କନକ ବ୍ୟୁରୋ : ଆଗକୁ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ ମହାଗଠବନ୍ଧନର ଆସନ ବୁଝାମଣା ଧିରେ ଧିରେ ଅଡ଼ୁଆ ଆଡ଼କୁ ଗତି କରୁଛି । ଯାହାକୁ ନେଇ ଆରଜେଡି ନେତା ତଥା ବିହାର ବିଧାନସଭାର ବିରୋଧୀଦଳ ନେତା ତେଜସ୍ୱୀ ଯାଦବଙ୍କ ଟେନସନ୍ ବଢିବାରେ ଲାଗିଛି । ବିକାଶଶୀଳ ଇନସାନ ପାର୍ଟି, ପଶୁପତି ପାରସଙ୍କ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମହାଗଠବନ୍ଧନରେ ଯୋଡ଼ି ହେବା ପରେ ଆସନ ବୁଝାମଣା ଅଡ଼ୁଆ ଆଡ଼କୁ ଗତି କରୁଛି । 

Advertisment

ଏବେ ବିହାର ମହାମେଣ୍ଟରେ ମୋଟ ୮ ଟି ଦଳ ସାମିଲ ହୋଇଛନ୍ତି । ଆରଜେଡି, କଂଗ୍ରେସ, ସିପିଆଇ (ଏମଏଲ), ସିପିଆଇ, ସିପିଆଇ (ଏମ), ଭିଆଇପି, ଜେଏମଏମ୍ ସାମିଲ ହୋଇଛନ୍ତି । ଏହି କାରଣରୁ ସମସ୍ତଙ୍କୁ ଆସନ ବୁଝାମଣାରେ ସନ୍ତୁଷ୍ଟ କରିବା ସହଜ କଥା ନୁହେଁ । ଗୋଟିଏ ପଟେ ରାହୁଲ ଗାନ୍ଧୀଙ୍କ ସକ୍ରିୟତାକୁ ନେଇ ଆରଜେଡି ମଜବୁତ ହୋଇଛି ତେଣୁ କଂଗ୍ରେସ ଗତ ନିର୍ବାଚନ ଭଳି ୭୦ ଆସନରେ ଲଢିବାକୁ ଦାବି କରୁଛି । 

କହିରଖୁ କି ବିହାରରେ ରାହୁଲ ଗାନ୍ଧୀଙ୍କ ଭୋଟର ଅଧିକାର ଯାତ୍ରାର ସଫଳତାକୁ ନେଇ ବିହାର କଂଗ୍ରେସ ବେଶ୍ ଉତ୍ସାହିତ ରହିଛି । ଏଥିର ଦଳ ସର୍ବନିମ୍ନ ୭୦ ଆସନରେ ଲଢିବାକୁ ଦାବି କରୁଛି । ୨୦୨୦ ନିର୍ବାଚନରେ କଂଗ୍ରେସ ମଧ୍ୟ ୭୦ ଟି ଆସନରେ ନିର୍ବାଚନ ଲଢିଥିଲା । ହେଲେ ଦୁର୍ବଳ ପ୍ରଦର୍ଶନ ପୂର୍ବକ ଦଳକୁ ମାତ୍ର ୧୯ ଟି ଆସନରେ ବିଜୟ ମିଳିଥିଲା । ସେପଟେ ଆରଜେଡି ୨୦୨୦ ବିଧାନସଭା ନିର୍ବାଚନରେ ୧୪୪ ଆସନରେ ଲଢ଼ି ୭୫ ଆସନରେ ବିଜୟୀ ହେବା ସହ ବିହାରରେ ସବୁଠାରୁ ବଡ଼ ରାଜନୈତିକ ଦଳ ଭାବେ ଉଭା ହୋଇଥିଲା । ସେତେବେଳେ ଏନଡିଏ ୧୨୫ ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିଲା । ମହାଗଠବନ୍ଧନକୁ ୧୧୦ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । 

