କନକ ବ୍ୟୁରୋ: ମକର ସଂକ୍ରାନ୍ତି ପରେ ପରେ ଜୋର ଧରିଲାଣି ବିହାର ରାଜନୀତି । ନୀତିଶ ଏନଡିଏ ଛାଡ଼ିବେ କି ନାହିଁ ସେନେଇ କୌଣସି ତଥ୍ୟ ସାମ୍ନାକୁ ଆସୁନି । ହେଲେ ନୀତିଶଙ୍କୁ ନେଇ ଚର୍ଚ୍ଚା ଥମୁନି । ମକର ସଂକ୍ରାନ୍ତି ଅବସରରେ ବିହାର ରାଜନୀତିରେ ଏବେ ଝଡ଼ ଦେଖାଦେଇଛି । ଚୂଡ଼ା-ଦହି ପରମ୍ପରାରେ ରାଜନୀତିର ଲଙ୍କାଗୁଣ୍ଡ ଛିଞ୍ଚିଛନ୍ତି ତେଜ ପ୍ରତାପ । ରୋକଠୋକ କହିଛନ୍ତି, ଦଳରେ କଣ ନୀତିଶଙ୍କୁ ଘରେ ବି ପୂରାଇବୁନି । ଗୋଟିଏ ପଟେ ଲାଲୁ କହିଥିଲେ ନୀତିଶଙ୍କ ଲାଗି ଆମ ଦ୍ବାର ଖୋଲି ହେଲେ ତେଜସ୍ବୀ ବିରୋଧ କରିଥିଲେ । ଏବେ ତେଜ ପ୍ରତାପ ବି ସମାନ କଥା କହିବା ପରେ ଜୋର ଧରିଲାଣି ଚର୍ଚ୍ଚା ।
ପୁଣି ଜୋରଧରିଲା ବିହାର ରାଜନୀତି
ତେଜ ପ୍ରତାପ କହିଲେ, ନୀତିଶଙ୍କୁ ଘରେ ପୂରାଇବୁନି
ତେଜସ୍ବୀଙ୍କ ପରେ ତେଜ ପ୍ରତାପ
ନୀତିଶଙ୍କ ଉପରେ ଝାଡିଲେ ଅସନ୍ତୋଷ
ନୀତିଶ କୁମାର । ବିହାରର ମୁଖ୍ୟମନ୍ତ୍ରୀ । ଅନେକ ସମୟରେ ଦେଖାଯାଏ କି, ଜାନୁଆରୀର ମକର ସଂକ୍ରାନ୍ତି ପରେ ଅନେକ ଥର ଦଳ ବଦଳାଇଛନ୍ତି । ଆଉ ଏସନ ବି ସମାନ ଚର୍ଚ୍ଚା ହେଉଥିଲା । କୁହାଯାଉଥିଲା କି, ନୀତିଶ କୁଆଡ଼େ ଏନଡିଏ ଉପରେ ଅସନ୍ତୋଷ ଅଛନ୍ତି । ଖାଲି ଏତିକି ନୁହେଁ ବରଂ ଅମିତ ଶାହା ଡାକିଥିବା ବୈଠକରେ ବି ନୀତିଶ ସାମିଲ ହୋଇନଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଶେଷ ଦର୍ଶନ ପାଇଁ ଦିଲ୍ଲୀ ଯାଇଥିଲେ ସତ କିନ୍ତୁ ବିଜେପି ନେତାଙ୍କ ସହ ବିଶେଷ କଥା ହୋଇନଥିଲେ ହେଲେ କଂଗ୍ରେସ ନେତାଙ୍କ ସହ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହାପରେ ଆରମ୍ଭ ହୋଇଥିବା ନୀତିଶ ଏନଡିଏ ଛାଡ଼ିବା କଥା । ଅବଶ୍ୟ ପରେ ପରେ ଶାହଙ୍କ ସହ ନୀତିଶଙ୍କର ୱାନ ଟୁ ୱାନ ଆଲୋଚନା ହୋଇଥିବା କଥା ଚର୍ଚ୍ଚା ହୋଇଥିଲା । ହେଲେ ମକର ସଂକ୍ରାନ୍ତିରେ ଦହି ଚୂଡ଼ା ପର୍ବରେ ସାମିଲ ହୋଇଥିଲେ ଶାସକ-ବିରୋଧୀ । ଆଉ ଏତିକି ବେଳେ ତେଜ ପ୍ରତାପ ନୀତିଶଙ୍କୁ ନେଇ ବଡ଼ ବୟାନ ରଖିଛନ୍ତି ।
ନୀତିଶଙ୍କୁ ନିମନ୍ତ୍ରଣ ଦେବା ପାଇଁ ଇଚ୍ଛା ନଥିଲା
