ଓଡ଼ିଶା ବିଧାନସଭା ଇତିହାସ ପାଇଁ ସବୁଠାରୁ ବଡ଼ ଦିନ,  ପ୍ରଥମଥର ବିଧାନସଭାକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମହାମହିମଙ୍କ ଗସ୍ତ ପାଇଁ ରାଜଧାନୀରେ ଛାଉଣି ପୁଲିସ । ବ୍ଲୁ ବୁକ’ ଏସ୍ଓପି ନିୟମ ଅନୁସାରେ କରାଯାଉଛି ସୁରକ୍ଷା ବ୍ୟବସ୍ଥା

Odisha  Assembly

Odisha Assembly Photograph: (KanakNews)

କନକ ବ୍ୟୁରୋ: ଆଜି ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ । ପ୍ରଥମଥର ପାଇଁ ବିଧାନସଭାରେ ଉଦ୍‌ବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୂର୍ବରୁ କୌଣସି ରାଷ୍ଟ୍ରପତି ବିଧାନସଭାରେ ଉଦ୍‌ବୋଧନ ଦେଇନଥିଲେ। ତେଣୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଶୁଣିବା ପାଇଁ ସମସ୍ତ ବିଧାୟକଙ୍କ ବ୍ୟତୀତ ପୂର୍ବତନ ବିଧାୟକ, ସରକାରଙ୍କର ବରିଷ୍ଠ ପଦାଧିକାରୀ ଏବଂ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ କରାଯାଇଛି । ଆଜି ଅପରାହ୍ଣ ୨ଟାରେ ରାଷ୍ଟ୍ରପତି ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବେ। ଅପରାହ୍ଣ ୪ଟାରେ ରାଜଭବନ ପରିସରରେ ନୂଆ କଳିଙ୍ଗ ଅତିଥି ନିବାସକୁ ଲୋକାର୍ପଣ କରିବେ ରାଷ୍ଟ୍ରପତି । ଅପରାହ୍ଣ ୪ଟା ୨୦ରେ ବିଧାନସଭାରେ ପହଞ୍ଚିବେ ଏବଂ ଅପରାହ୍ଣ ୪ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ବିଧାନସଭାକୁ ସମ୍ବୋଧିତ କରିବେ । 

ଅଧିକ ପଢନ୍ତୁ :କିଏ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି । ସରଳା ଦେବୀ ନା ପ୍ରମିଳା ମଲ୍ଲିକ, ଜାରି ରହିଛି ବିତର୍କ

ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ବିଧାନସଭା ଏବଂ ରାଜ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଓଡ଼ିଶା ସରକାରରେ ବାଣିଜ୍ୟ, ପରିବହନ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଥିବାବେଳେ ବିଧାନସଭାର ୧୧ ନମ୍ବର ପ୍ରକୋଷ୍ଠରେ ବସୁଥିଲେ । ଏହି ପ୍ରକୋଷ୍ଠରେ ରାଷ୍ଟ୍ରପତି କିଛି ସମୟ ବିତାଇ ପୁରୁଣା ସ୍ମୃତିକୁ ଯେପରି ମନେ ପକାଇବେ ସେଥିପାଇଁ ଏହି ପ୍ରକୋଷ୍ଠକୁ ନୂଆ ରୂପ ଦିଆଯାଇଛି । ବିଧାନସଭାରେ କାର୍ଯ୍ୟକ୍ରମ ଶେଷ ପରେ ରାଷ୍ଟ୍ରପତି ରାଜଭବନ ଫେରି ରାଜ୍ୟପାଳଙ୍କ ସ୍ବତନ୍ତ୍ର ନୈଶ୍ୟ ଭୋଜିରେ ଯୋଗଦେବେ। ୨୮ତାରିଖ ପୂର୍ବାହ୍ଣ ୯ଟା ୧୫ରେ ରାଷ୍ଟ୍ରପତି ଓଡ଼ିଶାରୁ ଲକ୍ଷ୍ନୌ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୨୦୦ ଅଫିସର ଓ ୨୫ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe