କନକ ବ୍ୟୁରୋ : ବିହାର ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ନିର୍ବାଚନ ତାତିରୁ ଅନୁମାନ କରାଯାଉଛି କି, ଏନଡିଏକୁ ମହାମେଣ୍ଟ ଟକ୍କର ଦେବାକୁ ପୂରା ଦମରେ ଆଗକୁ ବଢୁଛି । ଏହାରି ଭିତରେ ଏନଡିଏର ସହଯୋଗୀ ଦଳ "ହମ୍' ର ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତିନରାମ ମାଞ୍ଝୀଙ୍କୁ ନେଇ ବିବାଦ ଦେଖାଦେଇଛି । କିଛିିଦିନ ତଳେ ମାଞ୍ଝୀ କହିଥିଲେ କି ଆବଶ୍ୟକ ପଡ଼ିଲେ ଦଳ ଏନଡିଏ ମେଣ୍ଟରୁ ଓହରି ଏକାକୀ ନିର୍ବାଚନ ଲଢିପାରେ ।
ଏନେଇ ଏବେ ପୁଣି ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ପ୍ରମୁଖ ତଥା କେନ୍ଦ୍ରମନ୍ତ୍ରୀ ଜିତନରାମ ମାଞ୍ଝୀ ସ୍ୱଷ୍ଟ କରିଛନ୍ତି କି, ପୂର୍ବରୁ ସେ ଦଳର ନେତାମାନଙ୍କୁ ସନ୍ତୋଷ୍ଟ କରିବାକୁ ଏଭଳି ବୟାନ ଦେଇଥିଲେ । ଏଥିରେ କୌଣସି ବାସ୍ତବିକତା ନାହିଁ । କେବଳ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଉତ୍ସାହ ବୃଦ୍ଧି କରିବାକୁ ସେ ଏଭଳି କହିଥିଲେ ।
କିଛିିଦିନ ତଳେ ଦିଲ୍ଲୀରେ ହୋଇଥିବା ଦଳୀୟ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ମାଞ୍ଝୀଙ୍କ ଏହି ବୟାନକୁ ନେଇ ବେଶ୍ ହଲଚଲ ହୋଇଥିଲା । ହେଲେ ଏବେ ସେ ଏନଡିଏ ସହ ମିଳିତ ଭାବେ ନିର୍ବାଚନ ଲଢିବେ ବୋଲି କହିଛନ୍ତି ।
ପୁଣି ଏପଟେ ଏକ ସାମ୍ବାଦିକ ସମ୍ମିଳନୀରେ ମାଞ୍ଝୀ କହିଛନ୍ତି କି, ବିହାରରେ ତାଙ୍କର ୨୪୩ ଆସନରେ ନିର୍ବାଚନ ଲଢିବାର କ୍ଷମତା ରହିଛି । ହେଲେ ଆମର ପ୍ରାଥମିକତା ହେଉଛି ଏକଜୁଟ ହୋଇ ଏନଡିଏକୁ ପୁଣି କ୍ଷମତାକୁ ଆଣିବା । ହେଲେ ଆସନ ବୁଝାମଣା ହୋଇନଥିବାରୁ ମାଞ୍ଝୀଙ୍କୁ ଭରସା କରାଯାଇନପାରେ । କାରଣ ଉପରାଷ୍ଟ୍ରପତି ନିର୍ବାଚନ ପରେ ଆସନ ବୁଝାମଣା ହେବ ।
ଅନ୍ୟପଟେ ମାଞ୍ଝୀ ସେତେବେଳେ କ୍ଷୋଭ ପ୍ରକାଶ କରିଥିଲେ ଯେତେବେଳେ ଚିରାଗ ପାସୱାନ ୪୦ ଟି ଆସନରେ ନିର୍ବାଚନ ଲଢିବାକୁ ଦାବି କରିଥିଲେ । ଏହାକୁ ନେଇ ମାଞ୍ଝୀ କହିଥିଲେ କି ୨୦୨୦ ବିଧାନସଭା ନିର୍ବାଚନ ବେଳେ ପାସୱାନ ବିଦ୍ରୋହ କରିବାରୁ ତାହାର ପ୍ରଭାବ ଜେଡିୟୁ ଆସନଗୁଡିକ ଉପରେ ପଡ଼ିଥିଲା । ସୂଚନା ଥାଉ କି, ୨୦୨୦ ନିର୍ବାଚନରେ ମାଞ୍ଝୀଙ୍କ ଦଳ କେବଳ ଗୋଟିଏ ବିଧାନସଭା ଆସନରେ ବିଜୟୀ ହୋଇଥିଲା ।