କନକ ବ୍ୟୁରୋ: ସଲମାନ ଖାନଙ୍କ ଲୋକପ୍ରିୟ ରିୟାଲିଟି ସୋ' ବିଗ୍ ବସ୍ ୧୯' କଲର୍ସ ଟିଭି ଏବଂ ଜିଓ ସିନେମାରେ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ହିଁ ବିଗ୍ ବସ୍ ସମସ୍ତ ୧୬ ପ୍ରତିଯୋଗୀଙ୍କୁ ଜଣେ ସଦସ୍ୟଙ୍କୁ ନୋମିନେଟ୍‌  କରିବାକୁ କହି ଏକ ବଡ଼ ଝଟକା ଦେଇଥିଲେ । ଏବେ ଦ୍ୱିତୀୟ ଦିନରେ ଘର ଲୋକଙ୍କ ମଧ୍ୟରେ ଆନୁଷ୍ଠାନିକ ଭାବେ ମନୋନୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଛି । ଆଶ୍ଚର୍ଯ୍ୟର କଥା, ସୋ'ର ଦ୍ୱିତୀୟ ଦିନରେ ହିଁ ଘରୁ ବାହାରିବା ପାଇଁ ୭ ଜଣ ପ୍ରତିଯୋଗୀ ନୋମିନେଟ୍‌ ହୋଇଛନ୍ତି । ଏଥିମଧ୍ୟରୁ ଦୁଇଜଣଙ୍କ ନାଁ ବେଶ୍ ଆଶ୍ଚର୍ଯ୍ୟଜନକ ରହିଛି ।

Advertisment

ଘର ଲୋକଙ୍କ ମଧ୍ୟରେ ନୋମିନେସନ ପ୍ରକ୍ରିୟା
'ବିଗ୍ ବସ୍ ୧୯'ର ନିର୍ମାତାମାନେ ସୋ'ର ଏକ ନୂଆ ପ୍ରୋମୋ ଜାରି କରିଛନ୍ତି, ଯେଉଁଥିରେ ସମସ୍ତ ପ୍ରତିଯୋଗୀ ଆସେମ୍ବ୍ଲି ରୁମ୍‌ରେ ବସିଥିବାର ଦେଖିବାକୁ ମିଳିଥିଲା । ସେମାନଙ୍କ ମଧ୍ୟରେ ନୋମିନେସନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ବିଗ୍ ବସ୍ ୧୯ତମ ସିଜିନ୍‌ର ପ୍ରଥମ ନୋମିନେସନ ବିଷୟରେ ଘୋଷଣା କରିବା ସହ ସମସ୍ତ ପ୍ରତିଯୋଗୀଙ୍କୁ ଜଣକ ପରେ ଜଣେ ନାଁ ନେବାକୁ କହିଛନ୍ତି ।

ଘରୁ ବାହାରିବା ପାଇଁ ୭ ଜଣ ନୋମିନେଟ୍‌  
ରିପୋର୍ଟ ଅନୁଯାୟୀ, 'ବିଗ୍ ବସ୍ ୧୯'ରୁ ଏହି ସପ୍ତାହରେ ବାହାରିଯିବା ପାଇଁ ୭ ଜଣ ପ୍ରତିଯୋଗୀ ନୋମିନେଟ୍‌ ହୋଇଛନ୍ତି । ସେମାନେ ହେଲେ - ଅଭିଷେକ ବଜାଜ, ଗୌରବ ଖନ୍ନା, ଜିଶାନ କାଦରୀ, ନୀଲମ ଗିରି, ତାନିଆ ମିତ୍ତଲ, ନତାଲିଆ ଜାନୋସଜେକ୍ ଏବଂ ପ୍ରଣୀତ ମୋରେ ।

ଗୌରବ ଏବଂ ଆୱେଜଙ୍କ ମଧ୍ୟରେ ଯୁକ୍ତିତର୍କ
ନୋମିନେସନରେ ଦୁଇଟି ନାମ ବେଶ୍ ଚକିତ କରିଛି, ସେମାନେ ହେଲେ ଗୌରବ ଖନ୍ନା ଏବଂ ପ୍ରଣୀତ ମୋରେ । ଗୌରବ ପ୍ରଥମ ଦିନରୁ ଘରେ ବେଶ୍ ସକ୍ରିୟ ନଜର ଆସୁଛନ୍ତି ।  ସେହିପରି କମେଡିଆନ୍ ପ୍ରଣୀତ ମୋରେ ମଧ୍ୟ ବେଶ୍ ସକ୍ରିୟ ଅଛନ୍ତି । ଏଭଳି ସ୍ଥିତିରେ ଯେତେବେଳେ ଆୱେଜ ଦରବାର ଗୌରବଙ୍କୁ ନୋମିନେଟ୍‌   କଲେ, ସେତେବେଳେ ଗୌରବ ରାଗିଯାଇଥିଲେ । ପ୍ରୋମୋରେ ଦେଖାଯାଇଛି ଯେ ଗୌରବ ଖୁବ୍ ଅସନ୍ତୋଷ ପ୍ରକାଶ କରୁଛନ୍ତି ଏବଂ ଆୱେଜଙ୍କ ସହ ତାଙ୍କର ଯୁକ୍ତିତର୍କ ହେଉଛି । ଏହାପରେ ଆୱେଜ ଦରବାର ବେଶ୍ ଭାବବିହ୍ୱଳ ହୋଇଯାଉଥିବାର ଦେଖିବାକୁ ମିଳିଛି ।