କନକ ବ୍ୟୁରୋ:                     ବାପା, ଠେଲା ଗାଡ଼ିରେ ଅଣ୍ଡା ବିକି ପଇସା ଦେଉଥିଲେ
                                       ମାଆ ଧାର କରଜ ଆଣି ପଢ଼ାଇଥିଲେ
                                       ଶେଷରେ  ପୁଅ ହେଲା ଜଜ୍
ଔରଙ୍ଗାବାଦର ଆଦର୍ଶଙ୍କ କାହାଣୀ, ଆଜିକା ଯୁବଗୋଷ୍ଠୀଙ୍କ ପାଇଁ ଏକ ବଳିଷ୍ଠ ପ୍ରେରଣାର ଉତ୍ସ । ଘୋର ଅଭାବ ଭିତରେ ଜଜ୍ ସାହେବ ହେଲେ, ବାପାଙ୍କ ଦୁଃଖ ଦୂରେଇଦେଲେ ।ବାପା, ଅଣ୍ଡା ବିକି ପିଲାଙ୍କୁ ପଢ଼ାଇଲେ, ମା ବି କାହାକୁ କିଛି ନଜଣାଇ ଲୋକଙ୍କଠାରୁ ଧାରକରଜ ନେଇ ପଢ଼ାରେ ସାହାଯ୍ୟ କରୁଥିଲେ । କଥାରେ ଅଛି ପରା , ଯାହା ପାଖରେ ପରିଶ୍ରମ କରିବାର ଜୋଶ୍ ଥିବ ତା ଆଗରେ ପ୍ରତିକୂଳ ସ୍ଥିତି ବି ହାର ମାନେ ’ । ବିହାରର ଆଦର୍ଶ କୁମାରଙ୍କ ସକସେସ୍  ଷ୍ଟୋରି ଏକଥାକୁ ପ୍ରମାଣ କରିଛି । ଗରିବ ବାପାର ପୁଅ ଆଦର୍ଶଙ୍କ କିଛି ବନିବାର ଜିଦ୍ ତାଙ୍କ ସ୍ବପ୍ନକୁ ପୂରଣ କରିଛି , ଦୁଃଖ ସହିଥିବା ବାପା, ମାଆଙ୍କ ଓଠରେ ହସ ଦେଇଛି । ମାତ୍ର ୨୭ ବର୍ଷରେ ବିଚାରପତି ହୋଇ କେବଳ ପରିବାର ପାଇଁ ନୁହେଁ ବରଂ ପୂରା ରାଜ୍ୟ ପାଇଁ ସୁନାମ ଆଣିଛନ୍ତି ।

Advertisment

ବିହାର ଲୋକସେବା ଆୟୋଗର ୩୨ ତମ ଆଇନ ପରୀକ୍ଷାରେ ବସିଲେ ଆଦର୍ଶ । ଏବଂ ୧୨୦ ରାଙ୍କ ରଖି ବନିଲେ ହାକିମ ବାବୁ । ଏବେ ସେ ବିହାର ଗୟାରେ ଜୁନିୟର ଡିଭିଜନରେ ପ୍ରୋବେସନାରୀ ସିଭିଲ ଜଜ୍ ଅଛନ୍ତି । 2025  ଫେବ୍ରୁଆରି ୧୮ରେ ଜଜ୍ ଭାବେ ନିଯୁକ୍ତ ହେଲେ ଆଦର୍ଶ । ୨୦୫୭ରେ ନେବେ ଅବସର ।

