ୍ଞତା ଜଣାଇଛନ୍ତି ରାହୁଲ ଗାନ୍ଧୀ।
ବିହାରର ଏହି ଫଳାଫଳ ପ୍ରକୃତରେ ଆଶ୍ଚର୍ଯ୍ୟଜନକ। ଆମେ ଆରମ୍ଭରୁ ନିରପେକ୍ଷ ନିର୍ବାଚନ ଜିତିବାରେ ବିଫଳ ହୋଇଥିଲୁ ବୋଲି ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏହି ଲଢ଼େଇ ସମ୍ବିଧାନ ଏବଂ ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ। କଂଗ୍ରେସ ଦଳ ଏବଂ ଇଣ୍ଡିଆ ଆଲାଏନ୍ସ ଏହି ଫଳାଫଳକୁ ଗଭୀର ଭାବରେ ସମୀକ୍ଷା କରିବେ ଏବଂ ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ ସେମାନଙ୍କର ପ୍ରୟାସକୁ ତୀବ୍ର କରିବେ ବୋଲି ରାହୁଲ କହିଛନ୍ତି।
Follow Us