କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ପୂର୍ବରୁ ସରଗରମ ହେଉଛି ବିହାର ରାଜନୀତି । କିଏ ହେବେ ମୁଖ୍ୟମନ୍ତ୍ରୀ ଚେହେରା? ତାକୁ ନେଇ ମହାମେଣ୍ଟରେ ଟଣାଓଟରା ଆରମ୍ଭ ହୋଇଛି । ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ଚେହେରା ହୁଅନ୍ତୁ ଏହା କଂଗ୍ରେସ ଚାହୁଁନି ।
କଂଗ୍ରେସର ବରିଷ୍ଠ ବିଧାୟକ ଅଜିତ୍ ଶର୍ମାଙ୍କ ବୟାନ ମହାମେଣ୍ଟରେ ବିବାଦ ସୃଷ୍ଟି କରିଛି । ସେ କହିଛନ୍ତି, ସାମୁହିକ ନେତୃତ୍ୱରେ ମହାମେଣ୍ଟ ଆଗାମୀ ବିଧାନସଭା ନିର୍ବାଚନ ଲଢିବ । ଯେଉଁ ଦଳର ବିଧାୟକଙ୍କ ଜିତାପଟ ଅଧିକ ରହିବ, ଅର୍ଥାତ୍ ଯେଉଁ ଦଳର ଅଧିକ ବିଧାୟକ ନିର୍ବାଚନ ଯିତିବେ ସେହି ଦଳରୁ ମୁଖ୍ୟମନ୍ତ୍ରୀ ଚୟନ କରାଯିବ । ମୁଖ୍ୟମନ୍ତ୍ରୀ ଏବଂ ଆସନ ସମ୍ପର୍କରେ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେବେ । ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ ଏହି ପ୍ରସଙ୍ଗଗୁଡ଼ିକ ଉପରେ ନିଷ୍ପତ୍ତି ନେବେ । ଏବେ ମହାଗଠବନ୍ଧନ ସାମୂହିକ ନେତୃତ୍ୱରେ ବିଧାନସଭା ନିର୍ବାଚନ ଲଢ଼ିବ ।
ଯେତେବେଳେ ତାଙ୍କୁ ପଚରାଗଲା, ଆରଜେଡି ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରିଛି, ଏସମ୍ପର୍କରେ କଣ କହିବେ?, ଅଜିତ୍ କହିଥିଲେ, ଜନସାଧାରଣ ବିଧାୟକ ଚୟନ କରିବେ । ଯେଉଁ ବିଧାୟକ ନିର୍ବାଚନ ଜିତିକି ଆସିବ, ସେମାନେ ତାଙ୍କ ନେତା ଚୟନ କରିବେ । ଏନଡିଏ ସରକାର ଉପରୁ ଲୋକଙ୍କ ବିଶ୍ୱାସ ହଟିସାରିଛି । ଜନତା ମହାମେଣ୍ଟକୁ ଗାଦିରେ ବସାଇବେ ।
ଅଜିତଙ୍କ ବୟାନ୍, କଣ କହିଲା ଆରଜେଡି ?
ଅଜିତ ଶର୍ମାଙ୍କ ବିବାଦୀୟ ବୟାନ ଉପରେ ଆରଜେଡିର ପ୍ରତିକ୍ରିୟା ବି ଆସିଛି । ଆରଜେଡି ବିଧାୟକ ସତିଶ କୁମାର କହିଛନ୍ତି, ତେଜସ୍ୱୀ ଯାଦବ ହିଁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା । ତାଙ୍କ ନେତୃତ୍ୱରେ ମହାମେଣ୍ଟ ବିଧାନସଭା ନିର୍ବାଚନ ଲଢ଼ିବ ଏବଂ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ହେବେ । ଆରଜେଡି ହେଉଛି ସବୁଠାରୁ ବଡ଼ ଦଳ । ଆମର ଅଧିକାଂଶ ବିଧାୟକ ଆସିବେ । ଏହି ପ୍ରସଙ୍ଗରେ କୌଣସି ଦ୍ୱନ୍ଦ୍ୱ ରହିବା ଉଚିତ୍ ନୁହେଁ ।
ଗୋଟିଏ ପଟେ ଆରଜେଡି ତେଜସ୍ୱୀ ଯାଦବଙ୍କୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛନ୍ତି, ଅନ୍ୟପଟେ ଅଜିତ୍ ଶର୍ମାଙ୍କ ବିବାଦିୟ ବୟାନ୍ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଏହି ପ୍ରସଙ୍ଗକୁ ନେଇ ଆଗାମୀ ଦିନରେ ରାଜନୀତି ତେଜିବ ବୋଲି ଆଶଂକା ସୃଷ୍ଟି ହୋଇଛି ।