ନିମନ୍ତ୍ରଣ ଦେବାକୁ ଇଚ୍ଛା ନାହିଁ ଏକାଠି ହେବାର ପ୍ରଶ୍ନ ଉଠୁଛି କେଉଁଠି
ନୀତିଶଙ୍କ ଉପରେ ଆରଜେଡିର ଯୁବନେତା ଖୁସି ନାହାନ୍ତି । କାରଣ ନୀତିଶ ଅଧାରୁ ଯେଉଁପରି ହାତ ଛାଡ଼ିଲେ, ଏନଡିଏ ସହ ମିଶି ସରକାର କଲେ ସେଥିରୁ ଗୋଟିଏ କଥା ସ୍ପଷ୍ଟ, ଆଗକୁ ଆରଜେଡିର ଯୁବନେତା ନୀତିଶଙ୍କ ଉପରେ ବିଶ୍ବାସ କରିବାକୁ ରାଜି ନାହାନ୍ତି । ତେଣୁ ନୀତିଶ ଏତେ ବିରୋଧର ସାମ୍ନା କରିବା ପରେ ଏନଡିଏ ଛାଡିନପାରନ୍ତି । କାରଣ ଏନଡିଏ ଛାଡିଲେ ନୀତିଶଙ୍କ ସରକାର ଭାଙ୍ଗିଯିବ ଏକଥା ସେ ଭଲରେ ଜାଣିଛନ୍ତି । ଅବଶ୍ୟ ଲାଲୁଙ୍କଠୁ ଆଶ୍ବସନା ପାଇଛନ୍ତି କିନ୍ତୁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବାରମ୍ବାର ଭାବିବାକୁ ବାଧ୍ୟ ହେଉଛନ୍ତି ନୀତିଶ କୁମାର ।
ପ୍ରତିବର୍ଷ ଦହି-ଚୁଡ଼ାର ପର୍ବକୁ ବେଶ ବଡ଼ ଆକାରରେ ଆୟୋଜନ କରନ୍ତି ଲାଲୁ । ରାବିଡି ଭବନରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସବୁଦଳର ନେତା ଏକାଠି ହୋଇ ମଉଜ କରନ୍ତି । ଏସନ ବି ରାବିଡି ଭବନରେ ଶତାଧିକ ଲୋକ ଏହି ପର୍ବରେ ସାମିଲ ହୋଇଛନ୍ତି । ଖାଲି ରାବିଡି ଭବନରେ ନୁହେଁ ବରଂ ଚିରାଗ ପାଶୱାନଙ୍କ ଘରେ ଆୟୋଜନ ହୋଇଥିବା ଦହି-ଚୁଡ଼ାର ପର୍ବକୁ ନେଇ ବି ଜୋରଦାର ଆଲୋଚନା ।
ଚିରାଗଙ୍କ ଘରେ ନୀତିଶ
ଲାଲୁଙ୍କ ପର ଚିରାଗ ମଧ୍ୟ ନିଜ ଘରେ ଚୁଡା-ଦହିର ଆୟୋଜନ କରିଥିଲେ । ଏଥିରେ ସାମିଲ ହେବା ପାଇଁ ନୀତିଶଙ୍କୁ ନିମନ୍ତ୍ରଣ ବି ଦେଇଥିଲେ । ନିମନ୍ତ୍ରଣ ରକ୍ଷାକରି ପହଞ୍ଚିଥିଲେ ନୀତିଶ । ମୁଖ୍ୟମନ୍ତ୍ରଙ୍କ ଗସ୍ତ ସମୟ ଥିଲା ମଧ୍ୟାହ୍ନ ୧୨ଟା, ହେଲେ ନୀତିଶ ପହଞ୍ଚିଥିଲେ ପୂର୍ବାହ୍ଣ ୧୦ଟାରେ । ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । କାରଣ ସେତେବେଳେ ଉପସ୍ଥିତ ନଥିଲେ ଚିରାଗ । ନୀତିଶ ପାଖାପାଖି ନିମନ୍ତ୍ରଣସ୍ଥଳରେ ୧୦ ମିନିଟ୍ ରହିବା ପରେ ଫେରିଥିଲେ । ଗୋଟିଏ ପଟେ ଲାଲୁ ନୀତିଶଙ୍କୁ ନିମନ୍ତ୍ରଣ ଦେଇଥିଲେ କି ନାହିଁ ସେନେଇ ଜଣାପଡ଼ିନଥିବା ବେଳେ ନୀତିଶ କିନ୍ତୁ ଆଗୁଆ ଭୋଜିରେ ପହଞ୍ଚିବାକୁ ନେଇ ଚର୍ଚ୍ଚା ଜୋରଦାର ହେଉଛି ।