କନକ ବ୍ୟୁରୋ : ଦୁଇ ଦଶନ୍ଧି ଧରି ବିହାର କ୍ଷମତାରୁ ଦୂରେଇ ରହିଛି କଂଗ୍ରେସ ଓ ଆରଜେଡି । କ୍ଷମତାକୁ ଫେରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଆରଜେଡି ନେତା ତେଜସ୍ୱୀ ଯାଦବ ଏବେ ମୈଦାନକୁ ଓହ୍ଲାଇବେ । ରକ୍ଷାବନ୍ଧନ ପରେ ମହାମେଣ୍ଟ ତରଫରୁ ନୀତିଶ ସରକାର ବିରୋଧରେ ମାହୋଲ ପ୍ରସ୍ତୁତ କରିବେ । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମହାମେଣ୍ଟ ତରଫରୁ ପ୍ରତିଟି ମଣ୍ଡଳରେ ପଦଯାତ୍ରା କରି ନୀତିଶ ସରକାରଙ୍କ ଦୁର୍ନୀତିକୁ ଉଜାଗର କରିବାକୁ ପ୍ରସ୍ତୁତ ହେଉଛନ୍ତି ।
ବିହାରରେ ବିଧାନସଭା ନିର୍ବାଚନ ଅକ୍ଟୋବର କିମ୍ବା ନଭେମ୍ବର ମାସରେ ଅନୁଷ୍ଠିତ ହେବ । ଏହି କ୍ରମରେ ମହାମେଣ୍ଟ ତରଫରୁ ଏନଡିଏ ସରକାରକୁ ଚ୍ୟାଲେଞ୍ଜ ଦେବାକୁ ଅଣ୍ଟାଭିଡିଛନ୍ତି । ତେଜସ୍ୱୀ ଯାଦବଙ୍କ ପାଟନା ସ୍ଥିତ ଘରେ ଏନେଇ ମହାମେଣ୍ଟ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତେଜସ୍ୱୀ ଓ ରାହୁଲଙ୍କ ସହ ମହାମେଣ୍ଟର ନେତାମାନେ ପୂରା ବିହାର ପଦଯାତ୍ରା କରିବା ନେଇ ନିଷ୍ପତ୍ତି ହୋଇଛି । ଏହା ପୂର୍ବରୁ ମଧ୍ୟ ଚଳିତ ମାସ ବିହାରରେ ଚାଲିଥିବା ଭୋଟର ତାଲିକା ପୁନଃ ନିରୀକ୍ଷଣ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ ।
ତେଜସ୍ୱୀ ଯାଦବ କହିଛନ୍ତି କି, ନିର୍ବାଚନ ଆୟୋଗ ଯେଭଳି ଭାବେ ବିଜେପି ସହ ମିଶି ବିହାର ଜନତାଙ୍କ ଠାରୁ ଭୋଟ ଅଧିକାର ଛଡ଼ାଇନେବାକୁ ବସିଛନ୍ତି ଏହା ବିରୋଧରେ ଆମେ ଲୋକଙ୍କ ପାଖରେ ପହଂଚିବୁ । ଲୋକଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ଜଳଯୋଗାଣକୁ ନୀତିଶ ସରକାର କିଭଳି ଧ୍ୱଂସ କରିଛନ୍ତି ତା ଉପରେ ଲୋକଙ୍କୁ ସ୍ପଷ୍ଟ ସୂଚନା ଦିଆଯିବ ।
ସୂଚନା ଥାଉକି, ୨୦୨୦ ବିଧାନସଭା ନିର୍ବାଚନ ବେଳେ ତେଜସ୍ୱୀ ଯାଦବ ଏନଡିଏ ମେଣ୍ଟକୁ ପାଣି ପିଆଇ ଦେଇଥିଲେ । କଂଗ୍ରେସର ଖରାପ ପ୍ରଦର୍ଶନ କାରଣରୁ ସରକାର ଗଠନ କରିବାରେ ମହାମେଣ୍ଟ ବିଫଳ ହୋଇଥିଲା । ହେଲେ ଏଥର ରାହୁଲ ଗାନ୍ଧୀ ଆରମ୍ଭରୁ ଆକ୍ସନମୋଡକୁ ଆସିଛନ୍ତି । ରାହୁଲ ଗାନ୍ଧୀ ୬ ଥର ବିହାର ଯାତ୍ରା କରି ସାମାଜିକ ନ୍ୟାୟ ପ୍ରସଙ୍ଗକୁ ଲୋକଙ୍କ ଭିତରେ ପହଂଚାଇବାକୁ ଚେଷ୍ଟା ଚଳାଇଛନ୍ତି । ରାହୁଲ ଓ ତେଜସ୍ୱୀଙ୍କ ଯୋଡ଼ି ବିଶେଷ ଭାବେ ଦଳିତ, ପଛୁଆବର୍ଗ ଓ ଅଳ୍ପସଂଖ୍ୟକ ଭୋଟ ଉପରେ ନଜର ରଖିଛନ୍ତି । ଏହି କ୍ରମରେ ରକ୍ଷାବନ୍ଧନ ପରେ ପରେ ବିହାରରେ ମହାମେଣ୍ଟ ତରଫରୁ ଯେଉଁ ପଦଯାତ୍ରା ହେବ ତାହାକୁ ଅଗଷ୍ଟ କ୍ରାନ୍ତି ନାମରେ ନାମିତ କରାଯାଇଛି ।