ଆଦର୍ଶଙ୍କ ସଫଳତା ପଛରେ ରହିଛି ତାଙ୍କ ବାପା ବିଜୟ ସାବ ଓ ମାଆ ସୁନୈନା ଦେବୀଙ୍କ ତ୍ୟାଗ , ଯିଏ ଘୋର ଆର୍ଥିକ ସମସ୍ୟା ଭିତରେ ବି ପିଲାଙ୍କ ପାଠପଢ଼ାରେ ସାଲିସ୍ କରିନଥିଲେ  । ମୁଣ୍ଡ ଝାଳ ତୁଣ୍ଡରେ ମାରି ପିଲାଙ୍କ ପଢ଼ା ପାଇଁ ପଇସା ଯୋଗାଡ଼ କରୁଥିଲେ  । ଅବଶ୍ୟ ସେଥିପାଇଁ ଯେଉଁ କଷ୍ଟ କରିଛନ୍ତି ତାକୁ ବୟାନ କରିବା କରିବା ଏତେ ସହଜ ନୁହେଁ । ଠେଲା ଗାଡ଼ିରେ ଅଣ୍ଡା ବିକି  ଆଦର୍ଶ ଓ ତାଙ୍କ ଦୁଇ ଝିଅଙ୍କୁ ପାଠ ପଢ଼ାଇବା ସହ ସେଇ ରୋଜଗାରରେ ଝିଅଙ୍କୁ ହାତକୁ ଦି ହାତ ବି କଲେ ।
 
କଷ୍ଟ କରୁଥିଲେ, ତା ସହ ନିଜ ପିଲାଙ୍କ ଉପରେ ମା ସୁନୈନାଙ୍କର ବିଶ୍ବାସ ଥିଲା ଯେ, ତାଙ୍କୁ ପୁଅ ଝିଅ ପରିଶ୍ରମୀ ତାଙ୍କୁ କେବଳ ସାହାରା ଦରକାର । ସେଇଥିପାଇଁ ତ ତାଙ୍କ ପାଠପଢ଼ା ପାଇଁ ସ୍ବାମୀଙ୍କୁ କିଛି ନଜଣାଇ ଲୋକଙ୍କଠାରୁ ଧାର କରି ପିଲାଙ୍କ ପଢ଼ାରେ ଖର୍ଚ୍ଚ କରୁଥିଲେ । ଆଉ ଜଣେ ମା’ ଯେବେ ଏତିକି ବୁଝିଯାଏ ସେଠି କଷ୍ଟ ବି ଲାଜେଇଯାଏ, ବିଧାତା ବି ସାଥ୍ ଦେବାକୁ ବାଧ୍ୟ ହୁଅନ୍ତି । 

ଆଦର୍ଶ ବି କିଛି କମ୍ ନଥିଲେ, ବାପା, ମାଆଙ୍କ କଷ୍ଟକୁ ସେ ଖାଲି ଦେଖୁନଥିଲେ ବରଂ ଏହାକୁ ଆଧାର କରି ନିଜ ଲକ୍ଷ୍ୟ ପଥରେ ଆଗେଇଯାଇଥିଲେ । ସବୁବେଳେ ଭାବୁଥିଲେ କେମିତି ବଡ଼ ମଣିଷ ହୋଇ ବାପା, ମାଆଙ୍କ କଷ୍ଟ ଲାଘବ କରିବେ । ଆବଶ୍ୟକ ସମୟରେ ବାପାଙ୍କୁ ସାହାଯ୍ୟ କରିବା ସହ ବାକି ସବୁ ସମୟ ବହିକୁ ଦେଉଥିଲେ । ଶେଷରେ ଆଇନ ଷ୍ଟେଟ୍ ଜୁଡିସିଆଲ ପରୀକ୍ଷାରେ ବାଜି ମାରିନେଲେ ବନିଲେ ସିଭିଲ ଜଜ୍ । ଆଉ ଯେଉଁଦିନ ରେଜଲ୍ଟ ଆସିଥିଲା ତାଙ୍କ ଆଖିରେ ଥିଲା ଲୁହ ଆଉ ଲୁହ  । ଏ ଲୁହ ଯେତିକି ଖୁସିର ଥିଲା, ସେତିକି ବାପା , ମାଆଙ୍କ ପ୍ରତି ସମର୍ପଣର । ଆଦର୍ଶଙ୍କୁ ଦେଖିଲେ ମନରେ ଆସେ କାଳେ ସମସ୍ତଙ୍କୁ ଆଦର୍ଶଙ୍କ ପରି ପୁଅଟେ ମିଳନ୍ତା କି ?