କନକ ବ୍ୟୁରୋ:  ବିହାର ବିଧାନସଭା ନିର୍ବାଚନ ପାଇଁ ସରଗରମ ରହିଛି ରାଜନୀତି । ଭୋଟରଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରବା ପାଇଁ ଏନଡିଏ ଏବଂ ମହାଗଠବନ୍ଧନ ଜୋରସୋର୍ ପ୍ରୟାସ ଚଳାଇଛନ୍ତି । ଆସନ୍ତା ଅକ୍ଟୋବର ୬ ତାରିଖ ପରେ ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ । ଏହା ପୂର୍ବରୁ କର୍ମଚାରୀ ନିଯୁକ୍ତି ଓ ବଦଳି ଆଦି ଶେଷ କରିବା ପାଇଁ  ବିହାର ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ବାଚନ କମିସନ ଚିଠି ଲେଖିଛନ୍ତି । ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ବିହାର ଗସ୍ତ କରି ନିର୍ବାଚନ ପ୍ରସ୍ତୁତି ଅନୁଧ୍ୟାନ କରିବେ ଓ  ନିର୍ବାଚନ ତାରିଖ ଘୋଷଣା କରିବେ ।  ନିର୍ଚାଚନ କମିସନଙ୍କ ପକ୍ଷରୁ ବିହାର ନିର୍ବାଚନ ଘୋଷଣା ସମ୍ପର୍କରେ ସୂଚନା ମିଳିବା ପରେ ବିଭିନ୍ନ ରାଜନୈତିକ ଦଳ ଆହୁରି ସକ୍ରିୟ ହୋଇଉଠିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ପକ୍ଷରୁ ବିହାର ନିର୍ବାଚନ ପାଇଁ ବଡ଼ ଦାୟିତ୍ୱ ଦିଆଯାଇଛି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପିର ବିହାର ନିର୍ବାଚନ ପ୍ରଭାରୀ ଭାବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ନିଯୁକ୍ତ କରିଛନ୍ତି ।  ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ କେନ୍ଦ୍ରମନ୍ତ୍ରୀ ସି.ଆର୍ ପାଟିଲଙ୍କୁ ସହ- ପ୍ରଭାରୀ ଦାୟିତ୍ବ ଦିଆଯାଇଛି । ସେହିପରି ଆସନ୍ତାବର୍ଷ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ  ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେପିର  ପ୍ରଭାରୀ ଦାୟିତ୍ବ ଦିଆଯାଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲୀ ମୋହୋଲଙ୍କୁ ବିଜେପି ତାମିଲନାଡୁ ନିର୍ବାଚନ ସହ- ପ୍ରଭାରୀ ଦାୟିତ୍ବ ଦେଇଛି । ସେହିପରି ଆସନ୍ତାବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ  ବିଜେପି ପକ୍ଷରୁ ପ୍ରଭାରୀ ଦାୟିତ୍ୱ ଓ ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ସହ- ପ୍ରଭାରୀ ଦାୟିତ୍ବ ତୁଲାଇବେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା ଏମାନଙ୍କୁ ନିଯୁକ୍ତି ଦେଇଛନ୍ତି ।

Advertisment