କନକ ବ୍ୟୁରୋ: ବିହାର ନିର୍ବାଚନ ନେଇ ସମୀକ୍ଷା କରିବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ନିର୍ବାଚନ ଆୟୋଗ । ଯେଉଁଥିରେ ବିହାରରେ ଏସଆଇଆର ପ୍ରକ୍ରିୟା ସଫଳ ହୋଇଥିବା ନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିସନ । କହିଛନ୍ତି, ବିହାରରେ ସଫଳତାର ସହିତ ଏସଆଇଆର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି । ତେବେ ଆସନ୍ତା ନଭେମ୍ବର ୨୨ ତାରିଖରେ ବିହାର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ତା ପୂର୍ବରୁ ବିହାର ବିଧାନସଭାର ନିର୍ବାଚନ ଶେଷ ହେବ ।
ମୁଖ୍ୟ ନିର୍ବାଚନ କମିସନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିହାରରେ ମୋଟ ୨୪୩ ବିଧାନସଭା ସିଟ୍ ଅଛି । ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨ରେ ଶେଷ ହେଉଛି । ତେଣୁ ଏହା ପୂର୍ବରୁ ହିଁ ନିର୍ବାଚନ ଶେଷ ହେବ । ତେବେ ଏହି ସମୀକ୍ଷା ସମୟରେ ଆମ ଟିମ୍ ପାଟନାରେ ରାଜନୈତିକ ଦଳଙ୍କ ସହ ପ୍ରଶାସନିକ ଅଧିକାରୀ, ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର ଅଧିକାରୀଙ୍କ ସହ ଆଲୋଚନା କରିଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଏଲଓ ଯେତେବେଳେ ଭୋଟରଙ୍କ ପାଖକୁ ଯିବେ, ସେତେବେଳେ ତାଙ୍କୁ ଚିହ୍ନିବା ପାଇଁ ଆଇଡି କାର୍ଡର ବ୍ୟବସ୍ଥା କରାଯାଇଛି । ଏହାସହିତ ଏବେ ପୋଲିଂ ବୁଥ ବାହାରେ ମୋବାଇଲ ଜମା କରିବା ନେଇ ସୁବିଧା ରହିବ । ଏହାପୂର୍ବରୁ ଭୋଟରଙ୍କୁ ଘରେ କିମ୍ବା ଅନ୍ୟ କେଉଁଠି ମୋବାଇଲ୍ ଛାଡ଼ି ଯିବାକୁ ପଡୁଥିଲା । ହେଲେ ଏବେ କିନ୍ତୁ ଆଉ ସେମିତି ହେବନି । ଏହାସହ ମୁଖ୍ୟ ନିର୍ବାଚନ କମିସନ ଆହୁରି ମଧ୍ୟ କହିଛନ୍ତି ଯେ, ବିହାର ସହ ଅନ୍ୟ ଅଞ୍ଚଳର କୌଣସି ବୁଥରେ ବି ୧୨ ଶହରୁ ଅଧିକ ଭୋଟର ଭୋଟ୍ ଦେବେନି ।
ମୁଖ୍ୟ ନିର୍ବାଚନ ଆୟୋଗ ଆହୁରି ମଧ୍ୟ କହିଛନ୍ତି ଯେ, ବିହାରରେ ଓ୍ୱାନ୍ ଷ୍ଟପ୍ ଡିଜିଟାଲ୍ ପ୍ଲାଟଫର୍ମ ମଧ୍ୟ ଆରମ୍ଭ କରାଯିବ । ବୁଥରୁ ଶହେ ମିଟର ଭିତରେ ପ୍ରାର୍ଥୀମାନେ ନିଜର ଏଜେଣ୍ଟମାନଙ୍କୁ ନିଯୁକ୍ତ କରିପାରିବେ । ସବୁ ପୋଲିଂ ଷ୍ଟେସନର ଓ୍ୱେବ୍ କାଷ୍ଟିଂ ହେବ । ଏହାପୂର୍ବରୁ ପାଖାପାଖି ଅଧା ପୋଲିଂ ଷ୍ଟେସନରେ ଓ୍ୱେବ୍ କାଷ୍ଟିଂ ହେଉଥିଲା । ହେଲେ ଏବେ କିନ୍ତୁ ସମସ୍ତ ପୋଲିଂ ଷ୍ଟେସନରେ ଓ୍ୱେବ୍ କାଷ୍ଟିଂ ହେବ ବୋଲି ସୂଚନା ଦିଆଯାଇଛି । ଏହାସହ ପୂର୍ବରୁ ଇଭିଏମରେ ବାଲାଟ୍ ପେପର କଳାଧଳା ରଙ୍ଗର ଆସୁଥିଲା । ହେଲେ ଏବେ କିନ୍ତୁ ବିହାର ନିର୍ବାଚନରେ ପ୍ରାର୍ଥୀମାନଙ୍କର ରଙ୍ଗୀନ ଫଟୋ ରହିବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିସନର ।