Team India Photograph: (Kanak news)
କନକ ବ୍ୟୁରୋ: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତୀୟ ଦଳ ଦମଦାର ପ୍ରତ୍ୟାବର୍ତ୍ତନ କରି ସେମିଫାଇନାଲ ଟିକେଟ୍ ହାସଲ କରିଛି । କିନ୍ତୁ ପ୍ରକୃତ ପରୀକ୍ଷା ଏବେ ବାକି ଅଛି । ଆସନ୍ତା ମାର୍ଚ୍ଚ ୫ ଦିନ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ । ଏହା ପୂର୍ବରୁ ମାର୍ଚ୍ଚ ୪ ଦିନ କୋଲକାତାର ଇଡେନ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ଅନୁଷ୍ଠିତ ହେବ।
ସୁପର-୮ରେ ଜିମ୍ବାୱେ ଏବଂ ୱେଷ୍ଟଇଣ୍ଡିଜ୍ ବିରୋଧରେ ବଡ଼ ବିଜୟ ଦଳର ଆତ୍ମବିଶ୍ୱାସ ବଢ଼ାଇଥିଲେ ମଧ୍ୟ କିଛି ଦୁର୍ବଳତା ଏବେ ବି ଚିନ୍ତାର କାରଣ ହୋଇଛି। ଯଦି ଭାରତକୁ ତୃତୀୟ ଥର ପାଇଁ ବିଶ୍ୱକପ୍ ଟ୍ରଫି ଜିତିବାକୁ ହୁଏ, ତେବେ ଏହି ୫ଟି ଦିଗରେ ତୁରନ୍ତ ସୁଧାର ଆଣିବାକୁ ପଡ଼ିବ ।
ପାୱାରପ୍ଲେରେ ଓ୍ୱିକେଟ୍ ପତନ
ଭାରତ ପାଇଁ ସବୁଠୁ ବଡ଼ ସମସ୍ୟା ହେଉଛି ଟପ୍ ଅର୍ଡରର ଅସ୍ଥିରତା । ପ୍ରଥମ ୬ ଓଭର ମଧ୍ୟରେ ଉଇକେଟ୍ ହରାଇବା ଦ୍ୱାରା ଦଳ ବ୍ୟାକ୍-ଫୁଟକୁ ଚାଲିଯାଉଛି । ୱେଷ୍ଟଇଣ୍ଡିଜ୍ ବିରୋଧରେ ଅଭିଷେକ ଶର୍ମା ଏବଂ ଈଶାନ କିଷାନ ଶୀଘ୍ର ଆଉଟ୍ ହେବା ପରେ ସଞ୍ଜୁ ସାମସନ ହିଁ ପାଳି ସମ୍ଭାଳିଥିଲେ । ଇଂଲଣ୍ଡର ଶକ୍ତିଶାଳୀ ବୋଲିଂ ଆକ୍ରମଣ ବିରୋଧରେ ଏକ ମଜବୁତ ଆରମ୍ଭ ଅତ୍ୟନ୍ତ ଜରୁରୀ।
ଅଧିନାୟକ ସୂର୍ଯ୍ୟଙ୍କ ଖରାପ ଫର୍ମ
ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଠାରୁ ଦଳ ବଡ଼ ପାଳି ଆଶା କରୁଛି, କିନ୍ତୁ ସେ ନିଜର ପୁରୁଣା ଲୟରେ ନଜର ଆସୁନାହାଁନ୍ତି । ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍ ବିରୋଧରେ ସେ ମାତ୍ର ୧୮ ରନ୍ ଲେଖାଏଁ କରିବାକୁ ସକ୍ଷମ ହୋଇଛନ୍ତି । ସୂର୍ଯ୍ୟ ଯଦି ମଧ୍ୟକ୍ରମରେ ଶୀଘ୍ର ଆଉଟ୍ ହୁଅନ୍ତି, ତେବେ ଭାରତୀୟ ବ୍ୟାଟିଂ ଲାଇନ୍-ଅପ୍ ବିପର୍ଯ୍ୟସ୍ତ ହୋଇପାରେ।
