କନକ ବ୍ୟୁରୋ :  ବିହାର ରାଜନୀତିରେ ହଟ୍ଟଚମଟ... ବିହାର ନିର୍ବାଚନକୁ ଆଉ ୮ମାସ ବାକି ରହିଥିବା ବେଳେ ଏବେଠୁ ସରଗରମ ହେଲାଣି ବିହାର ପଲିଟିକ୍ସ । ବଦଳୁଛି ରାଜ୍ୟ ରାଜନୈତିକ ପାଣିପାଗ । କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ, ଏହାକୁ ନେଇ ଏନଡିଏର ମହାସଂଗ୍ରାମ ଆରମ୍ଭ ହୋଇଯାଇଛି । ବିହାର ନିର୍ବାଚନରେ ନୀତୀଶ କୁମାର ହିଁ ଏନଡିଏର, ମୁଖ୍ୟମନ୍ତ୍ରୀ ଚେହେରା ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ କ’ଣ ନିର୍ବାଚନ ପରେ ବି ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ହେବେ ? ଏହାକୁ ନେଇ ସବୁଠୁ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିପାଇଁ ପ୍ରଶ୍ନ ଉଠୁଛି, କାରଣ ବିଜେପିର କୌଣସି ବଡ ନେତା ବିଧିବଦ୍ଧ ଭାବେ ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରିନାହାନ୍ତି ।

Advertisment

କେବଳ ବିଜେପି ନେତା ହେଲେ ମନ୍ତ୍ରୀ 
ବିହାରରେ ଯେତେବେଳେ ନୀତିଶ ସରକାର ନିର୍ବାଚନ ପୂର୍ବରୁ ନିଜର ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଥିଲେ, ସେତେବେଳେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ଜେଡିୟୁର କୌଣସି ନିର୍ବାଚିତ ନେତା ମନ୍ତ୍ରୀ ବନିନଥିଲେ । ମନ୍ତ୍ରିମଣ୍ଡଳରେ ଖାଲି ପଡିଥିବା ୭ଟିରୁ ୭ଟି କ୍ୟାବିନେଟ୍ ମନ୍ତ୍ରୀପଦ ବିଜେପି ଖାତାକୁ ଯାଇଥିଲା । 

ଏଭଳି ପରିସ୍ଥିତିରେ ନୀତିଶ ଚାହିଁଥିଲେ ସଂପ୍ରସାରଣକୁ ରୋକିପାରିଥାନ୍ତେ । କିନ୍ତୁ ଏପରି ଘଟିନଥିଲା । ନୀତିଶଙ୍କ ବଡ ହୃଦୟ, ଖାଲି ପଡିଥିବା ସବୁ ମନ୍ତ୍ରୀ ପଦକୁ ବିଜେପି ହାତକୁ ଟେକିଦେଇଥିଲା । ପ୍ରତିବଦଳରେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ଏବଂ ନୀତୀଶ ସରକାରରେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଘୋଷଣା କରିଥିଲେ ଯେ, ନୀତିଶ କୁମାର ଆମ ମୁଖ୍ୟମନ୍ତ୍ରୀ ଥିଲେ, ଅଛନ୍ତି ଆଉ ରହିବେ । ଏହି ଘୋଷଣାକୁ ମାତ୍ର କେଇ ଘଣ୍ଟା ବିତିନଥିବା ବେଳେ ବିହାର ବିଜେପି ରାଜ୍ୟ ସଭାପତି ଦିଲୀପ ଜୟସୱାଲଙ୍କ ବିବୃତ୍ତି ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ କହିଥିଲେ, ବିହାର ନିର୍ବାଚନରେ ନୀତିଶ କୁମାର ହିଁ ମୁଖ୍ୟମନ୍ତ୍ରୀ ଚେହେରା ହେବେ, କିନ୍ତୁ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ବିଜେପି ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ । ଏହି ସମାନ କଥା ଦୋହରାଇଥିଲେ ନୀତିଶ ସରକାରରେ ବିଜେପି କୋଟାରୁ ମନ୍ତ୍ରୀ ହୋଇଥିବା ପ୍ରେମ୍ କୁମାର । ସେ କହିଥିଲେ, ନୀତୀଶଙ୍କ ଚେହେରାକୁ ନେଇ ନିର୍ବାଚନ ଲଢାଯିବ ସତ କିନ୍ତୁ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଏନଡିଏ ବୈଠକରେ ନିଷ୍ପତ୍ତି ହେବ । 

ନୀତୀଶଙ୍କ ଚେହେରାକୁ ନେଇ ନିର୍ବାଚନ ଲଢାଯିବ ବୋଲି ବିଜେପିର ବିବୃତ୍ତି ପରେ ପ୍ରତିକ୍ରିୟା ରଖିଥିଲେ ତେଜସ୍ୱୀ ଯାଦବ । ସେ କହିଛନ୍ତି, ବିଜେପି ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବ ନାହିଁ । ନୀତିଶ ଏବେ ବିହାର ରାଜନୀତିରେ ଓଲ୍ଡ ମଡେଲ୍ ହୋଇଯାଇଛନ୍ତି । 

ମଧ୍ୟପ୍ରଦେଶ ଉଦାହରଣ 
ତେଜସ୍ୱୀ ଯାଦବ ବିରୋଧୀ ଦଳ ନେତା, ତେଣୁ ସେ ନୀତୀଶ କୁମାରଙ୍କୁ ବିରୋଧ କରିବା ସ୍ୱାଭାବିକ୍ କଥା । କିନ୍ତୁ ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଜୟସୱାଲ ଉଠାଇଥିବା ପ୍ରଶ୍ନ ଏବଂ ତାଙ୍କୁ ସମର୍ଥନ କରିଥିବା ମନ୍ତ୍ରୀ ପ୍ରେମ କୁମାରଙ୍କ ବୟାନ ମଧ୍ୟପ୍ରଦେଶର ଉଦାହରଣ ଦେଉଛି । 

୨୦୨୩ରେ ମଧ୍ୟପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନକୁ ମନେ ପକାନ୍ତୁ, ଯେଉଁଠାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରମୁଖ ଥିଲେ, ମଧ୍ୟପ୍ରଦେଶରେ ଶିବରାଜଙ୍କ ଚେହେରାକୁ ନେଇ ନିର୍ବାଚନ ଲଢିଥିଲା ବିଜେପି । କିନ୍ତୁ ନିର୍ବାଚନର ଏକ ବଡ ବିଜୟ ପରେ, ଶିବରାଜ ସିଂ ଚୌହାନଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରୁ ହଟାଇଦେଇଥିଲା ବିଜେପି । ମୋହନ ଯାଦବଙ୍କ ରୂପରେ ମଧ୍ୟପ୍ରଦେଶକୁ ମିଳିଥିଲା ନୂଆ ମୁଖ୍ୟମନ୍ତ୍ରୀ । 

ଏଠି ପ୍ରଶ୍ନ ଉଠୁଛି ବିଜେପି ହାଇକମାଣ୍ଡ ଏବେ ବିହାର ବିଜେପି ନେତାଙ୍କ ମାଧ୍ୟମରେ ନୀତିଶ କୁମାରଙ୍କୁ ସମାନ ବାର୍ତ୍ତା ପଠାଇବାକୁ ଚାହୁଁଛନ୍ତି କି?