କନକ ବ୍ୟୁରୋ: ବିହାର ରାଜନୀତିକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ବର୍ଷ ଶେଷକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଖାସ କରି ନୀତିଶଙ୍କୁ ଏଥର ସରକାରକୁ ହଟାଇବା ଲାଗି ଆରଜେଡି ଜୋରଦାର ପ୍ରସ୍ତୁତି କରିଦେଇଛି । ସେଇଥି ଲାଗି ତ ଲାଲୁଙ୍କ ଦୁଇ ପୁଅ ତେଜପ୍ରତାପ ଓ ତେଜସ୍ବୀ ରଣନୀତି ପ୍ରସ୍ତୁତ କରୁଛନ୍ତି । କେବଳ ଆରଜେଡି ନୁହେଁ ବରଂ ସବୁଦଳର ନେତା ଏଥର ରେକର୍ଡ କରିବା ଦିଗରେ କାମ କରୁଛନ୍ତି । ଖାସ କରି ତେଜସ୍ବୀ ପୂର୍ବରୁ ଦଳ କରିଥିବା ଭୁଲକୁ ସୁଧାରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ବେଳେ ଏଥର ବିହାରରେ କେମିତି ଦଳ କ୍ଷମତା ଦଖଲ କରିବ ସେନେଇ ପ୍ଲାନ ବି କରୁଛନ୍ତି । ପୂର୍ବଥର ମାତ୍ର ଡର୍ଜେନ୍ ସିଟ ଲାଗି ମୁଖ୍ୟମନ୍ତ୍ରୀ ହୋଇପାରିନଥିଲେ ତେଜସ୍ବୀ । ତେଣୁ ଏଥର ସିଏମ ଚୌକି ହାତେଇବା ଲାଗି ସେ ସବୁପ୍ରକାର ଉଦ୍ୟମ କରୁଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ସେପଟେ ଲାଲୁ ଅସୁସ୍ଥ ଥିବା ପରେ ବି ଏଥର ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି ଘୋଷଣା କରିଛନ୍ତି । ଏମିତି ସ୍ଥିତିରେ ଏନିଡିଏ ବି ପଛରେ ନାହିଁ । ଅର୍ଥାତ୍ ରେକର୍ଡ ଭୋଟ୍ ନେବାକୁ ରଣନୀତି କରିଛି ।
୨୦୧୦ ରେକର୍ଡ ଭାଙ୍ଗିବାକୁ ଏନଡିଏର ପ୍ରସ୍ତୁତି
୨୦୧୦ ମସିହାରେ ବିହାରରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ୧୧୫ ବିଧାନସଭା ସିଟ୍ ମିଳିଥିବା ବେଳେ ଜେଡିୟୁକୁ ମିଳିଥିଲା ୯୧ ସିଟ୍ । ଦୁଇ ଦଳ ଅର୍ଥାତ୍ ବିଜେପି ଓ ଜେଡିୟୁ ମିଶି ବିହାର ମୋଟ୍ ୨୪୩ ସିଟ୍ରୁ ୨୦୬ ସିଟ୍ ହାତେଇଥିଲେ । ଆଉ ଆରଜେଡି ଖାତାକୁ ଯାଇଥିଲା ମାତ୍ର ୨୨ ସିଟ୍ । ଆରଜେଡିର ଏମିତି ସ୍ଥିତି ଲାଗି ନେତା ବି ଚିନ୍ତାରେ ଥିଲେ । ହେଲେ ୨୦୧୫ରେ ବିହାର ରାଜନୀତିର ସମୀକରଣ ବଦଳିଥିଲା । ଆରଜେଡି ସହ ସାମିଲ ହୋଇଥିବେ ନୀତିଶ କୁମାର । କଥା ହେଲା , ଆରଜେଡି ନେତାଙ୍କ ପ୍ରବଳ ଦୁର୍ନୀତିରେ ଲୋକେ ଆକ୍ତାମାକ୍ତ ହୋଇ ସରକାରକୁ ବରଖାସ୍ତ କଲେ । ହେଲେ ନୀତିଶ କୁମାର ଆରଜେଡି ସହ ମେଣ୍ଟ କରି ସରକାର କଲେ, ନିଜେ ସିଏମ ହେଲେ । ୨୦୨୦ ମସିହାରେ ବି ବିହାର ରାଜନୀତିକୁ ନେଇ ଚର୍ଚ୍ଚା ହୋଇଥିଲା । ନୀତିଶଙ୍କ କ୍ଷମତାରେ ତେଜସ୍ବୀ ବଳିଆନ ହୋଇଥିବା କୁହାଗଲା । ହେଲେ ଏଥର ନିର୍ବାଚନରେ ଏନଡିଏ ୨୦୦ ସିଟ୍ରେ ବିଜୟ ହେବା ନେଇ ପ୍ଲାନ କରୁଛି । ଯାହାକୁ ନେଇ ଲାଲୁଙ୍କ ଶିବିରରେ ହଲଚଲ ଦେଖିବାକୁ ମିଳିଛି ।
ଆରଜେଡିର ମୁଖ୍ୟମନ୍ତ୍ରୀ ଚେହେରା ଏଥର ତେଜସ୍ବୀ
ଏଥର ବିଧାନସଭା ନିର୍ବାଚନ ଦେଖିବ ବିହାର । ଅବଶ୍ୟ ତେଜସ୍ବୀ ଆରଜେଡିର ମୁଖ୍ୟମନ୍ତ୍ରୀ ଚେହେରା ବୋଲି ଘୋଷଣା କରାଯାଇନାହିଁ । କିନ୍ତୁ ପୂର୍ବରୁ ତେଜସ୍ବୀ ମୁଖ୍ୟମନ୍ତ୍ରୀ ଚେହେରା ହୋଇଥିଲେ ତେଣୁ ଏଥର ବି ସେ ହେବେ ବୋଲି କୁହାଯାଉଛି । କୁହାଯାଉଛି କି, ମହାଗଠବନ୍ଧନରେ ତେଜସ୍ବୀଙ୍କ ଦଳ ବଡ଼ ଦଳ । ତେଣୁ ତେଜସ୍ବୀଙ୍କ ନାଁ ଉପରେ କଂଗ୍ରେସ ବି ମୋହର ମାରିପାରେ । ଅବଶ୍ୟ ଏନେଇ କଂଗ୍ରେସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।
୨୦୨୦ ରେ ଦମ ଦେଖାଇଥିଲେ ତେଜସ୍ବୀ
୨୦୨୦ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ ଦମ୍ ଦେଖାଇଥିଲେ ତେଜସ୍ବୀ । ମହାଗଠବନ୍ଧନ ଏନଡିଏକୁ କଡା ଟକ୍କର ବି ଦେଇଥିଲା । ତେଣୁ ଏଥର ବି ଜୋରଦାର ଲଢେଇ ହେବ ବୋଲି କୁହାଯାଉଛି । ପୂର୍ବଥର ତେଜସ୍ବୀ ନିଜ ଦମ୍ରେ ୭୫ରୁ ଅଧିକ ଆସନ ଜିତିଥିବା ବେଳେ ଅନ୍ୟଦଳର ସହାୟତାରେ ୩୧ ସିଟ୍ରେ ସମର୍ଥନ ପାଇଥିଲା । କିନ୍ତୁ ତଥ୍ୟ କହୁଛି, ୨୦୧୫ରେ ଆରଜେଡି ଯେତିକି ସିଟ୍ ପାଇଥିଲା ୨୦୧୦ରେ ତାହାଠାରୁ ୫ ସିଟ୍ କମିଗଲା । କିନ୍ତୁ ଏନଡିଏ ଖାତାକୁ ଯାଇଥିଲା ଅଧିକ ୨୧ ସିଟ୍ । ଗଣନା କହୁଛି, ଆରଜେଡିଠାରୁ ଏନଡିଏ ମାତ୍ର ଗୋଟିଏ ସିଟ୍ରେ ପଛରେ ଥିଲା । ଆଉ ଜେଡିୟୁର ଅବସ୍ଥା ସାଙ୍ଘାତିକ ହୋଇଗଲା । ୨୦୧୫ରେ ୭୧ ସିଟ୍ରେ ବିଜୟ ଲାଭ କରିଥିବା ଜେଡିୟୁ ୨୦ରେ ପାଇଥିଲା ମାତ୍ର ୪୩ ସିଟ୍ । ଆଉ ଏହା ପଛରେ ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନଙ୍କ ରଣନୀତି ଥିଲା ବୋଲି କୁହାଯାଇଥିଲା ।
୨୬ ଲକ୍ଷ ଭୋଟ୍ ମହାଗଠବନ୍ଧନର ଅକଲ ଗୁଡୁମ କରିଥିଲା
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ୨୦୨୦ରେ ଆରଜେଡି ମୋଟ୍ ୯୭ ଲକ୍ଷ ୩୬ ହଜାର ୨୪୨ ଖଣ୍ଡ ଭୋଟ୍ ପାଇଥିଲା । ସେହିପରି କଂଗ୍ରେସ ୩ ଲକ୍ଷ ୯୯ ହଜାର ୩ ଖଣ୍ଡ ଭୋଟ୍ ପାଇଥିବା ବେଳେ ସିପିଆଇ ପ୍ରାର୍ଥୀଙ୍କୁ ମିଳିଥିଲା ୧୩ ଲକ୍ଷ ୨୨ ହଜାର ୧୪୩ ଖଣ୍ଡ ଭୋଟ୍ । ୨୦୧୦ ମସିହାରେ ସିପିଆଇ ଓ ସିପିଏମର ଦୁଇ ବିଧାୟକ ମହାଗଠବନ୍ଧନରେ ଥିଲେ । ସିପିଆଇଏମକୁ ୨ ଲକ୍ଷ ୭୪ ହଜାର ୧୫୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ସିପିଆଇକୁ ମିଳିଥିଲା ୩ ଲକ୍ଷ ୪୯ ହଜାର ୪୮୯ ଖଣ୍ଡ ଭୋଟ୍ । ଠିକ୍ ସେହିପରି ଏନଡିଏରେ ସାମିଲ ଥିବା ଦଳ ଭିତରୁ ଜେଡିୟୁକୁ ୬୪ ଲକ୍ଷ ୮୪ ହଜାର ୪୧୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ଖାତାକୁ ଯାଇଥିଲା ୮୨ ଲକ୍ଷ ୧୪୦୮ ଖଣ୍ଡ ଭୋଟ୍ । ଏହାସହ ଏନଡିଏ ସହ ସାମିଲ ଥିବା ହମ୍ ଏବଂ ବିଆଇପିକୁ ୪ ସିଟ୍ ମିଳିଥିଲା । ହେଲେ ସେମାନଙ୍କୁ ନିର୍ଦ୍ଦିଷ୍ଟ କେତେ ଖଣ୍ଡ ଭୋଟ୍ ମିଳିଥିଲା ସେନେଇ କୌଣସି ସୂଚନା ମିଳିପାରିନାହିଁ ।
୨ ପରସ୍ପର ବିରୋଧୀଙ୍କୁ ମିଳିଛି ଅଧିକ ଭୋଟ୍
ବିହାର ସମୀକରଣକୁ ଯଦି ପାଖରୁ ଦେଖାଯାଏ ତାହାଲେ ୨୦୨୦ରେ ମହାଗଠବନ୍ଧନ ଓ ଏନଡିଏ ଉଭୟ ଦଳକୁ ପୂର୍ବଅପେକ୍ଷା ଅଧିକ ଭୋଟ ମିଳିଥିଲା । ତେଣୁ ଏଥର ଲଢେଇ ଜୋରଦାର ହେବ । କୁହାଯାଉଛି କି, ତେଜସ୍ବୀ ଦେଖୁଥିବା ସିଏମ ଚୌକିରେ ବସିବାକୁ ହେଲେ ତାଙ୍କୁ ଅଧିକ ଭୋଟ୍ ହାତେଇବାକୁ ପଡ଼ିବ । ସେପଟେ ବିଜେପିର ରାସ୍ତା ଓଗାଳିଥିଲେ ଚିରାଗ ପାଶୱାନ । ହେଲେ ଏଥର ଏନଡିଏରେ ସେ ସାମିଲ ଥିବାରୁ ଦଳକୁ ଅଧିକ ଭୋଟ୍ ମିଳିବା ନେଇ ଆଶା ରଖିଛି । କାରଣ ପୂର୍ବରୁ ୧୩୫ ଆସନରେ ପ୍ରାର୍ଥୀ ଦେଇଥିଲେ ଚିରାଗ । କିନ୍ତୁ ମାତ୍ର ଜଣିଏ ପ୍ରାର୍ଥୀ ହିଁ ତାଙ୍କର ଜିତିଥିଲେ କିନ୍ତୁ ଭୋଟ୍ ବିଭାଜନ କରିବାରେ ସେ ସଫଳ ହୋଇଥିଲେ । ପୂର୍ବ ନିର୍ବାଚନରେ ଚିରାଗଙ୍କ ପାର୍ଟିକୁ ମାତ୍ର ୫ ଦଶମିକରୁ ସାମାନ୍ୟ ଅଧିକ ଭୋଟ୍ ମିଳିଥିଲା ।
ତେଜସ୍ବୀଙ୍କ ଉପରେ ଲାଲୁଙ୍କ ଭରସା
ପୂର୍ବଥର ଅପେକ୍ଷା ଏଥର ତେଜସ୍ବୀଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ଏଥର ତାଙ୍କ ଉପରେ ଅଧିକ ଭରସା କରିଛନ୍ତି ଲାଲୁ । ଲାଲୁ ଭାବୁଛନ୍ତି ଏଥର ବିହାରର ସିଏମ ମୁକୁଟ ପିନ୍ଧିବେ ତେଜସ୍ବୀ । ଅବଶ୍ୟ ଏହା ଏତେ ସହଜ ନୁହେଁ ହେଲେ ବି ତେଜସ୍ବୀ ନିଜ ସ୍ବପ୍ନ ସାକାର କରିବାକୁ ଜୋରଦାର ଉଦ୍ୟମ କରୁଛନ୍ତି । ହେଲେ ପ୍ରଶାନ୍ତ କିଶୋର ତାଙ୍କ ରାସ୍ତାରେ କଣ୍ଟା ସାଜିପାରନ୍ତି ବୋଲି କହାଯାଉଛି । କାରଣ ପ୍ରଶାନ୍ତ କିଶୋର ଯେଉଁ ରାଜନୈତିକ ଦଳରେ ସାମିଲ ଥାଆନ୍ତି ସେ ଦଳ ବିଜୟ ହେଉଥିବାର ନଜିର ରହିଛି ।
ଦମ୍ ରହିବ ତ ତେଜସ୍ବୀଙ୍କ କଥାରେ
ପୂର୍ବରୁ ଯେବେ ଆରଜେଡି ସହ ଜେଡିୟୁ ମିଶିକି କାମ କରୁଥିଲା ସେଥିରୁ ଗୋଟିଏ କଥା ସ୍ପଷ୍ଟ ଜଣାପଡୁଥିଲା କି ଦଳକୁ ଏକଜୁଟ୍ କରିବାରେ ତେଜସ୍ବୀଙ୍କ ଭୂମିକା ବେଶ ସକ୍ରିୟ । ଏମିତିକି ରାଜ୍ୟରେ ରୋଜଗାର ବଢାଇବା ଲାଗି ସେ ଅନେକ କାମ କରୁଥିଲେ । କେବଳ ଏତିକି ନୁହେଁ ବରଂ ୨୦୦ ୟୁନିଟ୍ ଫ୍ରି ବିଜୁଳି, ମହିଳାଙ୍କୁ ପ୍ରତି ମାସରେ ୨୫ ଶହ ଟଙ୍କା ସମ୍ମାନ ରାଶି, ବୃଦ୍ଧାଙ୍କୁ ପେନସନ ଆଦି କେତେ କଣ ଯୋଜନା କରିଥିଲେ । ତେଣୁ ଏଥର ସେ ସରକାରକୁ ଆସିଲେ ଅନେକ ଯୋଜନା କରିବେ ବୋଲି କହୁଛନ୍ତି ।
ମୋଟ୍ ଉପରେ, ବିହାର ରାଜନୀତିକୁ ନେଇ ସରଗରମ ଚର୍ଚ୍ଚା ଚାଲିଛି । ଏଥର ନୀତିଶ ହଟିବେ କି ନାହିଁ ସେନେଇ କୌଣସି ସୂଚନା ମିଳିନି ହେଲେ ବି ଏହାପରେ ତେଜସ୍ବୀ ଯେଉଁପରି ଭାବରେ ଦାବି କରୁଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି କି ବିହାର ରାଜନୀତିରେ ଆଗାମୀ ଦିନରେ କିଛି ଗୋଟାଏ ପରିବର୍ତ୍ତନ ହେବ । ହେଲେ ନୀତିଶ କୁମାର ବି ରାଜନୀତିରେ ମାହିର । ତେଣୁ ସତ୍ତାରେ ରହିବାକୁ ସେ କି ରଣନୀତି କରୁଛନ୍ତି ତାହା ବି ଦେଖିବାକୁ ବାକି ରହିଲା ।