ଗତ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ଥିଲା । ହେଲେ ଚଳିତ ଥର କଂଗ୍ରେସ ଶକ୍ତିଶାଳୀ ମନେ କରୁଛି । ଦଳ କହିଛି ଏଥର ଆରଜେଡି ଯେତିକି ଆସନରେ ଲଢିବ ଆମକୁ ସେତିକି ଆସନରେ ଲଢିବାକୁ ସୁଯୋଗ ଦିଆଯାଉ । କଂଗ୍ରେସ ଯୁକ୍ତି ରଖିଛି କି ୨୦୨୪ ଲୋକସଭା ନିର୍ବାଚନରେ ଆରଜେଡି ୪ ଟି ଆସନରେ ବିଜୟୀ ହୋଇଥିବା ବେଳେ ଆମେ ୩ ଟି ଆସନରେ ବିଜୟୀ ହୋଇଛୁ । ତେଣୁ ଆସନ ବୁଝାମଣା ବେଳେ ୨୦୨୦ ବିଧାନସଭା ଫଳାଫଳ ନୁହେଁ ବରଂ ୨୦୨୪ ଲୋକସଭା ନିର୍ବାଚନର ଫଳାଫଳକୁ ହିସାବକୁ ନିଆଯିବା ଦରକାର । 

ସେପଟେ ଭିଆଇପି ମୁଖ୍ୟ ମୁକେଶ ସାହାଣୀ ମଧ୍ୟ ମେଣ୍ଟର ଟେନସନ୍ ବଢାଇ ଦେଇଛନ୍ତି । ସେ କହିଛନ୍ତି କି, ମୋତେ ଉପମୁଖ୍ୟମନ୍ତ୍ରୀ ଭାବେ ପ୍ରୋଜେକ୍ଟ କରାଯାଉ । ଏହାସହ ଆମଦଳକୁ ୬୦ ଟି ଆସନରେ ଲଢିବାକୁ ସୁଯୋଗ ଦିଆଯାଉ । ଏହାକୁ ନେଇ ଆରଜେଡି ନେତାଙ୍କ କହିବା କଥା ଲୋକସଭା ନିର୍ବାଚନରେ ଭିଆଇପିକୁ ୩ ଟି ଆସନରେ ଲଢିବାକୁ ଦିଆଯାଇଥିଲା । ହେଲେ ବିଧାନସଭା ନିର୍ବାଚନରେ ୧୮-୨୦ ଆସନରୁ ଅଧିକ ମାଗିବା ଯୁକ୍ତି ସଂଗତ ନୁହେଁ । 

ସେପଟେ ବିହାରର ବାମଦଳ ବି ଏଥର ଅଧିକ ଆସନ ଦାବି କରୁଛି । କାରଣ ଗତଥର ବାମଦଳଗୁଡିକୁ ଯେତିକି ଆସନରେ ଲଢିବାକୁ ସୁଯୋଗ ଦିଆଯାଇଥିଲା, ସେଥିରୁ ୯୦ ପ୍ରତିଶତରୁ ଅଧିକ ଆସନରେ ବାମଦଳ ପ୍ରାର୍ଥୀ ବିଜୟୀ ହୋଇଥିଲେ । ତେଣୁ ଦଳ ଏଥର ୪୦ ଆସନ ଦାବି କରୁଛି । 

ବିହାରରେ ଇଣ୍ଡିଆ ମେଣ୍ଟ ଏନଡିଏ ମେଣ୍ଟ ଠାରୁ ଶକ୍ତିଶାଳୀ ଦେଖାଦେଉଛି । ହେଲେ ଆସନ ବୁଝାମଣାକୁ ନେଇ ଯଦି ଅଡ଼ୁଆ ଦେଖାଦିଏ ତେବେ ଏନଡିଏ ପାଇଁ ଏହା ସବୁଠାରୁ ବଡ଼ ସୁଯୋଗ ତିଆରି ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି ।