କନକ ବ୍ୟୁରୋ: କଳାହୀରାର କଳା ସାମ୍ରାଜ୍ୟ ! ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି ରାଜ୍ୟର ସବୁଠୁ ବଡ ଖଣି ଚୋରିର ଅଭିଯୋଗ । ୩୦ କିଲୋମିଟର ଅଞ୍ଚଳରେ ରହିଛି ଚୋରା କୋଇଲା ଖଣି । ୧୦୦ ରୁ ଅଧିକ କୋଇଲା ଖଣି କରିଛନ୍ତି ମାଫିଆ । ଯେଉଁଠି ରହିଛି ୪୦ରୁ ଅଧିକ ଷ୍ଟକ ୟାର୍ଡ । ଘଞ୍ଚ ଜଙ୍ଗଲ ବା ରିର୍ଜଭ ଫରେଷ୍ଟ ଭିତରେ ଚାଲିଛି ଏହି ଚୋରା କୋଇଲା ଖଣି । ଜଙ୍ଗଲର ଛାତି ଚିରି ତିଆରି ହୋଇଛି ଗୋଟିଏ ଗୋଟିଏ କରି ୧୦୦ ରୁ ଅଧିକ ଚୋରା କୋଇଲା ଖଣି । ସରକାରୀ ଖଣି ଭଳି ଉପର ମାଟି ବାହାର କରି ମାଟିତଳୁ ବାହାର କରାଯାଉଛି ଟନ୍ ଟନ୍ କୋଇଲା ।
କଳାହୀରାକୁ ବାହାର ରାଜ୍ୟ ଛତିଶଗଡ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋଟି କୋଟି ଟଙ୍କାରେ ବିକ୍ରି କରୁଛନ୍ତି ମାଫିଆ । ତେବେ କଳାହୀରାର କଳା ସାମ୍ରାଜ୍ୟର ପର୍ଦ୍ଦାଫାଶ କରିଛି କନକ ନ୍ୟୁଜ୍ । ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ୍, ଗୋପାଳପୁର ଗୋପାଳପୁର ଗାଁ ଡେଇଁ କୁଲାପଡା ଓ ତେଲେନଡିହି ରିର୍ଜଭ ଫରେଷ୍ଟ ଭିତରେ ଚାଲିଛି ଶହଶହ ବେଆଇନ କୋଇଲା ଖଣି । ଯେଉଁଠି ପହଞ୍ଚିଥିଲା କନକ ନ୍ୟୁଜର ଟିମ୍ । ଜଙ୍ଗଲ ଭିତରରେ ଅପନ୍ତରା ଜାଗାରେ ଆଗକୁ ଆଗକୁ ରହିଛି ଛୋଟ ଛୋଟ କୋଇଲା ଖଣି । ୮ କିଲୋମିଟର ଭିତରେ ରହିଛି ୨୫ରୁ ଅଧିକ କୋଇଲା ଖଣି । ତା ସାଙ୍ଗକୁ ବଡବଡ ୪ଟି ଷ୍ଟକ ୟାର୍ଡ । ଶହଶହ ବେଆଇନ କୋଇଲା ଖଣି ଯଦି ଏହି ଜଙ୍ଗଲ ମଧ୍ୟରେ ରହିଛି ଏବଂ ଏଠାରୁ ମୁଖ୍ୟ ରାସ୍ତା ଦେଇ ବାହର ରାଜ୍ୟ ଓ ରାଜ୍ୟ ମଧ୍ୟରେ କୋଇଲା ଚାଲାଣ ହେଉଛି, ତା ହେଲେ କିଭଳି ଏ ଖବର ଜିଲ୍ଲା ପ୍ରଶାସନ, ପୋଲିସ, ମାଇନିଂ ବିଭାଗ ପାଖରେ ନାହିଁ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ।