କନକ ବ୍ୟୁରୋ: ବିହାର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । କେତେବେଳେ ନୀତିଶ ନାରାଜ ଥିବାରୁ ଏନଡିଏ ଛାଡୁଥିବା ନେଇ ଚର୍ଚ୍ଚା ବଢୁଛି ତ ଆଉ କେତେବେଳେ ନୀତିଶଙ୍କ ଲାଗି ଲାଲୁ ଦ୍ବାର ଖୋଲା ଅଛି ବୋଲି ବୟାନ ଦେଉଛନ୍ତି । ଏହାରି ଭିତରେ, ଲାଲୁ ଦିଲ୍ଲୀସ୍ତରର ନେତାଙ୍କ ସହ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି । କିନ୍ତୁ ବାରମ୍ୱାର ଦଳ ବଦଳାଉଥିବା ନୀତିଶଙ୍କ ଉପରେ କିନ୍ତୁ ଆଉ ଭରସା କରିବାକୁ ନାରାଜ ଅଛନ୍ତି ତେଜସ୍ବୀ ଯାଦବ । ପୂର୍ବରୁ କଂଗ୍ରେସ ନେତା ତଥା ବର୍ତ୍ତମାନର ବିରୋଧୀ ଦଳର ନେତା ରାହୁଲ ଗାନ୍ଧିଙ୍କୁ ବି ତେଜସ୍ବୀ ନିଜ ରାସ୍ତା ନିଜେ ଦେଖ ବୋଲି କହିସାରିଛନ୍ତି । ଏମିତି ସ୍ଥିତିରେ ନୀତିଶଙ୍କୁ ସେ କେମିତି ଆପଣାଇବେ ସେନେଇ ବି ଚର୍ଚ୍ଚା ଜୋର । ଗୋଟିଏ ପରେ ବାପା ନୀତିଶଙ୍କୁ ଗ୍ରହଣ କରିବାକୁ ରାଜି ଥିବା ବେଳେ ପୁଅ କିନ୍ତୁ ମୁହଁ ବୁଲାଉଛନ୍ତି । ତେଣୁ ବାପା-ପୁଅଙ୍କ ରାଜନୀତିର ଚକ୍ରବ୍ୟୁହରେ କନଫ୍ୟୁଜ କର୍ମୀ ।

Advertisment

ପୁଣି ଚର୍ଚ୍ଚାରେ ନୀତିଶ କୁମାର
ଲାଲୁ ହଁ କହୁଛନ୍ତି, ତେଜସ୍ବୀ ମୁହଁ ମୋଡୁଛନ୍ତି
ବାପ-ପୁଅଙ୍କ ରାଜନୀତିରେ କର୍ମୀ କନଫ୍ୟୁଜ୍‌

୨୦୨୬ରେ ବିହାର ବିଧାନସଭା ନିର୍ବାଚନ
ନୀତିଶଙ୍କ ଉପରେ ପୁରା ଦେଶର ନଜର

ଆଗାମୀ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ହାତରେ ଆହୁରି ବର୍ଷେ ସମୟ ଥିବା ପରେ ବି ଏବେଠୁ କିନ୍ତୁ ସରଗରମ ହେଲାଣି ରାଜନୀତି । ଗୋଟିଏ ପଟେ ଆରଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ ଜେଡିୟୁର ମୁଖ୍ୟ ନୀତିଶ କୁମାରଙ୍କ ସହ ମିଶି ନିର୍ବାଚନ ଲଢିବାକୁ ଚାହୁଁଛନ୍ତି । କିନ୍ତୁ ପୁଅ ତେଜସ୍ବୀ ଏହାକୁ ଅସ୍ବୀକାର କରିଛନ୍ତି । କୁହାଯାଉଛି ତେଜସ୍ବୀ ନୀତିଶଙ୍କ ଉପରେ ଆଉ ଭରସା କରିବା ମୁଡ୍‌ରେ ହିଁ ନାହାନ୍ତି । ପୂର୍ବରୁ ବି ନୀତିଶ ଆରଜେଡି ସହ ମିଶି ସରକାର ଗଠନ କରିଥିଲେ । କିନ୍ତୁ କିଛିଦିନ ପରେ ଲାଲୁଙ୍କ ହାତ ଛାଡ଼ି ଏନଡିଏରେ ସାମିଲ ହୋଇଥିଲେ ନୀତିଶ । ଖାଲି ଏତିକି ନୁହେଁ ଦଳର ହାତ ଛାଡ଼ିବା ପରେ ସେ କହିଥିଲେ, ଲାଲୁ ତାଙ୍କ ଉପରେ ବାରମ୍ୱାର ଚାପ ପକାଉଥିଲେ । କିଛି ନିଷ୍ପତ୍ତି ନେବାକୁ ଦେଉନଥିଲେ । ଏମିତି ସଙ୍ଗୀନ ଅଭିଯୋଗ ପରେ ମୁଁ ଲାଲୁଙ୍କ ସହ ଅଣନିଶ୍ବାସୀ ହୋଇପଡୁଥିଲି କହିବାକୁ ପଛାଇ ନଥିଲେ । ନୀତିଶଙ୍କ ଏମିତି ବିସ୍ଫୋରକ ବୟାନ ପରେ ଦେଶର ରାଜନୀତି ବଡ ହଲଚଲ ହୋଇଥିଲା । ଆଉ ଏବେ ନୀତିଶ ପୁଣି ଥରେ ଏନଡିଏ ଛାଡ଼ୁଥିବା ଚର୍ଚ୍ଚା ହେବା ପରେ ତେଜସ୍ବୀ କିନ୍ତୁ ତାଙ୍କୁ ଗ୍ରହଣ କରିବାକୁ ରାଜି ନାହାନ୍ତି ।

