କନକ ବ୍ୟୁରୋ : ଆଗାମୀ ବିହାର ବିଧାନସଭା ନିର୍ବାଚନରେ ଏନଡିଏ ଅର୍ନ୍ତଗତ ଜେଡିୟୁ ମେଣ୍ଟ ସାଥୀ ବିଜେପିଠାରୁ ଅଧିକ ଆସନରେ ଲଢ଼ିବ । ଦୁଇଦଳଙ୍କ ପରେ ଏଲଜେପି ସର୍ବାଧିକ ଆସନ ହାତେଇପାରେ । ବିହାର ବିଧାନସଭା ଆସନ ବଣ୍ଟା ନିଷ୍ପତ୍ତି ଅନୁସାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ ୧୦୨-୧୦୩ଟି ଆସନ ଲଢ଼ିପାରେ । ମୁଖ୍ୟ ମେଣ୍ଟ ସାଥୀ ବିଜେପି ୧୦୧-୧୦୨ ଆସନ ହାତେଇପାରେ । ବିଧାନସଭାର ୨୪୩ ଆସନ ମଧ୍ୟରୁ ବାକି ୫୦ ଆସନରେ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନଙ୍କ ଏଲଜେପିକୁ ସର୍ବାଧିକ ୨୫-୨୮ ଆସନ ମିଳିପାରେ । ଅନ୍ୟ କେନ୍ଦ୍ରମନ୍ତ୍ରୀ ଜିତିନ୍ ରାମ ମାଞ୍ଝୀଙ୍କ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା ୬ ରୁ ୭ ଏବଂ ଆରଏଲଏମ୍ ୪ରୁ ୮ ଆସନ ଲଢ଼ିପାରେ । ଏହି ମର୍ମରେ ଏନଡିଏ ଅର୍ନ୍ତଗତ ଏହି ୪ଟି ଦଳ ମଧ୍ୟରେ ଆସନ ଭାଗବଣ୍ଟା ହୋଇପାରେ । ଗତ ଲୋକସଭା ନିର୍ବାଚନରେ ବିଜେପି ୧୭, ଜେଡିୟୁ ୧୬,ଏଲଜେପି ୫ଟି,ହାମ ଓ ଆରଏଲଏମ୍ ଗୋଟିଏ ଲେଖାଏଁ ଆସନରେ ଲଢ଼ିଥିଲେ । ଚିରାଗ ପାଶୱାନଙ୍କ ଏଲଜେପି ୫ଟି ଯାକ ଆସନ ଜିତିଥିବାରୁ ଏଥରକ ବିଧାନସଭାରେ ଅଧିକ ଆସନ ଲଢ଼ିବାକୁ ଚାହୁଁଛି । ମାତ୍ର ଜେଡିୟୁ ଏଥିରେ ରାଜି ନାହିଁ । ଗତ ବିଧାନସଭା ନିର୍ବାଚନରେ ଏଲଜେପି ଏକୁଟିଆ ଲଢିବା ଯୋଗୁଁ ଜେଡିୟୁ ସର୍ବାଧିକ କ୍ଷତି ସହିଥିଲା । ଏବେ ଏଲେଜେପି ଅଧିକ ଆସନ ଦାବି କରୁଥିବାରୁ ବିଜେପି ତା କୋଟାରୁ ଦେବାକୁ ଜେଡିୟୁ ମତ ଦେଇଛି । ବିହାର ଦଳିତ ଓ ଅଳ୍ପସଂଖ୍ୟକ ସଂଖ୍ୟା ଗରିଷ୍ଠତା ଅଞ୍ଚଳରେ ଜେଡିୟୁ ଲଢ଼ିବାକୁ ଏନଡିଏ ବୈଠକରେ ସ୍ଥିର ହୋଇଛି । ଅନ୍ୟପକ୍ଷରେ ବିଜେପି ହିନ୍ଦୁ ସଂଖ୍ୟାଗରିଷ୍ଠତା ଆଧାରରେ ପ୍ରାର୍ଥୀ ଦେବାକୁ ସ୍ଥିର କରିଛି । ଏହାକୁ ଏଲଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ କେତେଦୂର ଗ୍ରହଣ କରୁଛ୍ତି ତା ଉପରେ ଏନଡିଏର ଆସନ ଭାଗବଣ୍ଟା ନିର୍ଭର କରୁଛି ।