କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ । ଏଥର ୨ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ ।

Advertisment
  • ପ୍ରଥମ ପର୍ଯ୍ୟାୟ ଭୋଟ୍ – ନଭେମ୍ବର ୬ ତାରିଖ
  • ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ – ନଭେମ୍ବର ୧୧ ତାରିଖ
  • ବିହାର ନିର୍ବାଚନର ଫଳାଫଳ – ନଭେମ୍ବର ୧୪ ତାରିଖ 

ଏଥର ପ୍ରାର୍ଥୀଙ୍କର ରଙ୍ଗିନ ଫଟୋ

ଏଥର ବିହାର ବିଧାନସଭା ନିର୍ବାଚନରେ ଏକ ନୂଆ କଥା ଦେଖିବାକୁ ମିଳିବ । ଏଥର ପ୍ରାର୍ଥୀଙ୍କର ରଙ୍ଗିନ ଫଟୋ ରହିବ । ଏହାସହ ସିରିଏଲ୍ ନମ୍ବର ମଧ୍ୟ ବଡ଼ ଅକ୍ଷରରେ ଲେଖାଯିବ । ଏନେଇ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ସୂଚନା ଦେଇଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିହାର ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । 

ବିହାରରେ ୭.୪୩ କୋଟି ଭୋଟର 

ଜାଣିରଖିବା ଉଚିତ ଯେ, ବିହାର ବିଧାନସଭାର ମୋଟ ସିଟ୍ ସଂଖ୍ୟା ହେଉଛି ୨୪୩ । ଯାହା ଭିତରୁ ୨୦୩ ସିଟ୍ ସାଧାରଣ ବର୍ଗଙ୍କ ପାଇଁ ରହିବ । ଏହାସହିତ ୩୮ଟି ସିଟ୍ ଏସସି ଏବଂ ୨ଟି ସିଟ୍ ଏସଟି ବର୍ଗଙ୍କ ପାଇଁ ସଂରକ୍ଷିତ ରହିବ । ତେବେ ଏଥର ମୋଟ ୭.୪୩ କୋଟି ଭୋଟର ବିହାରର ଭାଗ୍ୟ ନିର୍ଦ୍ଧାରଣ କରିବେ । ଯାହା ଭିତରୁ ୩.୯୨ କୋଟି ପୁରୁଷ ଭୋଟର ଥିବାବେଳେ, ୩.୫୦ କୋଟି ମହିଳା ଭୋଟର । ଏହାସହିତ ୭.୨ ଲକ୍ଷ ଦିବ୍ୟାଙ୍ଗ ଭୋଟର ଏବଂ ୧୪ ଲକ୍ଷରୁ ଅଧିକ ପ୍ରଥମ ଭୋଟର ଏଥର ବିହାର ନିର୍ବାଚନରେ ଭୋଟ୍ ଦେବେ ।

୯୦ ହଜାରରୁ ଅଧିକ ପୋଲିଂ ଷ୍ଟେସନ 

ବିହାର ନିର୍ବାଚନ ପାଇଁ ନିର୍ବାଚନ କମିସନ ମୋଟ ୯୦ ହଜାର ୧୭୨ ପୋଲିଂ ଷ୍ଟେସନର ବ୍ୟବସ୍ଥା କରିଛନ୍ତି । ପ୍ରାୟତଃ ଗୋଟିଏ ପୋଲିଂ ଷ୍ଟେସନରେ ୮୧୮ ଜଣ ଭୋଟର ଭୋଟ୍ ଦେବେ । ଏହା ଭିତରୁ ସହରରେ ୧୩ ହଜାର ୯୧୧ ପୋଲିଂ ଷ୍ଟେସନ ଏବଂ ଗ୍ରାମାଞ୍ଚଳରେ ୭୬ ହଜାର ୮୦୧ ପୋଲିଂ ଷ୍ଟେସନ ଗଠନ କରାଯିବ । ସବୁ ପୋଲିଂ ଷ୍ଟେସନରେ ଓ୍ୱେବ କାଷ୍ଟିଂ କରାଯିବ ବୋଲି ନିର୍ବାଚନ କମିସନ ସୂଚନା ଦେଇଛନ୍ତି ।

ଗତଥର ୩ଟି ପର୍ଯ୍ୟାୟରେ ହେଇଥିଲା ନିର୍ବାଚନ

ଶେଷଥର ପାଇଁ ୨୦୨୦ରେ ବିହାରରେ ବିଧାନସଭା ନିର୍ବାଚନ ହୋଇଥିଲା । ସେଥର ୩ଟି ପର୍ଯ୍ୟାୟରେ ବିହାର ବିଧାନସଭା ନିର୍ବାଚନ ହୋଇଥିଲା । ୨୦୨୦ ମସିହା ଅକ୍ଟୋବର ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ, ନଭେମ୍ବର ୩ରେ ଦ୍ୱିତୀୟ ପର୍ଯ୍ୟାୟ, ନଭେମ୍ବର ୭ରେ ତୃତୀୟ ପର୍ଯ୍ୟାୟ ଭୋଟ୍ ପଡ଼ିଥିଲା । ଏହାପରେ ନଭେମ୍ବର ୧୦ ତାରିଖରେ ଭୋଟ୍ ଗଣନା କରାଯାଇ ଫଳାଫଳ ଘୋଷଣା କରାଯାଇଥିଲା । 

ଭିଡିଓ ଦେଖନ୍ତୁ...