କନକ ବ୍ୟୁରୋ: ନୂଆପଡ଼ା ଦଖଲ ପାଇଁ ଆରମ୍ଭ ହୋଇଛି କସରତ । ଅକ୍ଟୋବର ୬ ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ତାରିଖ  ଘୋଷଣା ହେବ । କିନ୍ତୁ ତା’ ପୂର୍ବରୁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ନିଜ ନିଜ ସପକ୍ଷରେ ମତଦାନ ପାଇଁ ଦାବି କରିଛନ୍ତି । ଶାସକ ଦଳ ବିଜେପି ଉପନିର୍ବାଚନ ଜିତିବା ନେଇ ଦମ୍ଭୋକ୍ତି ଦେଖାଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ନୂଆପଡ଼ାରେ ଆମେ ନିଶ୍ଚୟ ଜିତିବୁ, ଯଶସ୍ୱୀ ହେବୁ । ଆମେ ଜିତିବା ପାଇଁ ଲୋକମାନେ ଚାହୁଛନ୍ତି । ସେ ଅଞ୍ଚଳରେ ବିକାଶ ବହୁତ ପଛରେ ଅଛି । ବିଜେପି ଜିତିଲେ ସେ ଅଞ୍ଚଳର ଥିବା ସମସ୍ୟାର ସମାଧାନ କରିବାରେ ସମର୍ଥ ହେବ ବୋଲି ମନମୋହନ କହିଛନ୍ତି । ଏହାବ୍ୟତୀତ ଦଳର ପ୍ରାର୍ଥୀ କିଏ ହେବେ, ସେ ସମ୍ପର୍କରେ ମନମୋହନ କହିଛନ୍ତି ଯେ ସଂସଦୀୟ ଦଳର ନିଷ୍ପତ୍ତି ପରେ ଚିତ୍ର ସ୍ପଷ୍ଟ ହେବ । ସେପଟେ କଂଗ୍ରେସ ନୂଆପଡ଼ା ପାଇଁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଛି । ବିଜେପିକୁ କାଉଣ୍ଟର କରି କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । କହିଛନ୍ତି, ନୂଆପଡ଼ାରେ ଯାହା କଲେ ବି ବିଜେପି ଜିତିପାରିବ ନାହିଁ । ଖୁବଶୀଘ୍ର କଂଗ୍ରେସରେ ଅନେକ ଲୋକ ଯୋଗ ଦେବେ । ଘାସିରାମ ମାଝୀ ନୂଆପଡା ମାଟିର ପୁଅ । ମାଟିର ମଣିଷ ଘାସିରାମ ମାଝୀ ହିଁ ଜିତିବେ ନୂଆପଡ଼ା ଉପନିର୍ବାଚନ । ମତଦାନର ଶେଷ ଏକ ସପ୍ତାହ ପ୍ରତି ପଂଚାୟତରେ ପାଦରେ ବୁଲି ଭୋଟ ମାଗିବେ ପିସିସି ସଭାପତି। ବିଜେପି ଓ ବିଜେଡି ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛନ୍ତି ଭକ୍ତ ।

Advertisment

ବିହାର ବିଧାନସଭା ନିର୍ବାଚନ ସହ ହେବ ନୂଆପଡ଼ା ଉପନିର୍ବାଚନ । ଖାଲି ନୂଆପଡ଼ା ନୁହେଁ ୭ ରାଜ୍ୟରେ ଖାଳି ପଡ଼ିଥିବା ବିଧାନସଭା ଆସନଗୁଡ଼ିକରେ ଏକାସାଙ୍ଗରେ ଉପନିର୍ବାଚନ ହେବ । ଏହାକୁ ନେଇ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦେଇଛନ୍ତି ଜାତୀୟ ନିର୍ବାଚନ କମିସନ । ଜମ୍ମୁ ଓ କାଶ୍ମୀର, ରାଜସ୍ଥାନ, ଝାଡ଼ଖଣ୍ଡ, ତେଲେଙ୍ଗାନା, ପଞ୍ଜାବ, ମିଜୋରାମ ଏବଂ ଓଡ଼ିଶାରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ହେବ ।