କନକ ବ୍ୟୁରୋ: ଆଗକୁ ବିହାର ବିଧାନସଭା ନିର୍ବାଚନ, ଆଉ ଏହା ପୂର୍ବରୁ ଏବେ ମୈଦାନରେ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି ସବୁ ଦଳ । ତେବେ ଏହାରି ଭିତରେ ମହାମେଣ୍ଟର ଅଂଶ ଥିଲେ ବି ପଛରେ ପଡ଼ିନି କଂଗ୍ରେସ । ଦଳ ଏବେଠୁ ବିହାରରେ ପ୍ରାର୍ଥୀ ଖୋଜିବା ଆରମ୍ଭ କରିଦେଲାଣି । ଦଳ କାହାକୁ ଆଗାମୀ ବିଧାନସଭା ନିର୍ବାଚନରେ ଟିକେଟ୍ ଦେବ, କାହାକୁ କେଉଁ ସିଟରୁ ପ୍ରାର୍ଥୀ କରିବ ସେନେଇ ଏବେଠୁ ଆରମ୍ଭ କରିଦେଲାଣି କସରତ । ଆଉ ବିହାରରେ କଂଗ୍ରେସର ପ୍ରାର୍ଥୀ ହେବା ପାଇଁ ରଖାଯାଇଛି ଦୁଇଟି ସର୍ତ୍ତ ।
ବିହାର କଂଗ୍ରେସର ପ୍ରଭାରୀ ଥିବା କୃଷ୍ଣା ଅଲ୍ଲାବରୁ ନିର୍ବାଚନ ମୁଡରେ ରହିଥିବା ଦେଖିବାକୁ ମିଳୁଛି । ଖାସ୍ କରି କଂଗ୍ରେସ ଏବେ ବିହାରରେ ନିଜର ଚେହେରା ଖୋଜୁଛି । ତେବେ କାହା ଉପରେ ଭରସା କରି, ଦଳ ୨୦୨୫ ନିର୍ବାଚନୀ ବୈତରଣୀ ପାର୍ ହେବ ତାହା ହିଁ ଏବେ ସବୁଠୁ ବଡ଼ ପ୍ରଶ୍ନ । ହେଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରାର୍ଥୀ ହେବା ପାଇଁ କଂଗ୍ରେସ ଦଳ ଯେଉଁ ଦୁଇଟି ସର୍ତ୍ତ ରଖିଛି, ତାହା ହେଲେ ହିଁ ଜଣେ ଲୋକଙ୍କୁ କଂଗ୍ରେସର ଟିକେଟ୍ ମିଳିବ ।
ମିଳିଥିବା ସୂଚନା ମୁତାବକ, କଂଗ୍ରେସ ପ୍ରାର୍ଥୀ ହେବା ପାଇଁ ଜଣେ ଇଚ୍ଛୁକ ବ୍ୟକ୍ତିଙ୍କୁ ପ୍ରଥମେ ୨୫ ହଜାର 'ମାଇ-ବହିନ ଯୋଜନା'ର ଫର୍ମ ଜମା କରିବାକୁ ପଡ଼ିବ । ଏ ହେଉଛି ସେହି ଯୋଜନା, ଯାହା ଉପରେ କଂଗ୍ରେସ ଏବେ ପୂରା ଫୋକସ୍ କରିବାରେ ଲାଗିଛି । ଦଳ ଘୋଷଣା କରିଛି ଯେ, ବିହାରରେ ଦଳ ସରକାରକୁ ଆସିଲେ ଏହି ଯୋଜନା ଲାଗୁ କରିବା ସହିତ ମହିଳାଙ୍କୁ ମାସିକ ଅଢ଼େଇ ହଜାର ଟଙ୍କା ଦେବ । ଏହାସହିତ ଦ୍ୱିତୀୟ ସର୍ତ୍ତ ରହିଛି ଯେ, ୨୫ ହଜାର ଘରେ କଂଗ୍ରେସ ପତାକା ଲଗାଇବାକୁ ହେବ । ଏହି ଦୁଇଟି ସର୍ତ୍ତକୁ ଯିଏ ପୂରଣ କରିବ, ଦଳ ତାଙ୍କୁ ଟିକେଟ୍ ଦେବା ନେଇ ବିଚାର କରିବ ।
ଜାଣିରଖିବା ଉଚିତ ଯେ, ୨୦୨୫ରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଆଉ ସେଠାରେ କଂଗ୍ରେସ, ଆରଜେଡି ସହ ମିଶି ମୈଦାନକୁ ଓହ୍ଲାଇବାକୁ ଯାଉଛି । ମହାମେଣ୍ଟରେ ବର୍ତ୍ତମାନ ସୁଦ୍ଧା ସିଟ୍ ବଣ୍ଟନ ନେଇ କୌଣସି ବି ନିଷ୍ପତ୍ତି ନିଆଯାଇନଥିଲେ ବି, ଆଗୁଆ ପ୍ରାର୍ଥୀ ଖୋଜିବା ଆରମ୍ଭ କରିଦେଇଛି ଦେଶର ସବୁଠୁ ପୁରାତନ ଦଳ ।