କନକ ବ୍ୟୁରୋ : ଆଗକୁ ନିର୍ବାଚନ, ଜନତାଙ୍କ ବିଶ୍ୱାସକୁ ବାନ୍ଧି ରଖିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି ବିହାର ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩ଲକ୍ଷ ପରିବାରକୁ ଦିଆଯାଇଛି ଆବାସ ଟଙ୍କା । ପ୍ରଥମ କିସ୍ତି ଭାବରେ ୩ଲକ୍ଷ ପରିବାରକୁ ୧୨ଶହ କୋଟି ଟଙ୍କାର ଏକକାଳୀନ ସହାୟତା ରାଶି ପ୍ରଦାନ କରିଛନ୍ତି ନୀତିଶ ସରକାର । 

Advertisment

୩ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ରାଶି ପ୍ରଦାନ
ପୂର୍ବରୁ ୭ ଅକ୍ଟୋବର ୨୦୨୪ ରେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦ୍ୱାରା ୧.୫ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏଥିପାଇଁ ୪୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ବୁଧବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ, ୩ ଲକ୍ଷ ହିତାଧିକାରୀଙ୍କୁ ୪୦ ହଜାର ଟଙ୍କା ହିସାବରେ ପ୍ରଥମ କିସ୍ତି ପ୍ରଦାନ କରାଯାଇଛି । ଏଥିରେ ମୋଟ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । 

ଶୌଚାଳୟ ନିର୍ମାଣ ପାଇଁ ୧୨,୦୦୦ ଟଙ୍କାର ସହାୟତା

ଆଗାମୀ ୧୦୦ ଦିନ ମଧ୍ୟରେ ଉକ୍ତ ହିତାଧିକାରୀମାନଙ୍କୁ ଦ୍ୱିତୀୟ ଏବଂ ତୃତୀୟ କିସ୍ତି ଭାବରେ ୮୦,୦୦୦ ଟଙ୍କା ମିଳିବ । ଏହା ବ୍ୟତୀତ, ଏହି ହିତାଧିକାରୀମାନଙ୍କୁ ମନରେଗା ମାଧ୍ୟମରେ ୯୦ ଦିନ ପାଇଁ ଅଣକୁଶଳୀ ଶ୍ରମିକ ଭାବରେ ୨୨,୦୫୦ ଟଙ୍କା ଏବଂ ଶୌଚାଳୟ ନିର୍ମାଣ ପାଇଁ ୧୨,୦୦୦ ଟଙ୍କା ଦିଆଯିବ । ଏହିପରି, ପ୍ରତି ହିତାଧିକାରୀଙ୍କୁ  ମୋଟ ୧,୫୪,୦୫୦ ଟଙ୍କା ଦିଆଯିବ । 

ହିତାଧିକାରୀମାନଙ୍କୁ ନୀତିଶଙ୍କ ଅଭିନନ୍ଦନ 
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ, ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିବା ସହ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେ ରହିଛନ୍ତି, ମୁଁ ଏହାର ଲାଭ ପାଇଥିବା ପରିବାରଗୁଡ଼ିକୁ ଅଭିନନ୍ଦନ ଜଣାଉଛି ଏବଂ ଆଜିର କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଗ୍ରାମୀଣ ବିକାଶ ବିଭାଗକୁ ମଧ୍ୟ ଅଭିନନ୍ଦନ ଜଣାଉଛି । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରାଯିବା ଉଚିତ ଯାହା ଦ୍ୱାରା ହିତାଧିକାରୀମାନେ ତୁରନ୍ତ ଲାଭ ପାଇପାରିବେ । ହିତାଧିକାରୀମାନେ ଯେପରି କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ କର୍ମୀ ଏବଂ ନେତାଙ୍କୁ ପରାମର୍ଶ ଦେଇଛନ୍ତି ନୀତିଶ ।