କନକ ବ୍ୟୁରୋ: ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ । ସେପଟେ କିନ୍ତୁ ରାଜନୀତି ବେଶ୍ ସରଗରମ ହେବାରେ ଲାଗିଛି । କିଛିଦିନ ହେବ ବିହାରରେ ବିଭିନ୍ନ ସ୍ଥାନରେ ହତ୍ୟାକୁ ନେଇ ନୀତିଶ ସରକାର ବ୍ୟାକଫୁଟରେ । ସେପଟେ ନିର୍ବାଚନ କମିସନରଙ୍କ ଦ୍ୱାରା ବିହାରରେ ଯେଭଳି ନାଗରିକଙ୍କ ପରିଚୟ ଖୋଜା ଯାଉଛି ତାହାକୁ ନେଇ ଉଭୟ ନିର୍ବାଚନ କମିସନର ଓ ବିହାର ସରକାରଙ୍କ ଉପରେ ବିରୋଧୀ ଖଡ୍ଗହସ୍ତ । ଅନ୍ୟପଟେ ନିର୍ବାଚନ ପୂର୍ବରୁ ବିଭିନ୍ନ ସର୍ଭେ ସଂସ୍ଥା ନୀତିଶଙ୍କ ମେଣ୍ଟ ସରକାରକୁ ନେଇ ନକରାତ୍ମକ ରିପୋର୍ଟ ଦେଉଛନ୍ତି । ହେଲେ ନୀତିଶ ଏବେ ଭୋଟ ପୂର୍ବରୁ ରାଜ୍ୟରେ ଏକ ମହିଳା କାର୍ଡ ଖେଳି ପୁଣି କ୍ଷମତାକୁ ଫେରିବେ ବୋଲି ଯୋଜନା କରିଛନ୍ତି ।
ଏହି କ୍ରମରେ ବିହାର ସରକାର ରାଜ୍ୟରେ ସରକାରୀ ଚାକିରି କ୍ଷେତ୍ରରେ ମହିଳାଙ୍କ ପାଇଁ ୩୫ ପ୍ରତିଶତ ସଂରକ୍ଷଣ ଘୋଷଣା କରିଛନ୍ତି । ନୀତିଶ ସରକାର କହିଛନ୍ତି, ବିହାରରେ ମୂଳନିବାସୀ ମହିଳାଙ୍କୁ ରାଜ୍ୟର ସମସ୍ତ ସରକାରୀ ସେବାରେ ୩୫ ପ୍ରତିଶତ ସଂରକ୍ଷଣ ଦିଆଯିବ । ଏହା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ସରକାରୀ ଚାକିରି କ୍ଷେତ୍ରରେ ଲାଗୁ ହେବ ।