ବଡ଼ ଗେମ୍‌ କରୁଛନ୍ତି ତେଜସ୍ବୀ
କଂଗ୍ରେସ ବି ଖେଳୁଛି ଖେଳ

ବିହାରରେ ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ରହିଛି । ତେଣୁ ବିଜେପି, ଜେଡିୟୁ, ଆରଜେଡି ଓ କଂଗ୍ରେସ ଆଦି ଦଳ ଏବେଠୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏନଡିଏ ନୀତିଶଙ୍କ ସହ ମିଶି ସରକାର କରିଛି । କୁହାଯାଇପାରେ ଆଗାମୀ ବିଧାନସଭା ନିର୍ବାଚନ ବି ମୋଦି-ନୀତିଶ ସାଙ୍ଗ ହୋଇ ଲଢିବେ । ହେଲେ ନୀତିଶଙ୍କୁ କ୍ଷମତାଚ୍ୟୁତ କରିବାକୁ ଲାଲୁ ବି ବଡ଼ ପ୍ଲାନ କରିଛନ୍ତି । ଯାହାର ନେତୃତ୍ବ ନେଉଛନ୍ତି ତେଜସ୍ବୀ । କାରଣ ସେ ଭଲରେ ଜାଣିଛନ୍ତି ତାଙ୍କ ବିନା ସହାୟତାରେ ବିହାରରେ କଂଗ୍ରେସର କୌଣସି ଅସ୍ତିତ୍ବ ହିଁ ନାହିଁ । ଖାସ କରି ହରିୟାଣା ଓ ମହାରାଷ୍ଟ୍ରରେ ଦଳ ଶୋଚନୀୟ ପରାଜୟ ପରେ ହାତ ବ୍ୟାକ୍‌ ଫୁଟରେ ରହିଛି । ହେଲେ ବି ବିହାରରେ ଦଳ ନିଜ ଦମ୍‌ରେ ଲଢେଇ କରିବାକୁ ରଣନୀତି କରୁଛି । ସେଇଥି ଲାଗି ତ ମେଣ୍ଟ ହେବା ପରେ ବି ୭୦ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଦେବାକୁ ଚାହୁଁଥିବା କହିଛି । ଯାହା ଏବେ ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ବିହାର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଖାସ କରି ଲାଲୁ ଓ ତେଜସ୍ବୀ ଉଭୟ ରାଜନୀତି ଫିଲ୍ଡରେ ବଢିଆ ବ୍ୟାଟିଂ କରୁଛନ୍ତି । ଉଭୟଙ୍କ ବ୍ୟାଟିଂ ଭିତରୁ ଯିଏ ଛକା ମାରିବ ସିଏ ମ୍ୟାନ ଅଫ୍‌ ଦି ମ୍ୟାଚ ହେବା ସହିତ ରାଜନୀତି ମୈଦାନରେ ଟ୍ରଫି ନେବ । ହେଲେ ସମୟ କହିବ ବିହାର ରାଜନୀତିର ଗତି ଯାଉଛି କୁଆଡ଼େ ।