ଆହୁରି ପଢ଼ନ୍ତୁ... ସଙ୍କଟରେ ଅଭିଷେକଙ୍କ କ୍ୟାରିୟର! , ବାରମ୍ୱାର ବିଫଳତା ବଢ଼ାଉଛି ଟେନସନ୍
ବୁମରାଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳତା
ଯଶପ୍ରୀତ ବୁମରା ଏକାକୀ ଭାରତର ବୋଲିଂ ଭାର ସମ୍ଭାଳୁଛନ୍ତି । ଅନ୍ୟପଟେ ବରୁଣ ଚକ୍ରବର୍ତ୍ତୀ ସୁପର-୮ରେ ବହୁତ ରନ୍ ବ୍ୟୟ କରିଛନ୍ତି । ସେହିପରି ଅର୍ଶଦୀପ ସିଂ ଡେଥ୍ ଓଭରରେ ନିଜର ନିୟନ୍ତ୍ରଣ ହରାଉଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲଙ୍କୁ ମଧ୍ୟ ସେମିଫାଇନାଲରେ ଅଧିକ ଦାୟିତ୍ୱବାନ ହେବାକୁ ପଡ଼ିବ।
ଦୁର୍ବଳ ଫିଲ୍ଡିଂ
ଭାରତର ଫିଲ୍ଡିଂ ଚଳିତ ଟୁର୍ଣ୍ଣାମେଣ୍ଟରେ ନୈରାଶ୍ୟଜନକ ରହିଛି । ଭାରତ ଏପର୍ଯ୍ୟନ୍ତ ୧୩ଟି କ୍ୟାଚ୍ ଛାଡ଼ିଛି, ଯାହା ସୁପର-୮ର ସମସ୍ତ ଦଳଙ୍କ ମଧ୍ୟରେ ସର୍ବାଧିକ । ଭାରତର କ୍ୟାଚିଂ ଦକ୍ଷତା ମାତ୍ର ୭୧.୭% ରହିଛି । ସେମିଫାଇନାଲ ଭଳି ବଡ଼ ମ୍ୟାଚରେ ଏଭଳି ଭୁଲ୍ ହାର୍-ଜିତର କାରଣ ସାଜିପାରେ।
ଅଭିଷେକ ଶର୍ମାଙ୍କ ଅସ୍ଥିରତା
ଓପନର ଅଭିଷେକ ଶର୍ମା କ୍ରମାଗତ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ୍ ହୋଇଥିଲେ। ଜିମ୍ବାୱେ ବିରୋଧରେ ୫୫ ରନ୍ କରି ଫର୍ମକୁ ଫେରିବା ଭଳି ଲାଗୁଥିଲେ ମଧ୍ୟ ଶେଷ ମ୍ୟାଚରେ ସେ ମାତ୍ର ୧୦ ରନ୍ କରିଥିଲେ। ସ୍ପିନରଙ୍କ ବିରୋଧରେ ଅଯଥା ଶଟ୍ ଖେଳି ଉଇକେଟ୍ ଫିଙ୍ଗିବା ତାଙ୍କର ଏକ ବଡ଼ ଦୁର୍ବଳତା ପାଲଟିଛି।
ସେମିଫାଇନାଲରେ ପହଞ୍ଚିବା ଏକ ବଡ଼ ସଫଳତା, କିନ୍ତୁ ୱାଙ୍ଖେଡ଼େରେ ଇଂଲଣ୍ଡର ଆହ୍ୱାନକୁ ଅତିକ୍ରମ କରିବାକୁ ହେଲେ ଭାରତକୁ ନିଜର ସବୁ ଦୁର୍ବଳତା ଦୂର କରିବାକୁ ହେବ। ଏବେ ଦେଖିବାକୁ ବାକି ରହିଲା ଟିମ୍ ମ୍ୟାନେଜମେଣ୍ଟ ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏହି ସମସ୍ୟାଗୁଡ଼ିକୁ କିପରି ସମାଧାନ କରୁଛନ୍ତି।
Follow Us